ପାକିସ୍ତାନକୁ ଧୋକା ଦେଲା ଆଫଗାନିସ୍ତାନ!
ଦିନେ ଯେଉଁ ଆଫଗାନିସ୍ତାନକୁ ନିଜର ନିୟନ୍ତ୍ରଣରେ ରଖିବାର ସ୍ୱପ୍ନ ଦେଖୁଥିଲା ପାକିସ୍ତାନ, ଆଜି ସେହି ଆଫଗାନିସ୍ତାନ ଭାରତ ସହ ହାତ ମିଳାଇବାକୁ ଆଗେଇ ଆସିଛି। ଦିଲ୍ଲୀରେ ପହଞ୍ଚିଛନ୍ତି ତାଲିବାନ ସରକାରଙ୍କ ପ୍ରତିନିଧି। ଉଦ୍ଦେଶ୍ୟ କେବଳ ବାଣିଜ୍ୟ ନୁହେଁ, ବରଂ ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବା। ଯେଉଁ ପାକିସ୍ତାନ ଭାବୁଥିଲା ଆଫଗାନିସ୍ତାନ ତା'ର ଇସାରାରେ ଚାଲିବ, ଆଜି ସେହି ପାକିସ୍ତାନ ସହ ତାଲିବାନର ସମ୍ପର୍କରେ ଦେଖାଦେଇଛି ତିକ୍ତତା। ତେବେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ କ'ଣ ନୂଆ ଖେଳ ଆରମ୍ଭ ହେବାକୁ ଯାଉଛି? ଏହାଦ୍ୱାରା ପାକିସ୍ତାନକୁ କେତେ ବଡ଼ ଝଟକା ଲାଗିବ? ଆସନ୍ତୁ ଜାଣିବା ପୂରା ଖବର। ପ୍ରଥମେ ଜାଣନ୍ତୁ କାହିଁକି ଭାରତ ଆସିଛନ୍ତି ତାଲିବାନ ପ୍ରତିନିଧି।ଆଫଗାନିସ୍ତାନର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟର ଉପମନ୍ତ୍ରୀ ଅହମଦୁଲ୍ଲା ଜାହିଦ ଭାରତ ଗସ୍ତରେ ଆସିଛନ୍ତି। ଭାରତ ସରକାରଙ୍କ ଆନୁଷ୍ଠାନିକ ନିମନ୍ତ୍ରଣରେ ସେ ଏହି ଗସ୍ତ କରିଛନ୍ତି।ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବା। ଏଥିସହ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀରେ ଯୋଗଦେବା ଏବଂ ଭାରତୀୟ ବ୍ୟବସାୟୀଙ୍କ ସହ ଆଲୋଚନା କରିବା ମଧ୍ୟ ଏହି ଗସ୍ତର ଅନ୍ୟତମ ଲକ୍ଷ୍ୟ ।
ବିଶେଷ କରି ଆଫଗାନିସ୍ତାନର ଶୁଖିଲା ଫଳ, ବାଦାମ, ପିସ୍ତା, କେସର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ପାଇଁ ଭାରତ ଏକ ବଡ଼ ବଜାର। ଏହି ସାମଗ୍ରୀଗୁଡ଼ିକୁ ଭାରତୀୟ ବଜାରରେ ସହଜରେ ପହଞ୍ଚାଇବାକୁ ଆଫଗାନିସ୍ତାନ ଚାହୁଁଛି।ଏହାସହ ଆଫଗାନିସ୍ତାନର ଅନ୍ୟ ଏକ ବଡ଼ ଲକ୍ଷ୍ୟ ହେଉଛି ପୂର୍ବରୁ ଥିବା ବାଣିଜ୍ୟକୁ ପୁଣିଥରେ ଗତିଶୀଳ କରିବା। ତାଲିବାନ କ୍ଷମତାକୁ ଆସିବା ପୂର୍ବରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବାର୍ଷିକ ବାଣିଜ୍ୟ ପ୍ରାୟ ୧.୫ ବିଲିୟନ ଡଲାର ଥିଲା। ଏବେ ଏହି ସ୍ତରକୁ ପୁଣି ଫେରାଇ ଆଣିବାକୁ ଚାହୁଁଛି ଆଫଗାନିସ୍ତାନ।
କିନ୍ତୁ କାହିଁକି ଭାରତ ଉପରେ ଏତେ ଭରସା କରୁଛି ଆଫଗାନିସ୍ତାନ?
