The Horticulture Department: ଉଦ୍ୟାନ କୃଷି ବିଭାଗର ଅଜବ ନୀତି: ଦଣ୍ଡ ବଦଳରେ ପଦୋନ୍ନତି!
ଭୁବନେଶ୍ବର: ରାଜ୍ୟ ଉଦ୍ୟାନ କୃଷି ବିଭାଗରେ ଆର୍ଥିକ ଅନିୟମିତତା ଓ ପ୍ରଶାସନିକ ଅବହେଳାକୁ କିଭଳି ଘଣ୍ଟ ଘୋଡ଼ାଯାଉଛି, ତାହାର ଏକ ଚାଞ୍ଚଲ୍ୟକର ନମୁନା ସାମନାକୁ ଆସିଛି।
ଢେଙ୍କାନାଳ ଜିଲ୍ଲାର ତତ୍କାଳୀନ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଗୀତାଶ୍ରୀ ପାଢ଼ୀଙ୍କ କାର୍ଯ୍ୟକାଳରେ ମୋଟ ୩ କୋଟି ୬ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଅନିୟମିତତା ବିଭାଗୀୟ ଅଡିଟ୍ରେ ଧରାପଡ଼ିବା ସହ ଶୃଙ୍ଖଳାଗତ ତଦନ୍ତରେ ସରକାରୀ କର୍ତ୍ତବ୍ୟରେ ଘୋର ଅବହେଳା ପ୍ରମାଣିତ ହୋଇଛି।
ମାତ୍ର ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବିଭାଗ ପକ୍ଷରୁ ତାଙ୍କୁ ପଦୋନ୍ନତି ଦିଆଯିବା ଘଟଣା ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
Advertisment Odisha ITI trainees: ଜାତୀୟସ୍ତରରେ ଚମକିଲେ ଓଡ଼ିଶାର ଦକ୍ଷ ଯୁବ ପ୍ରତିଭା, ୪ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଆଭ୍ୟନ୍ତରୀଣ ଅଡିଟ୍ ଟିମ୍ ଦ୍ୱାରା ଢେଙ୍କାନାଳ ଡିଡିଏଚ୍ କାର୍ଯ୍ୟାଳୟର ମୋଟ ୨୦ କୋଟି ୨୯ ଲକ୍ଷ ୨୭ ହଜାର ୮ ଟଙ୍କାର ହିସାବ ଯାଞ୍ଚ କରାଯାଇଥିଲା।
ଏଥିରେ ସମଗ୍ର କାର୍ଯ୍ୟାଳୟର ୨୦ କୋଟି ୧୨ ଲକ୍ଷ ୮୧ ହଜାର ୧୦୯ ଟଙ୍କା ଉପରେ ଅଡିଟ୍ ଆପତ୍ତି ଉଠିଥିବା ବେଳେ କେବଳ ତତ୍କାଳୀନ ଡିଡିଏଚ୍ ଶ୍ରୀମତୀ ପାଢ଼ୀଙ୍କ କାର୍ଯ୍ୟକାଳରେ ମୋଟ ୧୧ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ୨ କୋଟି ୯୪ ଲକ୍ଷ ୯ ହଜାର ୬୩୦ ଟଙ୍କାର ଅଡିଟ୍ ଆପତ୍ତି ଓ ୧୨ ଲକ୍ଷ ୫ ହଜାର ୩୦୧ ଟଙ୍କା ସିଧାସଳଖ ଅସୁଲ କରିବାକୁ ସୁପାରିସ ହୋଇଛି।
