Raja Festival: ଆବୁଧାବିରେ ଧୁମ୍ଧାମ୍ରେ ‘ରଜ ଉତ୍ସବ’ ପାଳିତ
: ପ୍ରବାସୀ ଓଡ଼ିଆ ସମାଜ ଆବୁଧାବି (POSA) ପକ୍ଷରୁ ରାଜଧାନୀ ଆବୁଧାବିରେ ରଜ ଉତ୍ସବ ୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଓଡ଼ିଆ ପରିବାର ଏକତ୍ରିତ ହୋଇ ରଜ ପର୍ବର ଆନନ୍ଦ ଉପଭୋଗ କରିଥିଲେ।
କାର୍ଯ୍ୟକ୍ରମର ଶୁଭାରମ୍ଭ ମଙ୍ଗଳାଚରଣ ଓ ପାରମ୍ପରିକ ରୀତିନୀତି ସହ ହୋଇଥିଲା। ଏହାପରେ ରଜ ପର୍ବର ଐତିହ୍ୟ, ନାରୀତ୍ୱର ସମ୍ମାନ, ପ୍ରକୃତି ପ୍ରତି କୃତଜ୍ଞତା ଏବଂ ଓଡ଼ିଆ ସଂସ୍କୃତିରେ ଏହାର ଅନନ୍ୟ ସ୍ଥାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା।
ଉତ୍ସବରେ ଶିଶୁ, ଯୁବକ ଓ ବୟସ୍କମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ ଓ ରଜଗୀତ ପରିବେଷଣ କରାଯାଇଥିଲା। ଓଡ଼ିଶାର ପ୍ରମୁଖ ପର୍ବପର୍ବାଣୀ ଯଥା ରଥଯାତ୍ରା, ନୂଆଖାଇ, ଦୁର୍ଗାପୂଜା, ମାଣବସା ଗୁରୁବାର, କୁମାର ପୂର୍ଣ୍ଣିମା, ପ୍ରଥମାଷ୍ଟମୀ ଓ ରଜ ପର୍ବ ଉପରେ ଆଧାରିତ ନୃତ୍ୟାନୁଷ୍ଠାନ ଦର୍ଶକମାନଙ୍କ ମନ ଜିଣିଥିଲା।
President: ଓଡ଼ିଶାରେ ରଜ ଉତ୍ସବ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରଜ ଉପଲକ୍ଷେ ପାରମ୍ପରିକ ପିଠା ପ୍ରତିଯୋଗିତା, ମହିଳାମାନଙ୍କ ପାଇଁ ସଜବାଜ ପ୍ରତିଯୋଗିତା ଏବଂ ଶିଶୁମାନଙ୍କ ପାଇଁ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ପାରମ୍ପରିକ ଓଡ଼ିଆ ପିଠା ଓ ଖାଦ୍ୟର ସ୍ୱାଦ ଉପସ୍ଥିତ ଅତିଥିମାନଙ୍କୁ ନିଜ ମାଟିର ସ୍ମୃତିକୁ ଫେରାଇ ନେଇଥିଲା।
ଏହି ସାଂସ୍କୃତିକ ଆୟୋଜନର ସଫଳତା ପଛରେ POSAର ସକ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟଜିତ ସାହୁ, ଶିବାନୀ କର, ସୂରଜ କୁମାର ପରିଡ଼ା, ପ୍ରଭାତ ଗିରି, ରାକେଶ ସାହୁ ଓ ପ୍ରକାଶ ମିଶ୍ରଙ୍କ ଉଲ୍ଲେଖନୀୟ ଭୂମିକା ରହିଥିଲା। ସଂଗଠନର ପରାମର୍ଶଦାତା ଜ୍ଞାନ ମହାନ୍ତି, ମୌସୁମୀ ମହାନ୍ତି ଏବଂ ସୁଶିମ ଅମିତାଭ ସ୍ୱାଇଁ ଏହି ଆୟୋଜନକୁ ସଫଳ କରିବାରେ ମାର୍ଗଦର୍ଶନ ଓ ସହଯୋଗ ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା ଓ ସମନ୍ୱୟ ଦାୟିତ୍ୱକୁ ସୂରଜ କୁମାର ପରିଡ଼ା ଓ ଶିବାନୀ କର ଦକ୍ଷତାର ସହ ପରିଚାଳନା କରି କାର୍ଯ୍ୟକ୍ରମକୁ ସୁଚାରୁ ଓ ଆକର୍ଷଣୀୟ କରିଥିଲେ।
POSAର କର୍ମକର୍ତ୍ତାମାନେ କହିଥିଲେ ଯେ, ପ୍ରବାସରେ ରହୁଥିବା ନୂତନ ପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସମାଜ ମଧ୍ୟରେ ଏକତା ଓ ଭାତୃତ୍ୱ ଭାବ ବୃଦ୍ଧି କରିବା ଏହିଭଳି ଆୟୋଜନର ମୂଳ ଉଦ୍ଦେଶ୍ୟ। ପରିଶେଷରେ ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଏବଂ POSA ପରିବାରର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।