Neha Bora : କନଟ୍ ପ୍ଲେସ୍ରେ ହୋଇଥିବା ପ୍ରଦର୍ଶନ ସହ ମୋର କୌଣସି ସମ୍ପର୍କ ନଥିଲା: ନେହା ବୋରା
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP)ର 'ଲେହରା ଦୋ ତିରଙ୍ଗା' ଆନ୍ଦୋଳନକୁ ନେଇ ନିଜ ଆବେଦନରେ ସ୍ପଷ୍ଟ ମତ ରଖିଛନ୍ତି ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA) ଅଧ୍ୟକ୍ଷ ନେହା ବୋରା ।
କନଟ୍ ପ୍ଲେସ୍ରେ ହୋଇଥିବା ପ୍ରଦର୍ଶନ ସହ ତାଙ୍କର ସମ୍ପର୍କ ନଥିବା ସେ ଦାବି କରିଛନ୍ତି ।
ତାଙ୍କ କହିବା ଅନୁସାରେ, ସେ ଡାକିଥିବା କାର୍ଯ୍ୟକ୍ରମ କନଟ୍ ପ୍ଲେସ୍ରେ ନୁହେଁ, ବରଂ ଦିଲ୍ଲୀ ର ମଣ୍ଡି ହାଉସ୍ରେ ଶାନ୍ତିପୂର୍ଣ୍ଣ ସମାବେଶ ପାଇଁ ଥିଲା ।
Advertisment ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ରେ ନେହା ବୋରାଙ୍କ ଆବେଦନର ଶୁଣାଣି ହେଉଛି।
ସ୍ପେଶାଲ୍ ଏଗଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ (SEM)ଙ୍କ ପକ୍ଷରୁ ଜାରି ନୋଟିସ୍କୁ ସେ ଚ୍ୟାଲେଞ୍ଜ କରିଛନ୍ତି ।
ଏହି ନୋଟିସ୍ରେ ଶାନ୍ତି ବଜାୟ ରଖିବା ପାଇଁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ସହ ଜଣେ ଜାମିନଦାର ଦେବାକୁ କୁହାଯାଇଥିଲା ।
ନେହାଙ୍କ ଆବେଦନ ଅନୁଯାୟୀ, ଅକ୍ଟୋବର ୧୭ରେ ଜାରି ହୋଇଥିବା ନୋଟିସ୍ଟି ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୨୬ ଓ ୧୩୦ ସହ ଧାରା ୧୩୫(୩) ଅଧୀନରେ ଜାରି ହୋଇଥିଲା ।
ନୋଟିସ୍ରେ ତାଙ୍କ ଦ୍ୱାରା ମଣ୍ଡି ହାଉସ୍ରେ ସ୍ଲୋଗାନ ଦେବା, ଜନ୍ତର ମନ୍ତର ଅଞ୍ଚଳରେ ବାରମ୍ବାର ପ୍ରଦର୍ଶନ କରିବା ଏବଂ କନଟ୍ ପ୍ଲେସ୍ରେ ଲୋକଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଉସକାଇବା ଭଳି ଅଭିଯୋଗ ରହିଥିବା କୁହାଯାଇଛି ।
ତେବେ କନଟ୍ ପ୍ଲେସ୍ର ପ୍ରଦର୍ଶନ ସହ ତାଙ୍କୁ ଯୋଡ଼ାଯାଇଥିବା ଅଭିଯୋଗକୁ ନେହା ବୋରା ଖଣ୍ଡନ କରିଛନ୍ତି।
ତାଙ୍କ ଯୁକ୍ତି ହେଉଛି, ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୫ଟାରେ ସେ ମଣ୍ଡି ହାଉସ୍ରେ ଶାନ୍ତିପୂର୍ଣ୍ଣ ସମାବେଶ ପାଇଁ ଆହ୍ୱାନ ଦେଇଥିଲେ।
ସେହି ସ୍ଥାନରୁ ହିଁ ତାଙ୍କୁ ପୁଲିସ ହେପାଜତକୁ ନେଇଥିଲା।
ତେଣୁ କନଟ୍ ପ୍ଲେସ୍ରେ ହୋଇଥିବା ପ୍ରଦର୍ଶନ ପାଇଁ ସେ ଲୋକଙ୍କୁ ଉସକାଇଥିଲେ ବୋଲି ନୋଟିସ୍ରେ ଥିବା ଦାବି ଭୁଲ ବୋଲି ସେ କୋର୍ଟରେ କହିଛନ୍ତି ।
