ମୋବାଇଲ ପାଇଁ ପୁଅ ର ଆତ୍ମହତ୍ୟା,ମା' ଗୁରୁତର...ଆଜି ଥିଲା ବାପାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ
ଜଗତପୁର : ମୋବାଇଲ ପାଇଁ ଘଟିଛି ପୁଣି ଏକ ଦୁଃଖଦ ଘଟଣା । ମୋବାଇଲ ଛଡାଇନେବାରୁ ଆଜି ବାପାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ କୀଟନାଶକ ପି' ପୁଅ ଆତ୍ମହତ୍ୟା କରିଛନ୍ତି । ଏହା ଦେଖି ମା' ମଧ୍ୟ ଆତ୍ମହତ୍ୟା କରିବାକୁ ଯାଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ହାତୀଖଣା ଗାଁରେ । ମୃତକ ହେଲେ ସ୍ୱର୍ଗତ ସୁବାସ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ଆୟୁଷ୍ମାନ ସାହୁ ଓରଫ୍ ସୋମୁ । ସେ ସ୍ଥାନୀୟ ଶିଶୁ ମନ୍ଦିରରେ ୧୦ମ ଶ୍ରେଣୀରେ ପଢୁଥିଲେ ।
ସୂଚନା ଅନୁସାରେ , ହାତୀଖଣା ଗାଁର ସ୍ବର୍ଗତଃ ସୁବାସ ଚନ୍ଦ୍ର ସାହୁଙ୍କର ଗତବର୍ଷ ମୃତ୍ୟୁ ଘଟିଥିଲା । ଆଜି ଥିଲା ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ । ସକାଳେ ଘରେ ବର୍ଷିକିଆ ପୂଜା ଚାଲିଥିବାବେଳେ ସୋମୁ ମୋବାଇଲ୍ ରେ ବ୍ୟସ୍ତ ଥିଲେ । ଏହା ଦେଖି ତାଙ୍କ ମା' ବିରକ୍ତ ହୋଇ ମୋବାଇଲ ନେଇ ଲୁଚାଇ ଦେଇଥିଲେ । ଏଥିରେ ସୋମୁ ଉତକ୍ଷିପ୍ତ ହୋଇ ପରିବାର ଲୋକଙ୍କ ଅଜାଣତରେ ଘରେ ଥିବା କୀଟନାଶକ ପିଇ ଅଚେତ ହୋଇପଡିଥିଲେ । କିଛି ସମୟ ପରେ ଏହାଦେଖି ଘର ଲୋକେ ସୋମୁଙ୍କୁ ଉଦ୍ଧାର କରି ପ୍ରଥମେ ଜଗତପୁରର ଏକ ଘରୋଇ ଡାକ୍ତରଖାନାରେ ଓ ପରେ କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରଥମେ ସ୍ୱାମୀ ଏବଂ ଆଜି ପୁଅକୁ ହରାଇ ସୋମୁଙ୍କୁ ମା' ଭାଙ୍ଗି ପଡ଼ି ବିଷ ପିଇ ଦେଇଥିଲେ । ସଙ୍କଟାପନ୍ନ ଅବସ୍ଥାରେ ପଡ଼ୋଶୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହି ଘଟଣା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।