Protest: ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ‘ମିସନ ସ୍ୱାଭିମାନ’ ଆନ୍ଦୋଳନ ତୀବ୍ର
"ଭଦ୍ରକ: ରାଜ୍ୟର ୩୦ଟି ଜିଲ୍ଲା ଓ ୩୧୭ଟି ତହସିଲରେ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ ସାଜିଥିବା ରାଜସ୍ୱ କ୍ଷେତ୍ର କର୍ମଚାରୀ ଏବଂ ରାଜସ୍ୱ ନିରୀକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି।
ଅମାନୁଷିକ କାର୍ଯ୍ୟଭାର, ଭିତ୍ତିଭୂମିର ଅଭାବ, ବର୍ଷ ବର୍ଷ ଧରି ପଡ଼ି ରହିଥିବା ଦାବିର ସମାଧାନ ନ ହେବା ଓ କର୍ମଚାରୀ ସଂଖ୍ୟାର ଘାଟତି ପ୍ରତିବାଦରେ ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ "ମିସନ ସ୍ୱାଭିମାନ" ନାମରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରାଯାଇଛି।Advertisment ଭଦ୍ରକ ଜିଲ୍ଲା ସଂଘ ସଭାପତି ଧନେଶ୍ୱର ମାରାଣ୍ଡିଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ୭ଟି ତହସିଲର କ୍ଷେତ୍ର କର୍ମଚାରୀ, ରାଜସ୍ୱ ନିରୀକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀମାନେ ନିଜ ନିଜ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିବାବେଳେ ଜିଲ୍ଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟରେ ଜୁନ ୨୨ ତାରିଖରୁ କର୍ମଚାରୀମାନେ କଳା ବ୍ୟାଚ୍ ପରିଧାନ କରୁଥିବାବେଳେ ଆଜିଠାରୁ ସମସ୍ତ ସରକାରୀ ହ୍ୱାଟ୍ସଆପ୍ ଗ୍ରୁପ୍ ଛାଡ଼ି ଦେଇଛନ୍ତି।
ଆସନ୍ତା ୩୦ ଜୁନରୁ ଅନଲାଇନ୍ କାର୍ଯ୍ୟ ବନ୍ଦ ଏବଂ ଦାବି ପୂରଣ ନ ହେଲେ ଜୁଲାଇ ୧ରୁ ସମୂହ ଛୁଟି ଓ ଗଣଇସ୍ତଫା ଦେବାକୁ ସଂଘ ଚେତାବନୀ ଦେଇଛି।
ସଂଘର ଅଭିଯୋଗ ଅନୁଯାୟୀ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୯,୯୧୦ଟି ପଦବି ମଧ୍ୟରୁ ୪,୫୬୬ଟି ପଦବୀ ଖାଲି ପଡ଼ିଥିବାରୁ ମାତ୍ର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପ୍ରାୟ ୨୦୦ ପ୍ରତିଶତ କାର୍ଯ୍ୟ ସମ୍ପାଦନ କରାଯାଉଛି।
ଗ୍ରୁପ୍-ଡି କର୍ମଚାରୀ ଅଭାବରୁ ଆର.ଆଇ.
ଓ ଏ.ଆର୍.ଆଇ.ମାନେ ଅଫିସ୍ ପରିଚାଳନା, ନୋଟିସ୍ ବଣ୍ଟନ, ବିଦ୍ୟୁତ୍ ବିଲ୍ ପୈଠ ଭଳି କାମ ନିଜ ଖର୍ଚ୍ଚରେ କରିବାକୁ ବାଧ୍ୟ ହେଉଛନ୍ତି।
ଏହାସହ ଲାପଟପ୍, ପ୍ରିଣ୍ଟର, ଇଣ୍ଟରନେଟ୍ ଓ ଅନ୍ୟାନ୍ୟ ମୌଳିକ ସୁବିଧା ନଥିବା ସତ୍ତ୍ୱେ ମ୍ୟୁଟେସନ୍, ପ୍ରମାଣପତ୍ର ଓ ଇ-ପାଉତି ଭଳି ଗୁରୁତ୍ୱପୂର୍ଣ୍ଣ ଅନଲାଇନ୍ ସେବା ନିଜସ୍ୱ ସମ୍ବଳରେ ପ୍ରଦାନ କରାଯାଉଛି।
