Trinath's suicide: ସନ୍ଦେହ ଘେରରେ ତ୍ରିନାଥଙ୍କ ଆତ୍ମହତ୍ୟା: ରେଳଧାରଣାରୁ ମିଳିଲା ଖଣ୍ଡିତ ଶବ, ସୁଇସାଇଡାଲ୍ ନୋଟ୍ ଜବତ

Jun 24, 2026 - 06:28
Trinath's suicide: ସନ୍ଦେହ ଘେରରେ ତ୍ରିନାଥଙ୍କ ଆତ୍ମହତ୍ୟା: ରେଳଧାରଣାରୁ ମିଳିଲା ଖଣ୍ଡିତ ଶବ, ସୁଇସାଇଡାଲ୍  ନୋଟ୍ ଜବତ

"ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଞ୍ଚଲ୍ୟ।

ମଙ୍ଗଳବାର ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଳ (୫୭)ଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଳଧାରଣାରୁ ଉଦ୍ଧାର ହୋଇଛି।

ରାଜନୀତିରୁ ଆରମ୍ଭ କରି ଓକିଲାତି ଓ ସମାଜସେବା ଯାଏଁ ପ୍ରତିଟି କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ  ସୃଷ୍ଟି କରିଥିବା ତ୍ରିନାଥଙ୍କ ଭଳି ଜଣେ ଲୋକପ୍ରିୟ ବ୍ୟକ୍ତିଙ୍କ ଏଭଳି ଆକସ୍ମିକ ନିଧନକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି।

ଘଟଣାସ୍ଥଳରୁ ଏକ ସୁଇସାଇଡାଲ୍ ନୋଟ୍‌ ଜବତ ହୋଇଛି। "ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି, ମୁଁ ନିଜେ ଦାୟୀ" ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ତଥାପି ଏହା ହତ୍ୟା ନା ଆତ୍ମହତ୍ୟା, ତା"କୁ ନେଇ ରହସ୍ୟ ଘନେଇବାରେ ଲାଗିଛି।

ହତ୍ୟା ସନ୍ଦେହରେ ପରିବାର ଲୋକେ ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।Advertisment Neglect: କନ୍ଧମାଳର ଦୁର୍ଗମ ଗାଁରେ ପଡ଼ିଲା ବିଧାୟକଙ୍କ ପାଦ; ବଦଳିବ ଭାଗ୍ୟ?

ମଙ୍ଗଳବାର ସହର ଉପକଣ୍ଠ ବାଲିଯୋରି ନିକଟସ୍ଥ ରେଳ ଧାରଣାରୁ ଶ୍ରୀ ଗୁଆଳଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ କରିଥିଲା ରେଳବାଇ ପୁଲିସ।

ତାଙ୍କର ଉଭୟ ଗୋଡ଼ ଜଙ୍ଘରୁ ସଂପୂର୍ଣ୍ଣ ଭାବେ କଟି ଦୁଇଖଣ୍ଡ ହୋଇ ଯାଇଥିଲା।

ନିକଟରେ ଥିବା ଏକ କଂକ୍ରିଟ୍ ସ୍ଲାବ୍ ଉପରେ ଏକ ହାତଲେଖା କାଗଜ ରହିଥିବା ବେଳେ ସେଥିରେ ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି, ମୁଁ ନିଜେ ଦାୟୀ ବୋଲି ଲେଖା ରହିବା ସହିତ ତଳେ ତାଙ୍କ ସ୍ବାକ୍ଷର ଏବଂ ତାଙ୍କ ଗାଁ ଠିକଣା ଉଲ୍ଲେଖ ରହିଛି।

ଉକ୍ତ କାଗଜ ଉପରେ ତାଙ୍କର ସ୍ମାର୍ଟ ଫୋନ୍ ରଖାଯାଇଥିବା ଦେଖିବାକୁ ମିଳିଛି।

ସେହିପରି ଉକ୍ତ କଂକ୍ରିଟ ସ୍ଲାବ୍ ତଳେ ତାଙ୍କ ଟି ସାର୍ଟ ମଧ୍ୟ ରହିଥିଲା।

ପୁଲିସ ସୁଇସାଇଡ୍ ନୋଟ୍ ଓ ମୋବାଇଲ୍‌କୁ ଜବତ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଯାଞ୍ଚ ଚଳାଇଛି।

ଘଟଣାସ୍ଥଳରେ ଜିଆର୍‌ପି, ଆର୍‌ପିଏଫ୍ ସମେତ ଜିଲ୍ଲା ପୁଲିସ ଟିମ୍ ତଦନ୍ତ କରିଛି।

ଏସ୍‌ପି ଜିଆର୍ ରାଘବେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।

ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ସେ ସନ୍ଦେହ କରୁଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ସକାଳ ପ୍ରାୟ ୫ଟା ୩୫ ମିନିଟ୍‌ରେ କୋରାପୁଟ-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍‌ (ଟ୍ରେନ୍ ନମ୍ବର ୧୮୧୦୮) ଯାଉଥିବାବେଳେ ଜଣେ ବ୍ୟକ୍ତି ହଠାତ୍ ଟ୍ରେନ୍ ସାମନାକୁ ଆସିଯାଇଥିଲେ ବୋଲି ସମ୍ପୃକ୍ତ ଟ୍ରେନ୍‌ର ଲୋକୋ ପାଇଲଟ୍ ନିଜେ ସାକ୍ଷ୍ୟ ଦେଇଛନ୍ତି ଏବଂ ଏକ ମେମୋ ମଧ୍ୟ ଲେଖିଛନ୍ତି।