ଏହାର ଉତ୍ତର ହେଉଛି ଆର୍ଥିକ ସହଯୋଗ ଓ ଭୌଗୋଳିକ ରଣନୀତି।ଆଫଗାନିସ୍ତାନରେ ରାସ୍ତାଘାଟ, ଶକ୍ତି, ଖଣି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ନିବେଶର ଆବଶ୍ୟକତା ରହିଛି। ଏଥିପାଇଁ ଭାରତୀୟ ନିବେଶକଙ୍କ ସହଯୋଗ ଲୋଡ଼ୁଛି ତାଲିବାନ ପ୍ରଶାସନ।ଏହି ଗସ୍ତ ସମୟରେ ଜାହିଦଙ୍କ ପ୍ରତିନିଧିମଣ୍ଡଳୀ ଇଣ୍ଡିଆ ଚାମ୍ବର ଅଫ୍ କମର୍ସ, ୠଓଉଉଓ ଏବଂ ଉଓଓ ସହ ଆଲୋଚନା କରିଛନ୍ତି। ଘରୋଇ ନିବେଶକଙ୍କ ସହ ମଧ୍ୟ ସମ୍ଭାବ୍ୟ ବ୍ୟବସାୟିକ ସୁଯୋଗ ନେଇ ଚର୍ଚ୍ଚା ହୋଇଛି। ଏଠାରେ ଗୋଟିଏ କଥା ବୁଝିବା ଜରୁରୀ। ଭାରତ ଏପର୍ୟ୍ୟନ୍ତ ତାଲିବାନ ସରକାରକୁ ଆନୁଷ୍ଠାନିକ ଭାବରେ ମାନ୍ୟତା ଦେଇନାହିଁ। କିନ୍ତୁ ଆଫଗାନିସ୍ତାନରେ ତାଲିବାନର ବାସ୍ତବିକ ଶାସନକୁ ମଧ୍ୟ ଅଣଦେଖା କରିପାରିବ ନାହିଁ ଭାରତ।ସେଥିପାଇଁ ଭାରତ ଆପଣାଇଛି ବ୍ୟବହାରିକ କୂଟନୀତିର ରାସ୍ତା। ଅର୍ଥାତ୍, ରାଜନୈତିକ ମାନ୍ୟତା ନଦେଇ ମଧ୍ୟ ଆବଶ୍ୟକ କ୍ଷେତ୍ରରେ ଆଲୋଚନା ଓ ସହଯୋଗ ଜାରି ରଖିବା।
ଭାରତର ସହାୟତାକୁ ଭୁଲିନି ଆଫଗାନିସ୍ତାନ।ଗତ କିଛି ବର୍ଷ ମଧ୍ୟରେ ଆଫଗାନିସ୍ତାନକୁ ଭାରତ ହଜାର ହଜାର ଟନ୍ ଗହମ, ଔଷଧ, ମେଡିକାଲ କିଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପଠାଇଛି।ଯେତେବେଳେ ଆଫଗାନିସ୍ତାନ ଆର୍ଥିକ ଓ ମାନବିକ ସଙ୍କଟ ଦେଇ ଗତି କରୁଥିଲା, ସେତେବେଳେ ଭାରତ ସାଧାରଣ ଆଫଗାନ ନାଗରିକଙ୍କ ପାଇଁ ସହାୟତାର ହାତ ବଢ଼ାଇଥିଲା।ଏହା ସହିତ ଆଫଗାନିସ୍ତାନରେ ଭାରତ ନିର୍ମାଣ କରିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଦୁଇ ଦେଶର ସମ୍ପର୍କର ଏକ ବଡ଼ ଉଦାହରଣ।ସଲମା ଡ୍ୟାମ୍, ଆଫଗାନ ସଂସଦ ଭବନ ଏବଂ ଜରାଞ୍ଜ-ଡେଲାରାମ ରାଜପଥ ଭଳି ପ୍ରକଳ୍ପରେ ଭାରତର ଯୋଗଦାନ ରହିଛି। ୨୦୨୧ ମସିହାରେ ତାଲିବାନ କାବୁଲ ଦଖଲ କରିବା ପରେ ଭାରତ ନିଜର କୂଟନୈତିକ କର୍ମଚାରୀଙ୍କୁ ଫେରାଇ ଆଣିଥିଲା। କିନ୍ତୁ ଆଫଗାନିସ୍ତାନ ସହ ସମ୍ପର୍କକୁ ସମ୍ପୂର୍ଣ୍ଣ ଶେଷ କରିନଥିଲା।ପରେ କାବୁଲରେ ଭାରତ ନିଜର ବୈଷୟିକ ଟିମ୍ ନିୟୋଜିତ କରିଥିଲା। ଏହି ଟିମ୍ ମାଧ୍ୟମରେ ରିଲିଫ୍ କାର୍ୟ୍ୟ, ଭିସା ଏବଂ ଅନ୍ୟାନ୍ୟ ସମନ୍ୱୟ କାର୍ୟ୍ୟ ଜାରି ରହିଛି।
ଭାରତୀୟ ଅଧିକାରୀମାନେ ମଧ୍ୟ ତାଲିବାନ ନେତାଙ୍କ ସହ ଅନେକ ପର୍ୟ୍ୟାୟରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଭାରତର ସୁରକ୍ଷା ସ୍ୱାର୍ଥ ଏବଂ ଆତଙ୍କବାଦ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇ ରହିଛି।ଭାରତର ସ୍ପଷ୍ଟ ଆଭିମୁଖ୍ୟ ହେଉଛି, ଆଫଗାନିସ୍ତାନର ମାଟି ଭାରତ ବିରୋଧୀ ଆତଙ୍କବାଦୀ କାର୍ୟ୍ୟକଳାପ ପାଇଁ ବ୍ୟବହାର ହେବା ଉଚିତ ନୁହେଁ । ଏବେ ଆସିବା ସବୁଠାରୁ ବଡ଼ ପ୍ରସଙ୍ଗକୁ। ଭାରତ-ଆଫଗାନିସ୍ତାନ ସମ୍ପର୍କ ଦେଖି ପାକିସ୍ତାନ କାହିଁକି ଚିନ୍ତାରେ?
