Venezuela: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ: ୧୬୪ ମୃତ, ୯୭୧ ଆହତ
"କାରାକାସ୍: ଭେନେଜୁଏଲାରେ ବୁଧବାର ସନ୍ଧ୍ୟାରେ ଦୁଇଟି ଶକ୍ତିଶାଳୀ ଏବଂ ବିନାଶକାରୀ ଭୂକମ୍ପ ଯୋଗୁଁ ବ୍ୟାପକ ଧନଜୀବନ ହାନି ହୋଇଛି।
କାର୍ଯ୍ୟକାରୀ ରାଷ୍ଟ୍ରପତି ଦେଲସି ରୋଡ୍ରିଗେଜ୍ ଗୁରୁବାର ଦିନ ସୂଚନା ଦେଇଛନ୍ତି ଯେ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୧୬୪ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୯୭୧ ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ଧ୍ୱଂସାବଶେଷ ତଳୁ ୩ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ରହିଛି।
ପୂର୍ବରୁ ମୃତ୍ୟୁ ସଂଖ୍ୟା ୩୨ ବୋଲି କୁହାଯାଇଥିଲେ ହେଁ ଧ୍ୱଂସାବଶେଷ ତଳୁ କ୍ରମାଗତ ଭାବେ ଶବ ଉଦ୍ଧାର କରାଯାଉଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି।
ଗତ ଏକ ଶତାବ୍ଦୀ ମଧ୍ୟରେ ଏହା ଦେଶର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ବେଳେ ଏହାର ତୀବ୍ରତା ପଡ଼ୋଶୀ ବ୍ରାଜିଲ୍ ଓ କଲୋମ୍ବିଆରେ ମଧ୍ୟ ଅନୁଭୂତ ହୋଇଛି।Advertisment ଦିନ ଦିପହରରେ ଗର୍ଜିଲା ଦୁର୍ବୃତ୍ତଙ୍କ ବନ୍ଧୁକ, ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ରିକ୍ଟର ସ୍କେଲରେ ଏହି ଦୁଇଟି ଭୂକମ୍ପର ତୀବ୍ରତା ୭.୨ ଏବଂ ୭.୫ ରେକର୍ଡ କରାଯାଇଛି।
କାର୍ଯ୍ୟକାରୀ ରାଷ୍ଟ୍ରପତି ରୋଡ୍ରିଗେଜ୍ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ତୁରନ୍ତ ଡାକ୍ତରଖାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉପକୂଳବର୍ତ୍ତୀ "ଲା ଗ୍ୱାଇରା" ରାଜ୍ୟକୁ ବିପର୍ଯ୍ୟୟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି, ଯେଉଁଠାରେ ଡଜନରୁ ଅଧିକ ବହୁତଳ ପ୍ରାସାଦ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି ଏବଂ ସେଠାରେ ସେନା ଓ ବିପର୍ଯ୍ୟୟ ପ୍ରଶମନ ଦଳ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଭୂକମ୍ପର ପ୍ରଭାବ ଯୋଗୁଁ ରାଜଧାନୀ କାରାକାସ୍ ସମେତ ଅନେକ ପ୍ରମୁଖ ସହରରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି ଏବଂ ମୋବାଇଲ୍ ନେଟୱର୍କ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।
ସୁରକ୍ଷା ଦୃଷ୍ଟିରୁ ମେଟ୍ରୋ ରେଳ ସେବା ଓ ଗ୍ୟାସ୍ ଯୋଗାଣ ବନ୍ଦ କରିଦିଆଯାଇଛି।
ଦେଶର ମୁଖ୍ୟ ବିମାନବନ୍ଦର ''ସାଇମନ ବୋଲିଭାର୍ ଆନ୍ତର୍ଜାତୀୟ ଏୟାରପୋର୍ଟ'' ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବାରୁ ଉଡ଼ାଣ ସେବା ବାତିଲ୍ କରାଯାଇଛି।
ପରବର୍ତ୍ତୀ ଭୂକମ୍ପ ଝଟକା ଆଶଙ୍କାରେ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଦିଓସଡାଡୋ କାବେଲୋ ଜନସାଧାରଣଙ୍କୁ ଘର ଭିତରକୁ ନଯାଇ ଖୋଲା ସ୍ଥାନ, ପାର୍କ ଓ ଗାଡ଼ି ମଧ୍ୟରେ ରାତି ବିତାଇବାକୁ ପରାମର୍ଶ ଦେଇଛନ୍ତି।
ସ୍କୁଲ ଓ କଲେଜଗୁଡ଼ିକୁ କିଛି ଦିନ ପାଇଁ ବନ୍ଦ ରଖାଯାଇ ଆଶ୍ରୟସ୍ଥଳୀରେ ପରିଣତ କରାଯାଇଛି।
"