Chilika Lake Faces Ecological Crisis: ବିପଦରେ ନୀଳାମ୍ବୁ ଚିଲିକା! ଚିଲିକାକୁ ଗିଳୁଛି ନଳ ଘାସ, ଦଳ ଓ ପଙ୍କ

Jul 12, 2026 - 20:24
Chilika Lake Faces Ecological Crisis: ବିପଦରେ ନୀଳାମ୍ବୁ ଚିଲିକା! ଚିଲିକାକୁ ଗିଳୁଛି ନଳ ଘାସ, ଦଳ ଓ ପଙ୍କ

ଯେଉଁ ଚିଲିକାର ନୀଳ ଜଳରେ ଦିନେ ହସୁଥିଲେ ମତ୍ସ୍ୟଜୀବୀ, ଯେଉଁ ଚିଲିକାକୁ ଦେଖିବାକୁ ଦେଶ-ବିଦେଶରୁ ଧାଇଁ ଆସୁଥିଲେ ପର୍ଯ୍ୟଟକ... ସେହି ଚିଲିକା ଆଜି ଶ୍ୱାସରୁଦ୍ଧ। ନୀଳ ଜଳର ସାଗରକୁ ଏବେ ଦୂରରୁ ଦେଖିଲେ ଲାଗୁଛି ସବୁଜ ମଇଦାନ ଭଳି। ଇଏ ହିଁ ଏହାର ବାସ୍ତବ ଚିତ୍ର। ଚିଲିକାର ଛାତିକୁ ଧୀରେ ଧୀରେ ଗିଳି ନେଉଛି ନଳ ଘାସ ଓ ପଙ୍କ। ଶୀତ ଆସିଲେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀଙ୍କ କଲରବରେ ମୁଖର ହୋଇଉଠୁଥିବା ଚିଲିକାର ପରିବେଶ ଆଜି ଗମସୁମ୍। ଅନେକ ଅଞ୍ଚଳରେ ଜଳଠାରୁ ଅଧିକ ଦେଖାଯାଉଛି ଘାସ ଓ ଦଳ। ଏତିକିରେ ସରିନି ସମସ୍ୟା। ଚିଲିକାର ବୁକୁ ଚିରି ଶହ ଶହ ଏକର ଅଞ୍ଚଳକୁ କବଜା କରି ସାରିଲେଣି ଚିଙ୍ଗୁଡ଼ି ମାଫିଆ। ଫଳରେ ହ୍ରଦର କାୟା କମିବା ସହ ସଙ୍କୁଚିତ ହେଉଛି ମତ୍ସ୍ୟଜୀବୀଙ୍କ ଭବିଷ୍ୟତ। ଅନେକ ସ୍ଥାନରେ ନାଳ କରି ମତ୍ସ୍ୟଜୀବୀ ଚିଲିକା ଭିତରକୁ ଯାଉଛନ୍ତି।

ଦିନେ ଯେଉଁ ଚିଲିକାର ଆୟତନ ୧୧୪୬ ବର୍ଗ କିଲୋମିଟର ଥିଲା, ତାହା ଏବେ ୯୦୦ ବର୍ଗ କିଲୋମିଟରକୁ ଖସିଲାଣି। ଅର୍ଥାତ ଗତ କିଛି ବର୍ଷ ଭିତରେ ମାନଚିତ୍ରରୁ ଗାୟବ ହୋଇଗଲା ଶହ ଶହ ବର୍ଗ କିଲୋମିଟର ଜଳଭାଗ। ଚିଲିକା କେବଳ ଗୋଟିଏ ହ୍ରଦ ନୁହେଁ, ଏହା ଦୁଇ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ପରିବାରର ଜୀବନରେଖା। ଚିଲିକା ବଞ୍ଚିଲେ ହଜାର ହଜାର ପରିବାର ବଞ୍ଚିବେ, ଚିଲିକା ହାରିଗଲେ ହଜିଯିବ ଜୀବନଜୀବିକା, ପରିବେଶ ଓ ଐତିହ୍ୟ। ପ୍ରଶ୍ନ ଉଠୁଛି, ଚିଲିକାର ସୁରକ୍ଷା ଦାୟିତ୍ୱରେ ଥିବା ଚିଲିକା ଡେଭଲପମେଣ୍ଟ ଅଥରିଟି କରୁଛି କଣ ? ଏତେ ବଡ଼ ପରିବର୍ତ୍ତନ ହେଉଥିବା ବେଳେ CDA କଣ ପଦକ୍ଷେପ ନେଇଛି ? ଏନେଇ CDA କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଚିଲିକା ଓ ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ କରିବା ଯୋଜନା ଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ହେଲେ ଲୋକଙ୍କ ପ୍ରଶ୍ନ, ଏହି ଟଙ୍କା ସତରେ ଚିଲିକାକୁ ବଞ୍ଚାଇବ, ନା କେବଳ ଘୋଷଣାରେ ସୀମିତ ରହିଯିବ ? 

ଚିଲିକାର ଏହି ନୀରବ ଚିତ୍କାର ଅନେକ ପ୍ରଶ୍ନ ଠିଆ କରିଛି। କାରଣ ଏହା କେବଳ ଗୋଟିଏ ହ୍ରଦର ଅସ୍ତିତ୍ବର କଥା ନୁହେଁ, ଏହା ପୁନରୁଦ୍ଧାର ଓଡ଼ିଶାର ପ୍ରାକୃତିକ ସମ୍ପଦ, ଜୈବ ବିବିଧତାର ସୁରକ୍ଷା ସହ ଆଗାମୀ ଭବିଷ୍ୟତ ପାଇଁ ଶିକ୍ଷା ହେବ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।