ଏସିଆନ୍ ପାରାଗେମ୍ସରେ ଭାରତକୁ ପୁଣି ଡବଲ ସ୍ବର୍ଣ୍ଣ
ଏସିଆନ୍ ପାରାଗେମ୍ସରେ ଭାରତୀୟ ଆଥଲେଟ୍ମାନଙ୍କର ବିଜୟ ଅଭିଯାନ ଜରୀରହିଛି । ଭାରତ ପାଇଁ ପୁଣି ଏକ ଗୌରବମୟ ଦିନ ସାବ୍ୟସ୍ତ ହୋଇଥିବା ବେଳେ ଗୋଟିଏ ଦିନରେ ଦେଶକୁ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି। ତୀରନ୍ଦାଜୀ ଏବଂ ବ୍ୟାଡମିଣ୍ଟନରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ଦେଶ ପାଇଁ ଏହି ସଫଳତା ଆଣିଦେଇଛନ୍ତି।
ମେନ୍ସ ଡବଲ୍ସ ତୀରନ୍ଦାଜୀ ଇଭେଣ୍ଟରେ ଭାରତୀୟ ଯୋଡ଼ି ହରବିନ୍ଦର ସିଂ ଏବଂ ବିଜୟ ସୁଣ୍ଡି ଚମତ୍କାର ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ଏହି ହାଇ-ଭୋଲଟେଜ୍ ମ୍ୟାଚ୍ରେ ଭାରତୀୟ ଯୋଡ଼ି ଆରମ୍ଭରୁ କଡ଼ା ମୁକାବିଲା କରି ଶକ୍ତିଶାଳୀ ଚୀନ୍ ଦଳକୁ ୫-୧ ସେଟ୍ରେ ଏକତରଫା ଭାବେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି।
ସେହିପରି ବ୍ୟାଡମିଣ୍ଟନରେ ଭାରତର ନୀତେଶ କୁମାର ଜିତିଛନ୍ତି ସ୍ବର୍ଣ୍ଣ ପଦକ। ସେ ଅତ୍ୟନ୍ତ ରୋମାଞ୍ଚକର ଫାଇନାଲ ମ୍ୟାଚ୍ରେ ଓଡ଼ିଶାର ଗର୍ବ ତଥା ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ପରାସ୍ତ କରିଥିଲେ। ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପରାଜୟ ପରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।
ଏହି ଦ୍ୱିଗୁଣିତ ସଫଳତା ପରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି। ଦେଶ ପାଇଁ ଗୌରବ ଆଣିଥିବା ଏହି ସମସ୍ତ ବିଜେତା ଖେଳାଳିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
