NuclearProject: ଆଣବିକ ପ୍ରକଳ୍ପ ପାଇଁ ଜମି ସମସ୍ୟା, ଆଗେଇ ପାରୁନି ପ୍ରକଳ୍ପ
ନୂଆଦିଲ୍ଲୀ: ଟାଟା ଗ୍ରୁପ୍ର ଅଂଶ ଟାଟା ପାୱାର ପକ୍ଷରୁ ଓଡ଼ିଶା, ଗୁଜରାଟ ଓ ଝାଡ଼ଖଣ୍ଡରେ କ୍ଷୁଦ୍ର ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ। ତେବେ ଓଡ଼ିଶାରେ କମ୍ପାନି ଏହାର ପ୍ରକଳ୍ପ ପାଇଁ ଜମି ପାଇବାକୁ ସଂଘର୍ଷ କରୁଛି। ପ୍ରକଳ୍ପ ସ୍ଥାପନ କରିବାକୁ ନେଇ କେତେକ ସମ୍ଭାବ୍ୟ ସ୍ଥାନରେ ଜମି ଯୋଗାଇ ଦେବାକୁ ଟାଟା ପାୱାର ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ତାହା ଉପରେ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ଉତ୍ତର ଦିଆଯାଇନାହିଁ। ‘ବିଜନେସ୍ ଟୁଡେ’ର ପ୍ରକାଶିତ ଏକ ଖବରରେ ଏ ସମ୍ପର୍କିତ ଦାବି କରାଯାଇଛି।କିଛି ଦିନ ପୂର୍ବେ ଟାଟା ପାୱାରର ସିଇଓ ଡକ୍ଟର ପ୍ରବୀର ସିହ୍ନା କମ୍ପାନିର ଆଣବିକ ଶକ୍ତି ଯୋଜନା ସମ୍ପର୍କରେ ଆଲୋଚନା କରି ଓଡ଼ିଶାରେ ଏକ ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ ବୋଲି କହିଥିଲେ। କମ୍ପାନି ୨୨୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଭାରତ କ୍ଷୁଦ୍ର ରିଆକ୍ଟର ସ୍ଥାପନ କରିବାକୁ ଚାହୁଛି। ସେଥିପାଇଁ ଭାରତୀୟ ଆଣବିକ ଶକ୍ତି ନିଗମ ଲିମିଟେଡ୍ (ଏନ୍ପିସିଆଇଏଲ୍) ସହ ଆଲୋଚନା କରୁଛି।
ଆହୁରି ପଢନ୍ତୁ: NEET: ୨୨ ଲକ୍ଷ ଛାତ୍ରଛାତ୍ରୀ, ୫,୪୪୦ କେନ୍ଦ୍ର, ୧ ଲକ୍ଷ କ୍ୟାମେରା: ନିଟ୍ ପୁନଃପରୀକ୍ଷା ସମ୍ପନ୍ନ
କିଛି ମାସ ଭିତରେ ଡିପିଆର୍ ପ୍ରସ୍ତୁତ ହୋଇଯିବ ବୋଲି ସେ କହିଥିଲେ। କିନ୍ତୁ ଏଭଳି ପ୍ରକଳ୍ପ ପାଇଁ ଜମି ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସେଥିପାଇଁ କେନ୍ଦ୍ର ସରକାର ନିୟମ କୋହଳ କରିବା ଉପରେ ବିଚାର କରୁଛନ୍ତି। ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍ର ଆଣବିକ ଶକ୍ତି କ୍ଷମତା ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନର କ୍ଷମତା ୮.୭ ଗିଗାୱାଟ୍ ରହିଛି। ଆଣବିକ ପ୍ରକଳ୍ପରେ ଘରୋଇ ସଂସ୍ଥାକୁ ନିବେଶ ପାଇଁ ଅନୁମତି ଦିଆଯାଇଛି। ଆଣବିକ ଶକ୍ତି ପ୍ରକଳ୍ପ ପାଇଁ ଆଣବିକ ଶକ୍ତି ବୋର୍ଡଠାରୁ ଆବଶ୍ୟକ ମଞ୍ଜୁରି ହାସଲ କରିବା ସହିତ ଅନ୍ୟାନ୍ୟ ବୈଧାନିକ ମଞ୍ଜୁରି ହାସଲ କରିବା ପାଇଁ ଟାଟା ପାୱାର କାମ କରୁଛି। କିନ୍ତୁ ଜମି ଅଧିଗ୍ରହଣ ଏକ ସମସ୍ୟା ଭାବେ ଉଭା ହୋଇଥିବାରୁ ପ୍ରସ୍ତାବିତ ପ୍ରକଳ୍ପ କେବେ ବାସ୍ତବ ରୂପ ନେବ ତାହା ଆକଳନ କରିବା କଷ୍ଟକର ହୋଇପଡ଼ିଛି।