ଥାର୍ କିଣା ଦୁର୍ନୀତି ୩ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ଜଙ୍ଗଲ ବିଭାଗ
ଭୁବନେଶ୍ୱର : ଜଙ୍ଗଲ ବିଭାଗ ଥାର୍ କିଣା ଅନିୟମିତତା ପ୍ରସଙ୍ଗ । 'ଥାର୍' ଗାଡ଼ି କିଣା ଓ ମୋଡିଫିକେସନକୁ କୁ ନେଇ ହୋଇଥିଲା ବ୍ୟାପକ ଆର୍ଥିକ ଅନିୟମିତତା । ଯାହା ଏବେ ଅଡିଟ୍ରୁ ଧରାପଡ଼ିଛି । ଜଙ୍ଗଲ ବିଭାଗ ଲାଗି ମାର୍କେଟ୍ ଦରଠାରୁ ଅଧିକ ଟଙ୍କାରେ ଥାର୍ ଗାଡ଼ି କିଣିଥିବା ଅଭିଯୋଗରେ ୩ ଅଧିକାରୀଙ୍କ ଉପରେ ହେବ ଆକ୍ସନ୍ । ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ସବୁ ଥାର୍ ଗାଡ଼ି କିଣାଯାଇଥିଲା ।
ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ବିଭାଗ ପକ୍ଷରୁ ଏବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି । ମନ୍ତ୍ରୀ ଖୁଣ୍ଟିଆ ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ସମୀକ୍ଷା ଲାଗି ସିଏଜିଙ୍କୁ ୨୦୨୫ ଡିସେମ୍ବର ୧୮ରେ ପତ୍ର ଲେଖ୍ ଅନୁରୋଧ କରିଥିଲେ ।
ଏହାକୁ ନେଇ ସିଏଜିଙ୍କ ପକ୍ଷରୁ ଘଣ୍ଟାଚକଟା ପରେ ଜଙ୍ଗଲ ବିଭାଗକୁ ବିଶେଷ ସମୀକ୍ଷା ରିପୋର୍ଟ ପ୍ରଦାନ କରାଯାଇଛି । ସେଥିରେ ପ୍ରାୟ ୮ କୋଟି ଟଙ୍କାର ଅନାବଶ୍ୟକ ଖର୍ଚ୍ଚ ହୋଇଥିବା ସିଏଜିଙ୍କ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଥିଲା । ଏହାକୁନେଇ ମନ୍ତ୍ରୀ ଖୁଣ୍ଟିଆ ଜୁଲାଇ ୭ରେ ବିଭାଗୀୟ ସଚିବଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ୨୦୨୪ ମସିହାରେ ଜଙ୍ଗଲ ବିଭାଗ ୫୧ଟି ମହିନ୍ଦ୍ରା ଥାର୍ ଏସୟୁଭି କିଣିଥିଲା । ଯେଉଁଥିପାଇଁ ୭ କୋଟି ଖର୍ଚ୍ଚ ହୋଇଥିବା ବେଳେ ଗାଡ଼ିର ମୋଡିଫେକେସନ୍ ପାଇଁ ଖର୍ଚ୍ଚ ହୋଇଥିଲା ଅତିରିକ୍ତ ୫ କୋଟି । ଏଭଳି ଭାବେ ମୋଟ ୧୨ କୋଟି ଖର୍ଚ୍ଚ ହୋଇଥିବା ଅଭିଯୋ ହୋଇଥିଲା । ଆକଳନ ଅନୁସାରେ, ଗୋଟିଏ ଥାର୍ ପିଛା ୧୪ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଅଭିଯୋଗ ଆସିବା ପରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ମାମଲାର ସ୍ଵତନ୍ତ୍ର ଅଡିଟ୍ ନିର୍ଦ୍ଦେଶ ଦେଇଥିଲେ । ଉଭୟ ଗାଡ଼ି କିଣା ଓ ମୋଡିଫିକେସନ୍ ଆଦିର ଅଡିଟ୍ କରି ଏବେ ବିଭାଗକୁ ରିପୋର୍ଟ ଦେଇଛନ୍ତି ଆକାଉଣ୍ଟାଣ୍ଟ ଜେନେରାଲ୍ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।