ଜୋତାଥଣ୍ଟିଆ ପକ୍ଷୀ ସୁବିଲ୍‌

Nov 07, 2026 - 07:45
ଜୋତାଥଣ୍ଟିଆ ପକ୍ଷୀ ସୁବିଲ୍‌

ଜୀବଜଗତରେ ଏପରି ଅନେକ ଜୀବ ରହିଛନ୍ତି, ଯେଉଁମାନଙ୍କର ରୂପ ଓ ଆଚରଣ ଆମକୁ ଆଶ୍ଚର୍ଯ୍ୟଚକିତ କରିଦିଏ।

ସେହିଭଳି ଏକ ବିରଳ ଓ ରହସ୍ୟମୟ ପକ୍ଷୀ ହେଉଛି 'ସୁବିଲ୍' (Shoebill)।

ଏହାର ବିଶାଳ ଜୋତା ଆକୃତିର ଥଣ୍ଟ, ଗମ୍ଭୀର ଚାହାଣି ଓ ଅସାଧାରଣ ଶାରୀରିକ ଗଠନ ଦେଖିଲେ ଲାଗେ ସତେଯେପରି କୌଣସି ପ୍ରାଗୈତିହାସିକ ଯୁଗର ଜୀବ ପୃଥିବୀକୁ ଫେରିଆସିଛି।

ଏହି କାରଣରୁ ଏହାକୁ ଅନେକେ 'ଜୀବନ୍ତ ଡାଇନୋସର' ବୋଲି ମଧ୍ୟ ବର୍ଣ୍ଣନା କରନ୍ତି।

ଏହି ପକ୍ଷୀ ହ୍ୱେଲ୍-ହେଡେଡ୍ ଷ୍ଟର୍କ ନାମରେ ମଧ୍ୟ ଜଣାଯାଏ।

ସୁବିଲ୍‌ର ବୈଜ୍ଞାନିକ ନାମ 'ବାଲିନିସେପ୍‌ସ ରେକ୍ସ'।

ଏହାକୁ ଓଡ଼ିଆରେ ଜୋତା ଥଣ୍ଟିଆ ପକ୍ଷୀ କୁହାଯାଏ।

ଏହା ବାଲିନିସିପିଟିଡି ପରିବାରର ଏକମାତ୍ର ଜୀବିତ ପ୍ରଜାତି।

Advertisment ଏହା ଆଫ୍ରିକାର ଏକ ବଡ଼ ଜଳଚର ପକ୍ଷୀ।

ବୟସ୍କ ସୁବିଲ୍‌ର ଉଚ୍ଚତା ୧୧୦ରୁ ୧୪୦ ସେଣ୍ଟିମିଟର, ଡେଣାର ବିସ୍ତାର ୨୩୦ରୁ ୨୬୦ ସେଣ୍ଟିମିଟର ଏବଂ ଓଜନ ୪ରୁ ୭ କିଲୋଗ୍ରାମ ହୋଇଥାଏ।

ଏହାର ବଡ଼ ଜୋତା ଆକୃତିର ଥଣ୍ଟ ପ୍ରାୟ ୨୦ରୁ ୨୪ ସେଣ୍ଟିମିଟର ଲମ୍ବା।

ଥଣ୍ଟର ଅଗ ଶକ୍ତିଶାଳୀ ଓ ବଙ୍କା ହୋଇଥାଏ, ଯାହା ଶିକାର ଧରିବାରେ ସାହାଯ୍ୟ କରେ।

ଏହାର ଆଖି ସାମ୍ନାକୁ ଥିବାରୁ ଶିକାରକୁ ସହଜରେ ଦେଖିପାରେ।

ଏହି ପକ୍ଷୀ ମୁଖ୍ୟତଃ ପୂର୍ବ ଓ ମଧ୍ୟ ଆଫ୍ରିକାର ମଧୁର ଜଳାଶୟ, ସନ୍ତସନ୍ତିଆ ଅଞ୍ଚଳ ଓ ଆର୍ଦ୍ରଭୂମିରେ ବାସକରେ।

