wild elephant attack ବଡ଼ରମାରେ ହାତୀ ଆକ୍ରମଣରେ ମହିଳା ମୃତ
"ଜମନକିରା: ସମ୍ବଲପୁର ଜିଲ୍ଲାର ବାମରା ବନଖଣ୍ଡ ଅନ୍ତର୍ଗତ ବଡ଼ରମା ରେଞ୍ଜର ଓଡ଼ସିଂ ସଂରକ୍ଷିତ ଜଙ୍ଗଲରେ ଶନିବାର ଅପରାହ୍ନରେ ଏକ ଦନ୍ତାହାତୀ ଆକ୍ରମଣରେ ବଡ଼ରମା ଗ୍ରାମର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।Advertisment ସୂଚନା ଅନୁଯାୟୀ, ବଡ଼ରମା ଗ୍ରାମର ନରେନ୍ଦ୍ର ସିଂ (ଡାକ ନାମ ଜଟୁ) ଓ ତାଙ୍କ ସ୍ତ୍ରୀ ମାଲାବତୀ ସିଂ (୫୦) ଶନିବାର ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଆଠଗିରା ନାଳ ନିକଟସ୍ଥ ଜଙ୍ଗଲକୁ ଶାଳପତ୍ର ସଂଗ୍ରହ କରିବା ପାଇଁ ଯାଇଥିଲେ।
ଏହି ସମୟରେ ଜଙ୍ଗଲ ଭିତରେ ଥିବା ଏକ ଦନ୍ତାହାତୀ ହଠାତ୍ ସେମାନଙ୍କ ଉପରେ ଆକ୍ରମଣ କରିଥିଲା।
ହାତୀଟି ମାଲାବତୀଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନା ପାଇ ବଡ଼ରମା ରେଞ୍ଜ ଅଧିକାରୀ ଗିରିଧାରୀ ପଧାନଙ୍କ ନେତୃତ୍ୱରେ ଫରେଷ୍ଟର ଦୁଷ୍ମନ୍ତ ଖର୍ସେଲ ଓ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।
ବନ ବିଭାଗ ପକ୍ଷରୁ ସୂଚନା ପାଇ ଜମନକିରା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଶବ ଓ ପାରିପାର୍ଶ୍ୱିକ ସ୍ଥିତିର ଅନୁଧ୍ୟାନ କରିଥିଲା।
ଜଙ୍ଗଲ ଅଞ୍ଚଳରେ ହାତୀର ଉପସ୍ଥିତି ଓ ଭୟ ଲାଗି ରହିଥିବାରୁ ଶବ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଥିଲା।
ପରେ ବନ ବିଭାଗ ଓ ପୁଲିସର ମିଳିତ ସହଯୋଗରେ ମୃତଦେହକୁ ଜଙ୍ଗଲରୁ ବାହାର କରାଯାଇ ବଡ଼ରମା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିବା ଜଣାପଡ଼ିଛି।
ଏହି ଘଟଣା ପରେ ବଡ଼ରମା ଓ ଆଖପାଖ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ଜଙ୍ଗଲକୁ ଯାଉଥିବା ଲୋକଙ୍କୁ ସତର୍କ ରହିବା ସହ ହାତୀ ଚଳପ୍ରଚଳ ସମ୍ପର୍କରେ ବନ ବିଭାଗର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।
"