Protests Against ISKCON Intensify: ବିଧର୍ମୀ ଇସ୍କନକୁ ଆଉ ତ୍ରାହି ନାହିଁ, ଓଡ଼ିଆଙ୍କ ମଉଡ଼ମଣି ଜଗା ପାଇଁ ଜାଗିଉଠିଲେଣି ଜନତା
ବିଧର୍ମୀ ଇସ୍କନକୁ ଆଉ ତ୍ରାହି ନାହିଁ...କୋଟି ଓଡ଼ିଆଙ୍କ ମଉଡ଼ମଣି ଜଗା ପାଇଁ ଜାଗିଉଠିଲେଣି ଜନତା...ହାତରେ ପ୍ଲାକାର୍ଡ...ମୁହଁରେ ଇସ୍କନ ବିରୋଧୀ ନାରା...ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଧଜ୍ଜିଆ ଉଡ଼ାଉଥିବା ଇସ୍କନ ବିରୋଧରେ ଗର୍ଜିଲେଣି ସମସ୍ତେ। କାଲି ଭୁବନେଶ୍ବର ଇସ୍କନ ମନ୍ଦିର ସମ୍ମୁଖରେ ନୀଳଚକ୍ର ସଂଗଠନ ଏବଂ ଆଜି ୱି-ଫର୍ ଭୁବନେଶ୍ବର ଆନ୍ଦୋଳନ କରିଛି। ଜଗନ୍ନାଥ ସଂସ୍କୃତି ସୁରକ୍ଷା ମଞ୍ଚ ବି ବିଦ୍ରୋହ ଭିତରେ ସାମିଲ ହୋଇ ଆଜି ଧାରଣା ଦେଇଛି। ସମସ୍ତଙ୍କର ଦାବି ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଏବଂ ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଘୋଷଯାତ୍ରା ଆୟୋଜନ। କାରଣ ମହାପ୍ରଭୁଙ୍କ ସ୍ନାନଯାତ୍ରାଠୁ ଘୋଷଯାତ୍ରା ଯାଏଁ ତିଥି ବାହାରେ କରିଆସୁଛି ବିଧର୍ମୀ ଇସ୍କନ। ଏସବୁ ଭିତରେ ଗଜପତି ମହାରାଜାଙ୍କ ନିବେଦନକୁ ପ୍ରତ୍ୟାଖାନ କରି ନିଆଁରେ ଘିଅ ଢାଳିଥିବାରୁ ତେଜିଛି ଜନ ଆକ୍ରୋଶ।
ସେପଟେ ପୁରୀରେ ଗଜପତିଙ୍କୁ ଅପମାନ କରିଥିବା ଦର୍ଶାଇ ବଡ଼ଦାଣ୍ଡରେ ଇସ୍କନକୁ ଓଡ଼ିଶା ଛାଡ଼ିବାକୁ ନାରା ଦେଇଛନ୍ତି ଯୁବକ। ହାତରେ ଇସ୍କନ ଗୋ ବ୍ୟାକର ଫ୍ଳାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେବଳ ଏତିକି ନୁହେଁ, ଶରଧାବାଲିରୁ ଇସ୍କନର ବୁକ୍ ଷ୍ଟଲକୁ ବି ବିଦା କରିଦିଆଯାଇଛି।
ତେଜୁଥିବା ଇସ୍କନ ବିରୋଧୀ ନିଆଁ ଭିତରେ ବି ବିଦେଶରେ ଛାଡୁନି ରଥଯାତ୍ରା ନିଶା। ଅଗଷ୍ଟ ୨ରେ ଆମେରିକା ଲସ୍ ଆଞ୍ଜେଲସରେ ତିଥି ବାହାରେ ରଥଯାତ୍ରା କରିବାକୁ ଯାଉଛି। ଯାହାକୁ ସୋସିଆଲ୍ ମିଡ଼ିଆରେ ବିରୋଧ ସହ ପୁରୀ ପରମ୍ପରା ଅନୁଯାୟୀ ରଥଯାତ୍ରା କରିବାକୁ ନିବେଦନ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ତାସହ ଭାରତର ସ୍ଥାନୀୟ କନସୁଲେଟ୍ ଜେନେରାଲଙ୍କୁ ଅଂଶଗ୍ରହଣରୁ ବିରତ ରହିବାକୁ ନିବେଦନ କରିଛନ୍ତି। ପୂର୍ବରୁ କେନିଆରେ ଥିବା ଭାରତୀୟ ଦୂତାବାସ କର୍ତ୍ତୃପକ୍ଷଙ୍କୁ ସମାନ ନିବେଦନ କରିଥିଲେ। ତେଣେ ଖଣ୍ଡପଡ଼ା ରାଜା ସିଦ୍ଧାର୍ଥ ଶେଖର ସିଂ ମର୍ଦ୍ଦରାଜ ମଧ୍ୟ ଅଦିନରେ ରଥଯାତ୍ରାକୁ ବିରୋଧ କରିଛନ୍ତି।
ଏଭଳି ଚାପ ଆଉ ବିଦ୍ରୋହ ଭିତରେ ୟୁଟର୍ଣ୍ଣ ନେଇଛି ଭୁବନେଶ୍ବର ଇସ୍କନ। ଶାଖାର ସଭାପତି କହିଛନ୍ତି, ତିଥି ବାହାରେ ନକରି ଗୋଟିଏ ଦିନରେ ହିଁ ସବୁଠି ରଥଯାତ୍ରା ହେଉ। ଗଜପତି ମହାରାଜା ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା, ସେ ସର୍ବୋଚ୍ଚ ସମ୍ମାନର ଅଧିକାରୀ। ତେଣୁ ଇସ୍କନ ପରିଚାଳନା କମିଟି ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର କରୁ। କେନ୍ଦ୍ର ସରକାର ମଧ୍ୟ ହସ୍ତକ୍ଷେପ କରନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।