MP: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଦିଆଗଲା ଅତ୍ୟଧିକ ଦୂଷିତ ପାଣି, ଅଧିକାରୀଙ୍କୁ ନୋଟିସ
"ଭୋପାଳ: ମଧ୍ୟପ୍ରଦେଶରେ ସରକାରୀ ଅଧିକାରୀଙ୍କ ଦ୍ବାରା ଚରମ ଅବହେଳା ମାମଲା ସାମ୍ନାକୁ ଆସିଛି।
ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ଅନ୍ୟ ଭିଆଇପି ଅତିଥିମାନଙ୍କୁ ଏପ୍ରିଲ ୩୦ ତାରିଖରେ ତାଙ୍କ ଶାଜାପୁର ଜିଲ୍ଲା ଗସ୍ତ ସମୟରେ ଦୂଷିତ ପାଣି ପିଇବାକୁ ଦିଆଯାଇଥିବା ଅଭିଯୋଗ ହେବା ପରେ ଜିଲ୍ଲା ଅବକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପାଣିରୁ ଏକ ତୀବ୍ର ଗନ୍ଧ ଆସୁଥିବା ଅଭିଯୋଗ କରିଥିଲେ।
ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପରୀକ୍ଷା କରାଯାଇଥିଲା।
ଭୋପାଳର ରାଜ୍ୟ ଗବେଷଣା ପରୀକ୍ଷାଗାର ରିପୋର୍ଟରେ ପାଣି ଅନୁମୋଦିତ ସୀମାଠାରୁ ସାତ ଗୁଣ ଅଧିକ ଦୂଷିତ ଥିଲା ବୋଲି ଜଣାପଡ଼ିଛି।
ଉଜ୍ଜୈନ ଡିଭିଜିନାଲ କମିଶନର ଆଶିଷ ସିଂହଙ୍କ ଦ୍ୱାରା ମେ ୧୮ ତାରିଖରେ ଜାରି କରାଯାଇଥିବା ନୋଟିସ ଶୁକ୍ରବାର ସାମ୍ନାକୁ ଆସିଥିଲା।
ପୋଲାୟକଲନର ସେମଲି ଧାମ ଆଶ୍ରମରେ ଖାଦ୍ୟ ଓ ପାଣି ବ୍ୟବସ୍ଥା ପାଇଁ ଦାୟୀ ଅଧିକାରୀଙ୍କୁ ତ୍ରୁଟି ବିଷୟରେ ଜବାବ ଦେବାକୁ କୁହାଯାଇଥିଲା।Advertisment ଆହୁରି ପଢନ୍ତୁ: IND A vs SL A Final: ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କଲା ଭାରତ କମିଶନରଙ୍କ ଚିଠିରେ କୁହାଯାଇଛି, ହେଲିପ୍ୟାଡରେ ମେୟର ଓ ଭିଆଇପିଙ୍କ ପାଇଁ ପାନୀୟ ଜଳ ଓ ଖାଦ୍ୟ ପାଇଁ ଆପଣଙ୍କ ଦ୍ୱାରା କରାଯାଇଥିବା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା।
ଯୋଗାଇ ଦିଆଯାଇଥିବା ପାନୀୟ ଜଳ ନିମ୍ନମାନର ଓ ବ୍ୟବହାର ପାଇଁ ଅନୁପଯୁକ୍ତ ଥିଲା।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଆପତ୍ତି ଉଠିଥିଲା।
ପରୀକ୍ଷା ପରେ ପାଣି ଅତ୍ୟଧିକ ଦୂଷିତ ଥିଲା ବୋଲି ଜଣାପଡ଼ିଛି।
ଚିଠିରେ ଆହୁରି କୁହାଯାଇଛି ଯେ, ଏତାଦୃଶ୍ୟ କାର୍ଯ୍ୟ ମଧ୍ୟପ୍ରଦେଶ ସିଭିଲ ସେବା (ଆଚରଣ) ନିୟମ , ୧୯୬୫ ର ନିୟମ-୩ ଅନୁଯାୟୀ, ଚରମ ଅବହେଳା ଓ ଗ୍ରହଣ ଯୋଗ୍ୟ ନୁହେଁ ଓ ସିଭିଲ୍ ସର୍ଭିସେସ୍ (ବର୍ଗୀକରଣ, ନିୟନ୍ତ୍ରଣ ଓ ଆପିଲ୍) ନିୟମ, ୧୯୬୬ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି।"