Why Are Odisha Police Officers Dying: ପୋଲିସ ବର୍ଦ୍ଦି ପଛରେ ରହିଛି କେଉଁ ଯନ୍ତ୍ରଣା? ୫ ମାସରେ ୪ ମୃତ୍ୟୁ
କାହିଁକି ପୋଲିସ ହାରୁଛି ଜୀବନ ?
ବର୍ଦ୍ଦିର ମର୍ଯ୍ୟାଦା ଓ କର୍ତ୍ତବ୍ୟର ଦାୟିତ୍ବବୋଧ ଭିତରେ କାହିଁକି ମୃତ୍ୟୁକୁ ବାଛି ନେଉଛନ୍ତି ପୋଲିସ ଅଧିକାରୀ ?
ଗଞ୍ଜାମ ପୁରୁଷୋତ୍ତମପୁର ଥାନା କ୍ବାର୍ଟର୍ସ ପରିସରରେ ଲେଡ଼ି SI ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ଡେଡବଡ଼ି ମିଳିବା ପରେ ଏବେ ଏଭଳି ଉଦବେଗ ବଢ଼ିଛି।
ଯେଉଁ ପୋଲିସ ଅଧିକାରୀ ଡ୍ୟୁଟିକୁ ଯିବା ଆଗରୁ ଫେରିଆସିବାର ପ୍ରତିଶ୍ରୁତି ଦେଇଥାନ୍ତି ପରିବାରକୁ, ଯଦି ସେ ଆଉ କେବେ ଫେରି ନଆସନ୍ତି, ତେବେ ସେହି ପରିବାରର ଅବସ୍ଥା କ'ଣ ହେବ ?
ଆପଣ ଦେଖୁଥିବା ଏହି ଦୃଶ୍ୟ ସଂପର୍କରେ ଆଉ ବେଶୀ କିଛି ବୁଝାଇ କହିବାର ଆବଶ୍ୟକ ନାହିଁ।
ବୁଢ଼ୀ ମା' ଆଖିରେ ଲୁହ, ସ୍ତବ୍ଧ ଘର ପରିବାର।
Advertisment ଯେଉଁ ଝିଅ ଦିନେ ବର୍ଦ୍ଦି ପିନ୍ଧିଥିଲା, ଯେଉଁ ଫଟୋ କହୁଥିଲା ସାହସ ଆଉ ଦମ୍ଭର କାହାଣୀ, ଗର୍ବରେ ଫାଟି ପଡୁଥିଲା ଛାତି।
ଆଜି ସେହି ସାହସୀ ଝିଅ ଆଉ ନାହିଁ, କୌଣସି ଏକ ପରିସ୍ଥିତି ଆଗରେ ହାରିଯାଇଛି ପୋଲିସ ବେଟି।
ହରାଇ ଦେଇଛି ଜୀବନ।
ପୋଲିସ ସବ୍ ଇନିସପେକ୍ଟର ପ୍ରଭାସିନୀ ସାହୁ।
ଗଞ୍ଜାମ ପୁରୁଷୋତ୍ତମପୁର ଥାନାରେ ଥିଲେ SI।
କିନ୍ତୁ ଦୁର୍ଭାଗ୍ୟ, ଥାନା କ୍ବାର୍ଟର୍ସ ପରିସରରୁ ହିଁ ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ଡେଡବଡ଼ି।
ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ଗଞ୍ଜାମ ଏସ୍.ପି ହରିଶ ବି.ସି.।
ସାଇଣ୍ଟିଫିକ୍ ଟିମ୍ ବି ଖୋଳତାଡ଼ ଚଳାଇଛି।
ଗଞ୍ଜାମ ଏସପିଙ୍କ କହିବା କଥା, ଶିକ୍ଷକତା ଛାଡ଼ି ନିକଟରେ ପୋଲିସ ଲାଇନକୁ ଆସିଥିଲେ ଯାଜପୁର ମଙ୍ଗଳପୁର ଥାନା ଅଞ୍ଚଳର ପ୍ରଭାସିନୀ।
ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା ପୁରୁଷୋତ୍ତମପୁର ଥାନାରେ।
ଭୁବନେଶ୍ବରରେ ପୋଲିସ ଏକାଡେମୀରୁ ଟ୍ରେନିଂ ସାରି ଗତ ସେପ୍ଟେମ୍ବରରେ ହିଁ ପ୍ରଥମ ପୋଷ୍ଟିଂ ପାଇଥିଲେ।
