Traffic Advisory for Rath Yatra: ୩ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା, ୨୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା
ରଥଯାତ୍ରାରେ ପୁରୀ ଆସୁଛନ୍ତି କି ? କେଉଁ ରୁଟ୍ ରେ ଆସିବେ, କେଉଁଠି କରିବେ ଗାଡ଼ି ପାର୍କିଂ ? ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ବସ୍ ମାଳତୀ ପାଟପୁର ବସଷ୍ଟାଣ୍ଡରେ ରହଣି କରିବେ। ସେଠାରୁ ବଡ଼ଦାଣ୍ଡକୁ ଯିବା ପାଇଁ ସଟଲ୍ ସର୍ଭିସ୍ ବ୍ୟବସ୍ଥା କରାଯାଇଛି। ବ୍ରହ୍ମଗିରି ପଟୁ ଆସୁଥିଲେ ସମଙ୍ଗ ପାର୍କିଂ ଓ କୋଣାର୍କ ପଟୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଯାତ୍ରୀବାହୀ ବସ୍ ତାଳବଣିଆ ଓ ନାଗା ପାଟଣା ପାର୍କିଂରେ ଗାଡ଼ି ରଖିବେ। ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ନିୟମିତ ଯାତ୍ରୀବାହୀ ବସ୍ ମାଳତୀପାଟପୁର ବ୍ରିଜ୍, ଗ୍ରୀଡ୍ ଷ୍ଟେସନ ଛକ ଦେଇ ତାଳବଣିଆ ବସ୍ ରହଣିସ୍ଥଳ ପର୍ଯ୍ୟନ୍ତ ଯିବେ।
ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ହାଲୁକା ମୋଟର ଯାନ ମାଳତୀ ପାଟପୁର ବ୍ରିଜ, ଗ୍ରୀଡ୍ ଷ୍ଟେସନ ଛକ ଦେଇ ତାଳବଣିଆ ପଟେ ନିର୍ଦ୍ଧାରିତ ସ୍ଥାନ ପର୍ଯ୍ୟନ୍ତ ଯିବେ। ଫେରିବା ବେଳେ PKRIT ଛକ, କେନ୍ଦ୍ରୀୟ ବିଦ୍ୟାଳୟ, ସମଙ୍ଗରା ଦେଇ ବାଟଗାଁ ଛକଠାରୁ ଭୁବନେଶ୍ୱର ପାଇଁ ପ୍ରସ୍ଥାନ କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଲାଇଟ୍ ଭେହିକିଲ୍ ମଙ୍ଗଳାଘାଟ ଛକଠାରୁ ଷ୍ଟର୍ଲିଂ ଛକ ପର୍ଯ୍ୟନ୍ତ ଯିବେ। ଅନ୍ୟପକ୍ଷରେ କୋଣାର୍କ ପଟୁ ଆସୁଥିବା ସମସ୍ତ ହାଲୁକା ଗାଡ଼ି ତାଳବଣିଆ ପଟେ ନିର୍ଦ୍ଧାରିତ ରହଣିସ୍ଥଳ ପର୍ଯ୍ୟନ୍ତ ଯାଇ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ିଗୁଡ଼ିକୁ ରଖିବେ। ସେହିପରି ଭୁବନେଶ୍ୱର ଓ ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ମଙ୍ଗଳାଘାଟ ଛକଠାରୁ ମଶାଣୀ ଚଣ୍ଡୀ ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭଠାରେ ନିଜ ନିଜର ଗାଡ଼ି ରଖିବେ। ଟ୍ରାଫିକ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ସହର ଭିତରେ ୪ଟି ଜୋନ୍ ଓ ୮ଟି ସେକ୍ଟର ଏବଂ ସହର ବାହାରେ ୫ଟି ଜୋନ୍ ସହ ୧୧ଟି ସେକ୍ଟର କରାଯାଇଛି। ମୋଟ୍ ୨୭ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା ହୋଇଛି।
ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଓ ବିଗତ କିଛି ବର୍ଷର ଟ୍ରାଫିକ୍ ଭିଡ଼ ଅନୁଭୂତିକୁ ଆଖି ଆଗରେ ଏଥର ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀରେ ପାର୍କିଂ ଫୁଲ୍ ହୋଇଗଲେ ଭୁବନେଶ୍ବର ନିକଟରେ ଗାଡ଼ିଗୁଡ଼ିକୁ କଣ୍ଟ୍ରୋଲ୍ କରାଯିବ। ଭୁବନେଶ୍ବର ପଟୁ ପୁରୀ ଯାଉଥିବା ଯାନଗୁଡ଼ିକୁ ଉତ୍ତରା ଛକ ଓ କଟକ ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ଲିଙ୍ଗିପୁରଠାରେ କିଛି ସମୟ ପାଇଁ ଅଟକାବାକୁ ଯୋଜନା ରହିଛି। ସ୍ଥିତି ସ୍ବାଭାବିକ ହେବାପରେ ପୁଣି ଗାଡ଼ିଗୁଡ଼ିକୁ ପୁରୀ ଛଡ଼ାଯିବ। ଯାତ୍ରୀମାନଙ୍କ ସୂଚନା ଲାଗି ବଲ୍କ SMS ମଧ୍ୟ ପଠାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ଗତ କିଛି ବର୍ଷ ହେଲା ଭୁବନେଶ୍ବର-କଟକରୁ ବିଳମ୍ବିତ ରାତିରେ ବହୁ ସଂଖ୍ୟାରେ ଭକ୍ତ ପୁରୀ ଯାଉଥିବାରୁ ସବୁବେଳେ କେହି ନା କେହି ବରିଷ୍ଠ ଅଧିକାରୀ ଇନସାଇଡ୍, ଆଉଟ୍ ସାଇଡ୍ ଟ୍ରାଫିକ୍ ଓ କଣ୍ଟ୍ରୋଲ୍ ରୁମ୍ ଦାୟିତ୍ବରେ ରହିବେ।
ଟ୍ରାଫିକ୍ ସୁପରିଚାଳନା ପାଇଁ ଦାୟିତ୍ବରେ ରହିବେ ୭ ଜଣ କମାଣ୍ଡାଣ୍ଟ ବା ଏସପି ରାଙ୍କର ଅଫିସର। ତାଳବଣିଆ, ସମଙ୍ଗ, ମାଳତୀପାଟପୁର ପାର୍କିଂଠାରୁ ଶ୍ରଦ୍ଧାଳୁଙ୍କୁ ମାଗଣା ଅଟୋ ସେବା ପ୍ରଦାନ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।