ଅଡିଟ୍ ରିପୋର୍ଟ ଅନୁଯାୟୀ, କାମାକ୍ଷାନଗର ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ପାଇଁ ତାଙ୍କଠାରୁ ସିଧାସଳଖ ୧୨.୦୫ ଲକ୍ଷ ଟଙ୍କା ଅସୁଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅତିରିକ୍ତ ୭.୪୭ ଲକ୍ଷ ଟଙ୍କା ଉପରେ ଆପତ୍ତି ଉଠିଛି।
ସେହିପରି ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବିହନ ଆଳୁ କିଣା ଓ ବଣ୍ଟନରେ ୧.୯୨ କୋଟି ଟଙ୍କା, ଆଳୁ, ପିଆଜ ଓ ମସଲା ଚାଷୀଙ୍କୁ ସବ୍ସିଡି ଦେବାରେ ବିଳମ୍ବ ବାବଦକୁ ୪୫.୪୧ ଲକ୍ଷ ଟଙ୍କା ଏବଂ ପରିବା ମିନିକିଟ୍ କିଣାରେ ୩୬.୯୦ ଲକ୍ଷ ଟଙ୍କା ଉପରେ ଅଡିଟ୍ ଆପତ୍ତି ଲଗାଯାଇଛି।
ଏହାଛଡ଼ା ଗଜା ନଡ଼ିଆ ଚାରା କିଣାରେ ୩.୫୫ ଲକ୍ଷ ଟଙ୍କା, ସୋଲାର କୋଲ୍ଡ ରୁମ୍ ନିର୍ମାଣରେ ୩ ଲକ୍ଷ ଟଙ୍କା, ତିନୋଟି ପର୍ଯ୍ୟାୟରେ ଛତୁ ଚାଷ ୟୁନିଟ୍ରେ ୨.୨୦ ଲକ୍ଷ ଟଙ୍କା, ରୟାଲଟି ଓ ଆୟକର ଜମା ନକରିବା ବାବଦକୁ ୧.୭୧ ଲକ୍ଷ ଟଙ୍କା ଏବଂ ପଲି ଗ୍ରିନ୍ ହାଉସ୍ ନିର୍ମାଣରେ ୧.୨୩ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଅଡିଟ୍ ଟିମ୍ ଦର୍ଶାଇଛି।
Education: ବନ୍ୟା ବାତ୍ୟା ପାଠପଢା ବାଧାପ୍ରାପ୍ତ କେମିତି ହେବ ଭରଣା; ବାର୍ଷିକ ପରୀକ୍ଷା ପାଇଁ ପିଲା ପ୍ରସ୍ତୁତ ତ?
ଅଡିଟ୍ ରିପୋର୍ଟର ଶେଷ ଭାଗରେ ଅଡିଟ୍ ଅଧିକାରୀମାନେ ଅତ୍ୟନ୍ତ କଡ଼ା ଟିପ୍ପଣୀ ଦେଇ ଉଲ୍ଲେଖ କରିଛନ୍ତି ଯେ, କାର୍ଯ୍ୟାଳୟରେ କ୍ୟାସ୍ବୁକ୍, ଷ୍ଟକ୍ ପରିଚାଳନା ଏବଂ ସରକାରୀ ନିୟମ ପାଳନରେ ଘୋର ଅବହେଳା କରାଯାଇଛି।
ସରକାରୀ ଆର୍ଥିକ ନିୟମ ଅନୁଯାୟୀ ଅଡିଟ୍ ଟିମ୍କୁ ସମସ୍ତ ହିସାବ ଖାତା ଓ ରେକର୍ଡପତ୍ର ଦେବା ଡିଡିଏଚ୍ଙ୍କ ବାଧ୍ୟତାମୂଳକ ଦାୟିତ୍ୱ ହୋଇଥିଲେ ମଧ୍ୟ କାର୍ଯ୍ୟାଳୟ ପକ୍ଷରୁ ଠିକ୍ ସମୟରେ ସମ୍ପୂର୍ଣ୍ଣ ରେକର୍ଡ ଉପସ୍ଥାପନ କରାଯାଇ ନଥିଲା।
ଫଳରେ ଅଡିଟ୍ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା ଏବଂ ଶତପ୍ରତିଶତ ଯାଞ୍ଚ ସମ୍ଭବ ହୋଇପାରି ନଥିଲା।
ଅସୁଲ ପାଇଁ ସୁପାରିସ ହୋଇଥିବା ଅର୍ଥ ତୁରନ୍ତ ସରକାରୀ ତହବିଲରେ ଜମା କରିବାକୁ ଅଡିଟ୍ ଟିମ୍ ନିର୍ଦ୍ଦେଶ ଦେଇଥିଲେ।
