ଆକାଶରେ ଆତଙ୍କ: ୟୁରୋପରେ ଏକାଧିକ ଯାତ୍ରୀବାହୀ ବିମାନକୁ ବୋମା ଧମକ

Nov 05, 2026 - 19:55
ଆକାଶରେ ଆତଙ୍କ: ୟୁରୋପରେ ଏକାଧିକ ଯାତ୍ରୀବାହୀ ବିମାନକୁ ବୋମା ଧମକ

ନନ୍ଦିଘୋଷ ବ୍ୟୁରୋ : ୟୁରୋପର ଆକାଶରେ ପୁଣି ଥରେ ବୋମା ଆତଙ୍କ ଖେଳିଯାଇଛି। ଗୋଟିଏ ପରେ ଗୋଟିଏ ଯାତ୍ରୀବାହୀ ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିବା ପରେ ବିମାନବନ୍ଦରଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଫ୍ରାନ୍ସ, ବୁଲଗେରିଆ, ବେଲଜିୟମ ଓ ଇଟାଲୀ ସମେତ ଅନେକ ଦେଶରେ ବିମାନର ଗତିପଥ ବଦଳାଯାଇ ଜରୁରୀ ଅବତରଣ କରାଯାଇଛି।

ଆୟର୍ଲାଣ୍ଡର ଡବଲିନରୁ ରୋମ୍ ଯାଉଥିବା ‘ଏର୍ ଲିଙ୍ଗସ’ର EI402 ବିମାନକୁ ଧମକ ମିଳିବା ପରେ ଫ୍ରାନ୍ସର ଏଭ୍ରୋ ସାମରିକ ବିମାନଘାଟିରେ ସୁରକ୍ଷିତ ଅବତରଣ କରାଯାଇଛି। ଏଥିରେ ଥିବା ୧୫୧ ଯାତ୍ରୀ ଓ ୬ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି। ସେହିପରି ଫିନଲ୍ୟାଣ୍ଡରୁ ରୋମ୍ ଯାଉଥିବା ବିମାନକୁ ଇଟାଲୀ ବାୟୁସେନାର ଯୁଦ୍ଧବିମାନ ଏସକର୍ଟ କରି ରୋମ୍‌ରେ ଅବତରଣ କରାଇଛନ୍ତି।

ବୁଲଗେରିଆ ଓ ଚେକ୍ ରିପବ୍ଲିକ୍ ଅଭିମୁଖେ ଯାଉଥିବା ଏକାଧିକ ବିମାନକୁ ମଧ୍ୟ ସମାନ ଧମକ ମିଳିଥିଲା। ତେବେ ବୋମା ନିଷ୍କ୍ରିୟକାରୀ ଦଳ ଓ ପୋଲିସ ପକ୍ଷରୁ କଡ଼ା ଯାଞ୍ଚ ପରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳିନଥିବା ସ୍ପଷ୍ଟ କରାଯାଇଛି।

ତେବେ ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଥର ପାଇଁ ୟୁରୋପରେ ଏଭଳି ବ୍ୟାପକ ବୋମା ଧମକ ଆସିଛି। ଗତ ମଙ୍ଗଳବାର ମଧ୍ୟ ୭ଟି ବିମାନ ଓ ଗୋଟିଏ କ୍ରୁଜ୍ ଜାହାଜକୁ ଧମକ ମିଳିଥିଲା। ସାଇବର ଆକ୍ରମଣ ଓ ହାଇବ୍ରିଡ୍ ୱାରଫେୟାର ଆଶଙ୍କା ମଧ୍ୟରେ ଏହି ଘଟଣା ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି। ଏହି ଧମକ ପଛରେ କେଉଁ ସଂଗଠନ ରହିଛି, ସେ ନେଇ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)