Odisha Residents Contest Andhra Panchayat Elections: ଗାଁର ବିକାଶ କର, ନହେଲେ ଆନ୍ଧ୍ରରେ ମିଶିବୁ: ଗ୍ରାମବାସୀଙ୍କ ଚେତାବନୀ
ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ଜୁମଡାଙ୍ଗ ଗାଁ।
ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ଏହି ଗାଁ ଲୋକଙ୍କ ପାଇଁ ଓଡ଼ିଶାଠୁ ଅଧିକ ଭରସାଯୋଗ୍ୟ ହୋଇଛି ଆନ୍ଧ୍ର।
ଶିକ୍ଷା ନାହିଁ, ପାନୀୟ ଜଳର ଅସୁବିଧା, ବିଜୁଳି ଓ ରାସନ ଭଳି ମୌଳିକ ସୁବିଧାରେ ବି ଅବହେଳା।
ଆନ୍ଧ୍ରର ସରକାରୀ ସୁବିଧା ସହ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେବା ପରେ ମାଲକାନଗିରି ପ୍ରଶାସନର ନିଦ ଭାଙ୍ଗିଥିଲା।
ଗାଁରେ ଉପଜିଲ୍ଲାପାଳ ପହଞ୍ଚି ସବୁ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଏହାପରେ ଗାଁରେ ପହଞ୍ଚିଛି ବିଜୁଳି, ପିଇବା ପାଣି ସହ VBG ରାମ ଜି ଯୋଜନା।
କିନ୍ତୁ ଗାଁରେ ଏବେ ବି ଅପହଞ୍ଚ ଶିକ୍ଷା ବ୍ୟବସ୍ଥା।
ସେପଟେ ଆନ୍ଧ୍ର ପକ୍ଷରୁ ଶିକ୍ଷକ ଯୋଗାଇ ଦିଆଯାଇଥିବାରୁ ତେଲୁଗୁ ଭାଷାରେ ଚାଲିଛି ପାଠପଢ଼ା।
ଆଗାମୀ ଦିନରେ ସମସ୍ତ ମୌଳିକ ସୁବିଧାରେ ସମାଧାନ ନହେଲେ ପୁଣି ଆନ୍ଧ୍ରମୁହାଁ ହେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
Advertisment ରାୟଗଡ଼ା ଜିଲ୍ଲା କେରେଡ଼ା ପଞ୍ଚାୟତର ଏମ୍ଫଲୱାଲାସା ଗାଁ।
ବିକାଶର ବଡ଼ ବଡ଼ ଦାବି ଭିତରେ ଗାଁକୁ ଆଜି ବି ପକ୍କା ରାସ୍ତାଟିଏ ନାହିଁ।
ରୋଗୀ ହୁଅନ୍ତୁ କି ଗର୍ଭବତୀ, ହସ୍ପିଟାଲ୍ ନେବାକୁ କରିବାକୁ ପଡ଼େ ସଂଘର୍ଷ।
୨ ବର୍ଷ ତଳେ ଗାଁକୁ ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ର ପକ୍ଷରୁ ଉଦ୍ୟମ ହୋଇଥିଲା।
ଓଡ଼ିଶା ପ୍ରଶାସନ ତାକୁ ରୋକି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
କିନ୍ତୁ ଓଡ଼ିଶା ପକ୍ଷରୁ ଏଯାଏଁ ରାସ୍ତା ନିର୍ମାଣ ହୋଇନଥିବା ଅଭିଯୋଗ ହୋଇଛି।
ଗାଁକୁ ଶୀଘ୍ର ରାସ୍ତା ତିଆରି ନହେଲେ ଆନ୍ଧ୍ରରେ ମିଶିବାକୁ ଖୋଲାଖୋଲି ଧମକ ଦେଇଛନ୍ତି ଗ୍ରାମବାସୀ।
ଏହାପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଏମ୍ଫଲୱାଲାସାରୁ ଅନିଜା ମଧ୍ୟରେ ପ୍ରାୟ ୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ କରିଛି।
ସେହିପରି ବିଲେସୁ ଆଗଡ଼ୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ବିକାଶକୁ ନେଇ ବିବାଦ।
ହେଲେ ଗଞ୍ଜାମ ପାତ୍ରପୁରର ଚିତ୍ର ଆହୁରି ରୋଚକ।
ଓଡ଼ିଶାର ଘର, ହେଲେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ।
ବୁରାତାଲ ପଞ୍ଚାୟତର ଗୁଡ଼ିଖଳା ଗାଁର ଶଙ୍କର ଶବର, ତୁମ୍ବା ପଞ୍ଚାୟତର କୁଲାଡ଼ି ଗାଁର ଲଳିତା ଶବର ନିର୍ବାଚନରେ ୱାର୍ଡରୁ ପ୍ରାର୍ଥୀ ହୋଇଛନ୍ତି।
ଉଭୟ ଏବେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି।
କେବଳ ଦୁଇ ପ୍ରାର୍ଥୀ ନୁହନ୍ତି, ଅଞ୍ଚଳର ଅନେକ ଲୋକ ଉଭୟ ରାଜ୍ୟର ନିର୍ବାଚନୀ ବ୍ୟବସ୍ଥା ଓ ସରକାରୀ ଯୋଜନା ସହ ଜଡ଼ିତ ଥିବା ଅଭିଯୋଗ ହେଉଛି।
କେଉଁଠି ଓଡ଼ିଶାର ଆବାସ ଓ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ମିଳୁଛି, ତ ଆଉ କେଉଁଠି ଆନ୍ଧ୍ରର ଆବାସ ଯୋଜନାରେ ଘର ମିଳିଛି।
ଏପରିକି ରାସନ କାର୍ଡ ସର୍ଭେରେ ନାଁ ବାଦ୍ ପଡ଼ିବାରୁ କେତେକଙ୍କ ରାସନ ବନ୍ଦ ହୋଇଥିବା କହିଛନ୍ତି ଗ୍ରାମବାସୀ।
Advertisment ସୀମାନ୍ତରେ ରହୁଥିବା ଲୋକଙ୍କୁ ନିଜ ରାଜ୍ୟରେ କାହିଁକି ନିଜ ଅଧିକାର ପାଇଁ ସଂଘର୍ଷ କରିବାକୁ ପଡ଼ୁଛି, ତାହା ହିଁ ଏବେ ବଡ଼ ପ୍ରଶ୍ନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
