ମାଓ ଦମନରୁ ନିଶା ବିରୋଧୀ ଅଭିଯାନ: ଓଡ଼ିଶା ପୋଲିସର ସଫଳତା ବଖାଣିଲେ ଡିଜିପି

Aug 16, 2026 - 14:47
ମାଓ ଦମନରୁ ନିଶା ବିରୋଧୀ ଅଭିଯାନ: ଓଡ଼ିଶା ପୋଲିସର ସଫଳତା ବଖାଣିଲେ ଡିଜିପି

ଶେଷ କାର୍ଯ୍ୟ ଦିବସରେ ଓଡିଶା ପୋଲିସର ଦକ୍ଷତା ଓ ପାରଦର୍ଶିତାକୁ ନେଇ ବିଦାୟୀ ଅଭିଭାଷଣ ରଖିଛନ୍ତି ଡିଜିପି ୱାଇ.ବି.ଖୁରାନିଆ । ୨୦୨୪ ଅଗଷ୍ଟରୁ ୨୦୨୬ ଜୁଲାଇ ମଧ୍ୟରେ ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ, ଉପକୂଳ ସୁରକ୍ଷା ,ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର, ପୋଲିସ ଆଧୁନିକୀକରଣ କ୍ଷେତ୍ରରେ ଓଡିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କହିଛନ୍ତି ଡିଜିପି। ସମନ୍ବିତ ରଣନୀତି, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ମାନବ ସମ୍ବଳ ସଶକ୍ତିକରଣ ଓ ଜନସାଧାରଣ ଓ ପୋଲିସ ମଧ୍ୟରେ ଉତ୍ତମ ସମନ୍ୱୟ ସମ୍ପର୍କରେ ନିଜ ବିଦାୟୀ ଭାଷଣରେ ସୂଚନା ଦେଇଛନ୍ତି ଡିଜିପି । ଭୁବନେଶ୍ୱର ପୋଲିସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାଓମୁକ୍ତ ଓଡିଶା ଏକ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି। ନିଶାବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି। ୨ ବର୍ଷ ମଧ୍ୟରେ ୪ ହଜାର ୧୯୫ କୋଟିର ନିଶାଦ୍ରବ୍ୟ ଜବତ କରାଯାଇ ନଷ୍ଟ କରାଯାଇଛି। ରାହାଜାନି, ଚୋରି, ଡକାୟତି କମିଛି। ଦୋଷୀ ସାବ୍ୟସ୍ତ ହାରରେ ମଧ୍ୟ ସଫଳତା ମିଳିଛି । ସାଇବର ଅପରାଧ, ଉପକୂଳ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି। ୨ ବର୍ଷ ମଧ୍ୟରେ ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ପୋଲିସର ମାନବ ସମ୍ବଳ ବୃଦ୍ଧି ଦିଗରେ ଅନେକ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ସମୟ ମଧ୍ୟରେ ଓଡିଶା ପୋଲିସକୁ ସମ୍ମାନଜନକ ପ୍ରେସିଡେଣ୍ଟ ପୋଲିସ କଲାର ମେଡାଲ ମିଳିଛି। ଓଡିଶା ପୋଲିସକୁ ଆବଶ୍ୟକୀୟ ସମ୍ବଳ, ସହାୟତା ଓ ନିରନ୍ତର ସମର୍ଥନ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଡିଜିପି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media