ବାକି ରହିଥିବା ଯାତ୍ରା ଭତ୍ତା ଓ ମୋବାଇଲ୍ ଭତ୍ତା ମଧ୍ୟ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନଥିବା ସଂଘ ଦାବି କରିଛି।
ଜୁନ ୪ରୁ ରାଜସ୍ବ ବିଭାଗର ସମ୍ମିଳନୀ: ଯୋଗଦେବେ ବିଭାଗୀୟ ଅଧିକାରୀ ସଂଘ ଆହୁରି କହିଛି ଯେ, ରାଜସ୍ୱ କାର୍ଯ୍ୟ ବ୍ୟତୀତ ସୁଭଦ୍ରା ଯୋଜନା, ଧାନ ସଂଗ୍ରହ, ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ଯାଞ୍ଚ ଏବଂ ଅନ୍ୟାନ୍ୟ ଅଣ-ରାଜସ୍ୱ କାର୍ଯ୍ୟରେ ନିୟୋଜିତ ହେବା ଫଳରେ କର୍ମଚାରୀମାନେ ଦୈନିକ ୧୨ରୁ ୧୮ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ବାଧ୍ୟ ହେଉଛନ୍ତି।
ଏହା ସେମାନଙ୍କ ପାରିବାରିକ ଜୀବନ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଥିବା ସଂଘ ଅଭିଯୋଗ କରିଛି।
ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଆନ୍ଦୋଳନ ସରକାର କିମ୍ବା ଜନସାଧାରଣଙ୍କ ବିରୋଧରେ ନୁହେଁ; ବରଂ ରାଜସ୍ୱ ପ୍ରଶାସନକୁ ଅଧିକ ସୁଦୃଢ଼, ଦକ୍ଷ ଓ ଜନମୁଖୀ କରିବା ଉଦ୍ଦେଶ୍ୟରେ କରାଯାଉଛି।
ପର୍ଯ୍ୟାପ୍ତ କର୍ମଚାରୀ, ଭିତ୍ତିଭୂମି ଓ ଆବଶ୍ୟକ ସୁବିଧା ଉପଲବ୍ଧ ହେଲେ ଜନସାଧାରଣଙ୍କୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ ରାଜସ୍ୱ ସେବା ପ୍ରଦାନ ସମ୍ଭବ ହେବ ବୋଲି ସଂଘ ମତ ପ୍ରକାଶ କରିଛି।
ମୁଖ୍ୟ ଦାବି ମଧ୍ୟରେ କଲମ-୨ କାର୍ଯ୍ୟକ୍ରମରୁ ବାଧ୍ୟତାମୂଳକ ଟାର୍ଗେଟ୍ ହଟାଇବା, ଅତିରିକ୍ତ କର୍ମଚାରୀ ନିଯୁକ୍ତି, ଅଣ-ରାଜସ୍ୱ କାର୍ଯ୍ୟ ବନ୍ଦ, ସମସ୍ତ ଆର.ଆଇ.
କାର୍ଯ୍ୟାଳୟକୁ ଆବଶ୍ୟକ ଡିଜିଟାଲ୍ ଭିତ୍ତିଭୂମି ଯୋଗାଇବା, ବକେୟା ଭତ୍ତା ପ୍ରଦାନ, ରବିବାର ଓ ସରକାରୀ ଛୁଟିଦିନରେ କାର୍ଯ୍ୟଭାର ବନ୍ଦ କରିବା, କ୍ୟାଡର ପୁନର୍ଗଠନ ଏବଂ ସମସ୍ତ ଖାଲି ପଦବୀ ପୂରଣ ଆଦି ରହିଛି।
ସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ନିକଟରେ ସକାରାତ୍ମକ ହସ୍ତକ୍ଷେପ ଓ ଆଲୋଚନା ମାଧ୍ୟମରେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅନୁରୋଧ କରିଛି। "ମିସନ ସ୍ୱାଭିମାନ" କେବଳ କର୍ମଚାରୀଙ୍କ ଅଧିକାର ପାଇଁ ନୁହେଁ, ବରଂ ଓଡ଼ିଶାର ରାଜସ୍ୱ ପ୍ରଶାସନକୁ ଅଧିକ ସଶକ୍ତ ଓ ଜନମୁଖୀ କରିବା ପାଇଁ ଏକ ଗଣତାନ୍ତ୍ରିକ ପ୍ରୟାସ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ ସଂଘର ଉପସଭାପତି ଜ୍ୟୋତିରଞ୍ଜନ ପଣ୍ଡା, ଜିଲ୍ଲା ସଂଘ ସଭାପତି ଧନେଶ୍ୱର ମାରାଣ୍ଡି, ସମ୍ପାଦକ ଶରତ ମହାନ୍ତିଙ୍କ ସମେତ ବହୁ ଆର.ଆଇ., ଏ.ଆର୍.ଆଇ.
ଏବଂ କ୍ଷେତ୍ର କର୍ମଚାରୀ ଉପସ୍ଥିତ ଥିଲେ।
"