ଏହାଛଡ଼ା ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ ହୋଇଛି।

ଘଟଣାସ୍ଥଳରୁ ମିଳିଥିବା ହାତଲେଖା ସୁଇସାଇଡ୍‌ ନୋଟ୍‌ର ସତ୍ୟତା ଜାଣିବା ପାଇଁ ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟ ଓ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନିଆଯାଉଛି।

ପରିବାର ଲୋକଙ୍କ ଦ୍ୱାରା ଅଣାଯାଇଥିବା ସମସ୍ତ ଅଭିଯୋଗ ଓ ଜମି ବିବାଦର ଦିଗକୁ ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ କରିବ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଓ ସମୟ ସ୍ପଷ୍ଟ ହେବ ଏବଂ ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଘବେନ୍ଦ୍ର କହିଛନ୍ତି।

Sakhi: ୧୦ ମହିଳା ଉଦ୍ୟୋଗୀଙ୍କୁ ୫ ଲକ୍ଷ ଲେଖାଏଁ ଅନୁଦାନ ମିଳିବ ପରିବାର ଲୋକ କିନ୍ତୁ ତ୍ରିନାଥଙ୍କ ଆତ୍ମହତ୍ୟାକୁ ସ୍ବୀକାର କରି ପାରୁନାହାନ୍ତି।

ତାଙ୍କ ପୁତୁରା ଯଦୁମଣି ଗୁଆଳ ଆଜି ଘଟଣାସ୍ଥଳରେ ଗଣମାଧ୍ୟମକୁ ଚାଞ୍ଚଲ୍ୟକର ବୟାନ ଦେଇ ଆତ୍ମହତ୍ୟା କଥା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। "ମୋ କକା ମାନସିକ ସ୍ତରରେ ଅତ୍ୟନ୍ତ ଦୃଢ଼ ଥିଲେ।

ସେ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ଆମର ଦୃଢ଼ ବିଶ୍ୱାସ।

ଦୁଇ-ତିନି ଦିନ ପୂର୍ବରୁ ଆମର ଏକ ଜମିବାଡ଼ି ମାମଲାକୁ ନେଇ କଥାବାର୍ତ୍ତା ହୋଇଥିଲା, ଯେଉଁଥିରେ ଅନ୍ୟ ପକ୍ଷକୁ ନୋଟିସ୍ ଯାଇଥିଲା।

ମୋତେ ସନ୍ଦେହ ଲାଗୁଛି ଯେ ସେହି ଜମି ବିବାଦ କାରଣରୁ ହିଁ କେହି ଜବରଦସ୍ତ ତାଙ୍କୁ ଏଠାକୁ ଆଣି ହତ୍ୟା କରିଛନ୍ତି କିମ୍ବା ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି।

ସେ ପ୍ରତିଦିନ ସକାଳେ କେବଳ ଇକୋ ପାର୍କକୁ ମର୍ଣ୍ଣିଂ ୱାକ୍ ପାଇଁ ଯାଆନ୍ତି, ଏହି ରେଳ ଲାଇନ୍ ଆଡ଼କୁ କେବେ ଆସନ୍ତି ନାହିଁ।

ଏହାର ନିରପେକ୍ଷ ତଦନ୍ତ ହେବା ଦରକାର" ବୋଲି କହିଛନ୍ତି ଯଦୁମଣି।

ବାର୍ ଆସୋସିଏସନ୍ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି।

ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘର ସଭାପତି ରଘୁମଣି ପଟେଲ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ସତ୍ୟ ସାମନାକୁ ଆଣିବାକୁ ଦାବି କରିଛନ୍ତି।

ସେ କହିଛନ୍ତି, ତ୍ରିନାଥ ଗୁଆଳ ଓକିଲ ସଂଘର ପୂର୍ବତନ ସଭାପତି ତଥା ସମାଜର ଜଣେ ପ୍ରତିଷ୍ଠିତ ଏବଂ ନେତୃସ୍ଥାନୀୟ ବ୍ୟକ୍ତି ଥିଲେ।

ସେ ସଦାସର୍ବଦା ଲୋକଙ୍କ ସେବାରେ ନିୟୋଜିତ ରହୁଥିଲେ।

ଯଦିଓ ସେ ବିବାହ କରିନଥିଲେ, ତଥାପି ସମଗ୍ର ଜୀବନକୁ ସେ ସମାଜସେବାରେ ଉତ୍ସର୍ଗ କରିଥିଲେ।

ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଯେଉଁ ଆଘାତ ଚିହ୍ନ ରହିଛି ଏବଂ ତାଙ୍କ ଘରଠାରୁ ପ୍ରାୟ ୭-୮ କିଲୋମିଟର ଦୂର ଏହି ରେଳ ଟ୍ରାକ୍‌କୁ ସେ କେମିତି ଓ କାହିଁକି ଆସିଲେ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ପୁଲିସର ପୂର୍ଣ୍ଣାଙ୍ଗ ତଦନ୍ତ ଏବଂ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ସତ୍ୟ ସାମନାକୁ ଆସିବ ବୋଲି ସେ ପ୍ରକାଶ କରିଛନ୍ତି।

ଜିଲ୍ଲା ଓକିଲ ସଂଘର ତିନିଥର ସଭାପତି ଥିବା ତ୍ରିନାଥ ଗୁଆଳ ଆଜୀବନ ଅବିବାହିତ ରହି ସମାଜସେବାରେ ନିଜକୁ ନିୟୋଜିତ ରଖିଥିଲେ।

ଦିବଂଗତ ନେତା ତଥା ବାଚସ୍ପତି କିଶୋର ମହାନ୍ତିଙ୍କ ଏକାନ୍ତ ଅନୁଗତ ରହି ଆସିଥିବା ତ୍ରିନାଥ ବାବୁଙ୍କ ବିୟୋଗରେ ସାରା ଝାରସୁଗୁଡ଼ା ସ୍ତବ୍ଧ ହୋଇଯାଇଛି।"