ଏହା ପଛରେ ରହିଛି ଅନେକ ବର୍ଷର ରାଜନୈତିକ ଓ ସାମରିକ ତିକ୍ତତା।୨୦୨୧ରେ ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନ ଭାବିଥିଲା ଯେ ଆଫଗାନିସ୍ତାନରେ ତା'ର ପ୍ରଭାବ ବଢ଼ିବ। କିନ୍ତୁ ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା।ପାକିସ୍ତାନ ଓ ତାଲିବାନ ମଧ୍ୟରେ ଡୁରାଣ୍ଡ ଲାଇନ୍କୁ ନେଇ ଦୀର୍ଘଦିନରୁ ବିବାଦ ରହିଛି । ବ୍ରିଟିଶ ଶାସନ ସମୟରେ ନିର୍ଦ୍ଧାରିତ ଏହି ସୀମାରେଖାକୁ ଆଫଗାନିସ୍ତାନର ତାଲିବାନ ପ୍ରଶାସନ ଆନୁଷ୍ଠାନିକ ସୀମା ଭାବେ ଗ୍ରହଣ କରିବାକୁ ରାଜି ନୁହେଁ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବାରମ୍ବାର ଉତ୍ତେଜନା ଦେଖାଦେଉଛି।କେବଳ ସୀମା ବିବାଦ ନୁହେଁ, ତେହରିକ-ଏ-ତାଲିବାନ ପାକିସ୍ତାନ ଅର୍ଥାତ୍ ଞଞଚକୁ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି। ପାକିସ୍ତାନର ସୁରକ୍ଷା ବାହିନୀ ଉପରେ ଞଞଚର ଲଗାତାର ଆକ୍ରମଣ ପାକିସ୍ତାନ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇଛି। ପାକିସ୍ତାନ ଏଥିପାଇଁ ଆଫଗାନିସ୍ତାନକୁ ଦାୟୀ କରୁଥିବା ବେଳେ ତାଲିବାନ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛି ।
ଏହା ସହିତ ପାକିସ୍ତାନ ଆଫଗାନ ଶରଣାର୍ଥୀଙ୍କୁ ନିଜ ଦେଶରୁ ବାହାର କରିବା ନିଷ୍ପତ୍ତି ନେବା ପରେ ମଧ୍ୟ ଦୁଇ ଦେଶର ସମ୍ପର୍କ ଆହୁରି ଖରାପ ହୋଇଛି। ଲକ୍ଷ ଲକ୍ଷ ଆଫଗାନ ନାଗରିକଙ୍କୁ ଦେଶକୁ ଫେରିବାକୁ ପଡ଼ିଥିବାରୁ କାବୁଲରେ ପାକିସ୍ତାନ ବିରୋଧରେ ଅସନ୍ତୋଷ ବଢ଼ିଛି।ଅନ୍ୟପଟେ ସୀମାରେ ସଂଘର୍ଷ ଓ ଆକ୍ରମଣକୁ ନେଇ ମଧ୍ୟ ଉଭୟ ଦେଶ ପରସ୍ପରକୁ ଦୋଷ ଦେଉଛନ୍ତି । ଏହି ପରିସ୍ଥିତିରେ ଆଫଗାନିସ୍ତାନ ବୁଝିପାରୁଛି ଯେ କେବଳ ପାକିସ୍ତାନ ଉପରେ ନିର୍ଭର କରି ତା'ର ଅର୍ଥନୀତି ଓ ବାଣିଜ୍ୟକୁ ଆଗକୁ ନେବା ସମ୍ଭବ ନୁହେଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