ଗତ ଏପ୍ରିଲରେ ବିବାହ କରିଥିଲେ ପ୍ରଭାସିନୀ।
ଗତକାଲି ପରିବାର ସହ ବି କଥା ହୋଇଥିଲେ।
କିନ୍ତୁ ହଠାତ୍ କ'ଣ ଘଟିଗଲା କେଜାଣି ଆଜି ଝୁଲନ୍ତା ଅବସ୍ଥାରେ ମିଳିଛି ମୃତଦେହ।
ପରିବାର ଲୋକେ ପହଞ୍ଚିଥିଲେ ଥାନାରେ।
ସେମାନଙ୍କ ଆଶଙ୍କା, ପ୍ରଭାସିନୀ ଜୀବନ ହାରିନାହାଁନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି, ସଠିକ ତଦନ୍ତ ହେବା ଉଚିତ।
ଅପରପକ୍ଷେ ଗଂଜାମ ଏସପି କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜୀବନ ହାରିବା ପରି ଲାଗୁଛି।
ପ୍ରଭାସିନୀ କେବେ କୌଣସି କିଛି ଅସୁବିଧା ନେଇ ମୋତେ ଜଣାଇ ନାହାନ୍ତି।
ଉଭୟ ଶାଶୁଘର ଏବଂ ବାପ ଘରକୁ ଜଣାଇ ଦିଆଯାଇଛି।
ତଦନ୍ତ ସରିଲେ ସବୁ ସ୍ପଷ୍ଟ ହେବ।
Advertisment ତଥ୍ୟ କହୁଛି, ପ୍ରଭାସିନୀଙ୍କୁ ମିଶାଇ ଗତ ୫ ମାସରେ ହିଁ ଅତି ରହସ୍ୟଜନକ ଭାବେ ପ୍ରାଣ ହରାଇଲେଣି ଚାରି ଚାରି ଜଣ ପୋଲିସ ଅଧିକାରୀ।
ତା'ମଧ୍ୟରେ ରହିଛନ୍ତି ୨ ଜଣ ଲେଡି ଅଫିସର।
ଜୁଲାଇ ୪।
କଟକ ଚାଉଳିଆଗଞ୍ଜ ଥାନା IIC ବ୍ୟୁଟି ମହାନ୍ତି।
ଥାନା ଭିତରେ ରେଷ୍ଟ ରୁମରୁ ମିଳିଥିଲା ମୃତଦେହ।
ଅକଟୋବର ୨୪, କଟକରେ ରେଳ ଧାରଣାରୁ ମିଳିିଲା ASI ଜିତେନ୍ଦ୍ର ସାମନ୍ତରାୟଙ୍କ ମରଶରୀର।
ନଭେମ୍ବର ୭, ଅମ୍ବାଦୋଳା ପୋଲିସ SI ଅଶୋକ ପ୍ରଧାନଙ୍କ ମୃତଦେହ ମିଳିଥିଲା ଥାନା ପରିସର କ୍ୱାର୍ଟର୍ସରୁ।
ତେବେ ୟୁନିଫର୍ମ ପଛରେ କାହିଁକି ଏଭଳି ଅଘଟଣ ?
କର୍ମକ୍ଷେତ୍ରରେ ଚାପ ନା ବ୍ୟକ୍ତିଗତ କିମ୍ବା ପାରିବାରିକ ଜୀବନରେ ବିବାଦ ?
ଧନ ଜୀବନର ସୁରକ୍ଷା ପାଇଁ ପଣ କରିଥିବା ପୋଲିସ ଅଧିକାରୀଙ୍କ ଅଭାବନୀୟ ମୃତ୍ୟୁ ପଛରେ ରହସ୍ୟ କ'ଣ ?
ଜୀବନ ହାରିବା ଏବଂ ହରାଇବା ପଛରେ କାରଣ ଯାହା ବି ଥାଉ, ବ୍ୟକ୍ତିଗତ, ସାମାଜିକ ଏବଂ ବୃତ୍ତିଗତ ଭାବେ ସମାଧାନ ହେବା ଆବଶ୍ୟକ।
ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ଜୀବନର ମୂଲ୍ୟକୁ ବି ବୁଝିବା ଜରୁରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
