ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତ, ଜାପାନକୁ ୪-୧ ଗୋଲରେ କଲା ପରାସ୍ତ
ନନ୍ଦିଘୋଷ ବ୍ୟୁରୋ: ଏସିଆ ମହାଦେଶରେ ପୁଣି ଥରେ ଦେଖିବାକୁ ମିଳିଛି ଭାରତୀୟ ହକିର ଦବ୍ଦବା। ଜାପାନକୁ ଧୂଳି ଚଟାଇ ପୁଣି ଥରେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫିକୁ ନିଜ କବ୍ଜାକୁ ନେଇଛି ଟିମ୍ ଇଣ୍ଡିଆ। ମୋହାଲିଠାରେ ଖେଳାଯାଇଥିବା ମହା ଲଢ଼େଇରେ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୪-୧ ଗୋଲ୍ରେ ପରାସ୍ତ କରି ରେକର୍ଡ ଷଷ୍ଠ ଥର ପାଇଁ ଏହି ସମ୍ମାନଜନକ ଟାଇଟଲ୍ ହାସଲ କରିଛି।
ମ୍ୟାଚ୍ ଆରମ୍ଭରେ ଜାପାନ ଆଗୁଆ ଗୋଲ୍ ଦେଇ ଭାରତକୁ ଚାପରେ ରଖିଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ପ୍ରତ୍ୟାବର୍ତ୍ତନ କରିଥିଲା ବ୍ଲୁ ବ୍ରିଗେଡ୍। ୨୦୨୩ ଓ ୨୦୨୪ ବି ଚାମ୍ପିୟନ ହୋଇଥିଲା ଭାରତ। ଏଥର ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ୭ଟି ଯାକ ମ୍ୟାଚ୍ ଜିତିବାର ଗୌରବ ଲାଭ କରିଛି ଦଳ। ଖେଳର ତୃତୀୟ ମିନିଟ୍ରେ ଜାପାନର କାଜୁମାସା ମାତସୁମୋଟୋ ଏକ ଚମତ୍କାର ଗୋଲ୍ ଦେଇ ନିଜ ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ୪୨ତମ ମିନିଟ୍ରେ ଭାରତକୁ ମିଳିଥିଲା ସଫଳତା। ଅଧିନାୟକ ହରମନପ୍ରୀତ ସିଂହଙ୍କ ଏକ ପେନାଲ୍ଟି କର୍ଣ୍ଣର ଭାରିଏସନକୁ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା ଗୋଲ୍ରେ ପରିଣତ କରି ସ୍କୋର ୧-୧ କରିଥିଲେ। ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଭାରତୀୟ ଆକ୍ରମଣ ସମ୍ମୁଖରେ ଆତ୍ମସମର୍ପଣ କରିଥିଲା ଜାପାନ। ୪୮ତମ ମିନିଟ୍ରେ ଦିଲ୍ପ୍ରୀତ ସିଂହ ଏକ ଦମଦାର ରିଭର୍ସ ହିଟ୍ ଜରିଆରେ ଗୋଲ୍ ଦେଇ ଭାରତକୁ ୨-୧ରେ ଆଗୁଆ କରିଥିଲେ।
ଏତିକିରେ ଭାରତର ଗୋଲ୍ ବର୍ଷା ଅଟକି ନଥିଲା। ୫୩ତମ ମିନିଟ୍ରେ ଯୁଗରାଜ ସିଂହ ଏକ ଶକ୍ତିଶାଳୀ ଡ୍ରାଗ୍-ଫ୍ଲିକ୍ ଜରିଆରେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ବଦଳାଇ ସ୍କୋରକୁ ୩-୧ କରିଦେଇଥିଲେ। ଏହାର ଠିକ୍ ଏକ ମିନିଟ୍ ପରେ ଅର୍ଥାତ୍ ୫୪ତମ ମିନିଟ୍ରେ ଯୁବ ତାରକା ବିବେକ ସାଗର ପ୍ରସାଦ ଚତୁର୍ଥ ଗୋଲ୍ ସ୍କୋର କରି ଭାରତର ୪-୧ ରେ ଐତିହାସିକ ବିଜୟ ସୁନିଶ୍ଚିତ କରିଥିଲେ। ଏହି ମହାବିଜୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
