ଫିଲିପାଇନ୍ସରେ ବିମାନ ଦୁର୍ଘଟଣା, ୪ ପାଇଲଟ ମୃତ
ନନ୍ଦିଘୋଷ ବ୍ୟୁରୋ: ପୁଣି ମଝି ଆକାଶରେ ଅଘଟଣ । ପରସ୍ପରକୁ ଧକ୍କା ଦେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେନା ବାହିନୀର ୨ଟି ବିମାନ । ଫଳରେ ୪ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଫିଲିପାଇନ୍ସର ଏକ ଏୟାରବେସରେ ଟ୍ରେନିଂ ବେଳେ ଘଟିଛି ଏ ଅଘଟଣ । ତେବେ ଏହି ଦୁର୍ଘଟଣା ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ, ଦକ୍ଷିଣ ମାନିଲା ସ୍ଥିତ ଫର୍ଣ୍ଣାଣ୍ତୋ ଏୟାରବେସରେ ସେନା ବାହିନୀର ଏକ ଟ୍ରେନିଂ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ୨ଟି ଏଫଏଫ-୨୬୦ ସିଙ୍ଗଲ ପ୍ରୋପଲର ବିମାନ ସମେତ ଏକାଧିକ ବିମାନ ଭାଗ ନେଇଥିଲେ । ତେବେ ଟ୍ରେନିଂ ସମୟରେ ହଠାତ୍ ନିୟନ୍ତ୍ରଣ ହରାଇ ଦୁଇଟି ଏଫଏଫ-୨୬୦ ବିମାନ ପରସ୍ପର ସହ ଧକ୍କା ହୋଇଥିଲା । ଫଳରେ ଦୁଇଟି ଯାକ ବିମାନ ତଳକୁ ଖସିପଡ଼ିଥିଲେ । ଏହି ଦୁର୍ଘଟଣାରେ ୪ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ତେବେ କେଉଁ କାରଣ ପାଇଁ ଏହି ଅଘଟଣ ଘଟିଲା ସେନେଇ ବାୟୁସେନା ପକ୍ଷରୁ ତଦନ୍ତ କରାଯାଉଛି ।
ବାୟୁସେନା ମୁଖପାତ୍ର କର୍ଣ୍ଣେଲ୍ ଆଲଭିନ୍ ଜେ କାପିଙ୍ଗୁଇଆନ୍ କହିଛନ୍ତି, ଦୁର୍ଘଟଣା ପରେ ସୁରକ୍ଷା ଓ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ୍ ଭିଡିଓର ସତ୍ୟତା ବର୍ତ୍ତମାନ ଯାଏ ଯାଞ୍ଚ ହୋଇନାହିଁ । ଦୁଇ ବିମାନ ମଧ୍ୟରେ କେଉଁ ପରିସ୍ଥିତିରେ ଧକ୍କା ହେଲା, ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାର ତଦନ୍ତ ଜାରି ରହିଛି ।
ପ୍ରକାଶ ଥାଉ କି, ଚଳିତ ବର୍ଷ ମେ’ ମାସରେ ଉତ୍ତର ଫିଲିପାଇନ୍ସର ଏକ ପାର୍ବତ୍ୟ ଅଞ୍ଚଳରେ ଏକ ଏସଏଫ-୨୬୦ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