ଦକ୍ଷିଣ ସୁଦାନ, ଉଗାଣ୍ଡା, ତାଞ୍ଜାନିଆ, ଜାମ୍ବିଆ ଓ କଙ୍ଗୋ ଗାଣତନ୍ତ୍ରିକ ଗଣରାଜ୍ୟ ଏହାର ପ୍ରମୁଖ ବାସସ୍ଥାନ।

ଏହା ଘଞ୍ଚ ଜଳଜ ଉଦ୍ଭିଦ ଓ ଅଗଭୀର ଜଳ ଥିବା ଅଞ୍ଚଳକୁ ପସନ୍ଦ କରେ।

ବିଶେଷକରି ପାପିରସ୍ ଘାସ ଓ ଅନ୍ୟ ଜଳଜ ଉଦ୍ଭିଦ ଥିବା ଜଳାଭୂମି ଏହା ପାଇଁ ଉପଯୁକ୍ତ।

ସୁବିଲ୍ ଏକ ମାଂସାହାରୀ ପକ୍ଷୀ।

ଏହାର ମୁଖ୍ୟ ଖାଦ୍ୟ ମାଛ, ବିଶେଷକରି ଲଙ୍ଗଫିସ୍ ଓ କ୍ୟାଟ୍‌ଫିସ୍।

ଏହା ବେଙ୍ଗ, ଜଳସାପ, ଛୋଟ କଇଁଛ ଓ ଛୋଟ କୁମ୍ଭୀର ମଧ୍ୟ ଶିକାର କରେ।

ଏହାର ଶିକାର କରିବା ପଦ୍ଧତି ଖୁବ୍ ଆଶ୍ଚର୍ଯ୍ୟଜନକ।

ଏହା ପାଣି ଭିତରକୁ ନଜର ରଖି ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ମୂର୍ତ୍ତି ପରି ଠିଆ ହୋଇ ରହେ।

ଶିକାର ପାଖକୁ ଆସିବା ମାତ୍ରେ ନିଜର ବଡ଼ ଥଣ୍ଟରେ ହଠାତ୍ ଆକ୍ରମଣ କରି ତାକୁ ଧରିନିଏ।

ଏହି ଶିକାର କୌଶଳକୁ 'ସିଟ୍ ଆଣ୍ଡ୍ ୱେଟ୍' ପଦ୍ଧତି କୁହାଯାଏ।

ଏହା ଏକ ବିରଳ ପକ୍ଷୀ।

ବର୍ତ୍ତମାନ ପୃଥିବୀରେ ଏହାର ସଂଖ୍ୟା ପ୍ରାୟ ୫,୦୦୦ରୁ ୮,୦୦୦ ମଧ୍ୟରେ ଥିବା ଆକଳନ କରାଯାଇଛି।

ଜଳାଭୂମି ନଷ୍ଟ, କୃଷିକାର୍ଯ୍ୟ, ମାନବ ବସତି ବୃଦ୍ଧି, ବେଆଇନ ଶିକାର, ମାଛଧରା ଓ ମାନବୀୟ ହସ୍ତକ୍ଷେପ ଯୋଗୁଁ ଏହାର ସଂଖ୍ୟା କମିବାରେ ଲାଗିଛି।

ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌) ଏହାକୁ 'ବିପଦାପନ୍ନ' ଶ୍ରେଣୀରେ ରଖିଛି।

ଏହି ପକ୍ଷୀକୁ ବଞ୍ଚାଇବା ପାଇଁ ଜଳାଭୂମି ଓ ପ୍ରାକୃତିକ ବାସସ୍ଥାନର ସୁରକ୍ଷା କରିବା ସହ ବେଆଇନ ଶିକାର ବନ୍ଦ କରିବା ଅତ୍ୟନ୍ତ ଜରୁରି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)