ମଣ୍ଡି ହାଉସ୍ରେ ଶାନ୍ତିପୂର୍ଣ୍ଣ ସମାବେଶ ପାଇଁ ଦେଇଥିଲେ ଆହ୍ୱାନ ଅକ୍ଟୋବର ୧୬ରେ CJP ପକ୍ଷରୁ କନଟ୍ ପ୍ଲେସ୍ରେ 'ଲେହରା ଦୋ ତିରଙ୍ଗା' ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା।
ନିର୍ବାଚନ କମିଶନର୍ ଗ୍ୟାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)କୁ ନେଇ ଅଭିଯୋଗର ପ୍ରତିବାଦରେ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା।
ପୁଲିସର କଡ଼ା ସୁରକ୍ଷା ମଧ୍ୟରେ କନଟ୍ ପ୍ଲେସ୍ରେ ପ୍ରାୟ ୨ ହଜାର ଲୋକ ଏକାଠି ହୋଇଥିବା ରିପୋର୍ଟ ଆସିଥିଲା।
ଅନ୍ୟପଟେ ନେହା ବୋରା ମଣ୍ଡି ହାଉସ୍ରେ ଏକ ଫ୍ଲାସ୍ ପ୍ରୋଟେଷ୍ଟ ପାଇଁ ଆହ୍ୱାନ ଦେଇଥିଲେ।
ସେ ସମର୍ଥକଙ୍କ ସହ ମାର୍ଚ୍ଚ ଆରମ୍ଭ କରିବାର କିଛି ସମୟ ପରେ ପୁଲିସ ତାଙ୍କୁ ହେପାଜତକୁ ନେଇଥିଲା।
ସେହିଦିନ କନଟ୍ ପ୍ଲେସ୍ ଓ ମଣ୍ଡି ହାଉସ୍ରେ ହୋଇଥିବା ଭିନ୍ନ ଭିନ୍ନ ପ୍ରଦର୍ଶନରେ ପ୍ରାୟ ୧୫୦ ଜଣଙ୍କୁ ହେପାଜତକୁ ନିଆଯାଇଥିବା ପୁଲିସ ସୂତ୍ରରୁ ଖବର ଆସିଥିଲା।
ନେହାଙ୍କ ଦାବି ଅନୁଯାୟୀ, ତାଙ୍କୁ ପ୍ରଥମେ ଏକ ଅଜଣା ସ୍ଥାନକୁ ନିଆଯାଇଥିଲା ଏବଂ ପରେ ଆର୍କେ ପୁରମ ପୁଲିସ ଷ୍ଟେସନ୍ରେ ରଖାଯାଇଥିଲା।
ରାତିସାରା ସେଠାରେ ରହିବା ପରେ ପରଦିନ ସକାଳ ପ୍ରାୟ ୬ଟାରେ ତାଙ୍କୁ ଛାଡ଼ି ଦିଆଯାଇଥିବା ସେ ତାଙ୍କ ଆବେଦନରେ ଦାବି କରିଛନ୍ତି।
ନେହା ବୋରାଙ୍କ ଓକିଲ ଗୋପାଳ ଶଙ୍କରନାରାୟଣଙ୍କ ଯୁକ୍ତି ହେଉଛି, ଧାରା ୧୨୬ ଅଧୀନରେ କାର୍ଯ୍ୟାନୁଷ୍ଠାନର ମୂଳ ଆଧାର ହେଉଛି ଭବିଷ୍ୟତରେ ଶାନ୍ତି ଭଙ୍ଗ ହେବାର ବାସ୍ତବ ଆଶଙ୍କା।
କିନ୍ତୁ ନୋଟିସ୍ରେ ଏଭଳି ଆଶଙ୍କାର ସ୍ପଷ୍ଟ ଆଧାର, ନିର୍ଦ୍ଦିଷ୍ଟ ସମୟ କିମ୍ବା ଘଟଣା ଦର୍ଶାଯାଇନଥିବା ସେ ଯୁକ୍ତି ଦେଇଛନ୍ତି।
ଏହି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ମତପ୍ରକାଶକୁ ଦମନ କରିବାର ପ୍ରୟାସ ବୋଲି ମଧ୍ୟ ଆବେଦନରେ ଅଭିଯୋଗ କରାଯାଇଛି ।
ନେହା ବୋରା ନୋଟିସ୍କୁ ରଦ୍ଦ କରିବା ସହ ତାଙ୍କ ବିରୋଧରେ କୌଣସି ବଳପୂର୍ବକ କାର୍ଯ୍ୟ ନକରିବାକୁ ପୁଲିସକୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଏବେ ନଜର ରହିଛି, କୋର୍ଟ ଏହି ପ୍ରିଭେଣ୍ଟିଭ୍ ପ୍ରୋସିଡିଂସ୍ ଓ ୧୦ ହଜାର ଟଙ୍କାର ପିସ୍ ବଣ୍ଡ୍ ନୋଟିସ୍କୁ ନେଇ କ'ଣ ରାୟ ଦେଉଛନ୍ତି ।
ଆର୍ଥିକ ଠକେଇ ମାମଲାରେ ଗିରଫ ପ୍ରଧାନଶିକ୍ଷକ ନିଲମ୍ବିତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