କେବଳ ଅଡିଟ୍ ଆପତ୍ତି ନୁହେଁ, ୨୦୨୩-୨୪ ଆର୍ଥିକ ବର୍ଷରେ ସୋଲାର ଡ୍ରାୟର ସ୍ଥାପନ ଓ ହାଇବ୍ରିଡ୍ ପରିବା ଚାଷ ଯୋଜନାରେ ଅନିୟମିତତା ଅଭିଯୋଗରେ ମଧ୍ୟ ଶ୍ରୀମତୀ ପାଢ଼ୀଙ୍କ ବିରୋଧରେ ସରକାରୀ ଚାକିରି ନିୟମାବଳୀ-୧୯୬୨ ର ନିୟମ-୧୫ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା।
ନିୟମ-୧୫ ଅଧୀନରେ ବଡ଼ଧରଣର ଦଣ୍ଡବିଧାନ ପାଇଁ ତଦନ୍ତ ହେଉଥିବା ବେଳେ ତଦନ୍ତକାରୀ ଅଧିକାରୀ ତଥା ଅତିରିକ୍ତ ସଚିବ ସରିତା ଧନୱାର ୨୦୨୫ ମାର୍ଚ୍ଚ ୨୧ରେ ନିଜ ରିପୋର୍ଟ ଦାଖଲ କରି ଶ୍ରୀମତୀ ପାଢ଼ୀଙ୍କ କ୍ଷେତ୍ରରେ 'ସରକାରୀ କର୍ତ୍ତବ୍ୟରେ ଘୋର ଅବହେଳା' ପ୍ରମାଣିତ ହୋଇଥିବା ସ୍ପଷ୍ଟ କରିଥିଲେ।
ମାତ୍ର ଏତେ ବଡ଼ ଅଭିଯୋଗ ପ୍ରମାଣିତ ହେବା ପରେ ବି ତାଙ୍କୁ କେବଳ ସାମାନ୍ୟ 'ଭର୍ତ୍ସନା' ଦଣ୍ଡବିଧାନ କରିବାକୁ ସୁପାରିସ କରାଯାଇଥିଲା ଏବଂ ଏପ୍ରିଲ ୧୭ ତାରିଖରେ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା।
Weekly Horoscope 2026 November 22 to 28: ଜାଣନ୍ତୁ ଏ ସପ୍ତାହର ରାଶିଫଳ ...
ପ୍ରଶ୍ନ ଉଠୁଛି, ଗୋଟିଏପଟେ ନିୟମ-୧୫ ଭଳି କଠୋର ଧାରାରେ ତଦନ୍ତ ହୋଇ ସରକାରୀ କର୍ତ୍ତବ୍ୟରେ ଅବହେଳା ପ୍ରମାଣିତ ହେବା ଏବଂ ଅନ୍ୟପଟେ ଅଡିଟ୍ ରିପୋର୍ଟରେ ୩ କୋଟିରୁ ଅଧିକ ଟଙ୍କାର ଆର୍ଥିକ ଆପତ୍ତି ଓ ରେକର୍ଡ ଲୁଚାଇବା ଭଳି ଅଭିଯୋଗ ଥିବା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ କେଉଁ ଆଧାରରେ ସମ୍ପୃକ୍ତ ଅଧିକାରୀଙ୍କୁ ପଦୋନ୍ନତି ଦେଲେ?
ତଳତଳିଆ କର୍ମଚାରୀଙ୍କ କ୍ଷେତ୍ରରେ ସାମାନ୍ୟ ତ୍ରୁଟି ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଥିବା ଉଦ୍ୟାନ କୃଷି ବିଭାଗ, ଉଚ୍ଚପଦସ୍ଥ ଅଧିକାରୀଙ୍କ କ୍ଷେତ୍ରରେ କାହିଁକି କୋହଳ ମନୋଭାବ ପୋଷଣ କରୁଛି, ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
