Mineral Fund Loot-9: ଖଣିଜ ପାଣ୍ଠି ଲୁଟ୍-୯: ପ୍ରଦୂଷଣ ରୋକିବା ଆଳରେ ଉଡ଼ାଇଛନ୍ତି ୭୦ କୋଟି
ଯାଜପୁର: ଗୋଟିଏ ପଟେ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନେ ଧୂଳିଧୂଆଁରେ କଲବଲ, ବାୟୁ ପ୍ରଦୂଷଣରେ ଘାଣ୍ଟି ହୋଇ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ମାତ୍ର ଏହି ଲୋକଙ୍କ ହକ୍ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି)କୁ ସେମାନଙ୍କ ପାଇଁ ବିନିଯୋଗ ନକରି ବିନର୍ବ୍ୟୟ କରାଯାଇଛି। ଘରୋଇ ଡାକ୍ତରଖାନା, କୋଚିଂ ସେଣ୍ଟର, ଟ୍ରାଭେଲ ଏଜେନ୍ସି, ବିଭିନ୍ନ ଅଦୂରଦୃଷ୍ଟି ପ୍ରକଳ୍ପ ନାମରେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେଥିରୁ ଗୋଟିଏ ବି ପ୍ରକଳ୍ପ ଲୋକଙ୍କ ସେବାରେ ଆସିନାହିଁ। କେବଳ ଏହାକୁ ଠିକାଦାର ଓ ନେତାଙ୍କ ହାତପାଣ୍ଠି ଭଳି ବ୍ୟବହାର କରାଯାଇଛି। ଏବେ ଆଉଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ପରିବେଶ ପ୍ରଦୂଷଣ ରୋକିବା ଆଳରେ ୭୦ କୋଟି ଟଙ୍କା ଉଡ଼ାଇ ଦେଇଛନ୍ତି। ବ୍ୟାସନଗରସ୍ଥିତ ବ୍ୟାସ ସରୋବର ପ୍ରକଳ୍ପରେ ହୋଇଥିବା ୭୦ କୋଟିର ଏକ ବଡ଼ ଦୁର୍ନୀତି ଏବେ ସମସ୍ତଙ୍କୁ ଚକିତ କରିଛି। ଏପରିକି ଏହି ପ୍ରକଳ୍ପକୁ ନେଇ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲଙ୍କୁ ଅନ୍ଧାରରେ ରଖାଯାଇଛି। ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରିର ଆବଶ୍ୟକତା ନଥିବା ଦର୍ଶାଯାଇଛି। ତଥ୍ୟ ମୁତାବକ ଯାଜପୁରରୋଡ୍ସ୍ଥିତ କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଓ ବ୍ୟାସନଗର ପୌରପାଳିକା ଅଧୀନରେ ଚାଲିଥିବା ପ୍ରଦୂଷଣ ନିୟନ୍ତ୍ରଣ ଯୋଜନାରେ ସହରୀ ଜଙ୍ଗଲର ବିକାଶ ପ୍ରକଳ୍ପ ପ୍ରସ୍ତାବ ରଖାଯାଇଥିଲା। ମୁଣ୍ଡାମାଳ ମୌଜାରେ ଥିବା ୧୦୫.୪୫ ଏକର ଜମିରେ ବିନା ପରିବେଶ ମଞ୍ଜୁରିରେ ଏଠାରେ ଏକ ବୃହତ୍ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ ୬୯.୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ପ୍ରକଳ୍ପର ମୂଳଲକ୍ଷ୍ୟ ଥିଲା ଶିଳ୍ପାଞ୍ଚଳ ଓ ଖଣି ପ୍ରଭାବିତ ଜୋନ୍ରେ ସ୍ଥାନୀୟ ପ୍ରଜାତିର ଘଞ୍ଚ ଗଛ ଲଗାଇ ଏକ ଜୈବ-ବଳୟ ସୃଷ୍ଟି କରିବା। ଯାହା କଳିଙ୍ଗନଗରର ବିଷାକ୍ତ ଧୂଳି ଓ ଗ୍ୟାସ୍କୁ ଶୋଷଣ କରିପାରିବ। ଏଥିସହିତ ଆର୍ଦ୍ରଭୂମି ଓ ଜଳାଶୟଗୁଡ଼ିକର ସଂରକ୍ଷଣ କରି ବାୟୁମଣ୍ଡଳକୁ ଶୀତଳ ରଖିବ। କିନ୍ତୁ ଏହି ମହତ ପ୍ରକଳ୍ପକୁ ତା’ର ମୂଳ ଲକ୍ଷ୍ୟଠାରୁ ଦୂରେଇ ରଖାଯାଇଥିଲା।
Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍
ପରିତ୍ୟକ୍ତ ଜଙ୍ଗଲ ପାଲଟିଛି ବ୍ୟାସ ସରୋବର ପ୍ରକଳ୍ପ
ବର୍ଷକରେ ପ୍ରକଳ୍ପ ମୂଲ୍ୟ ବଢ଼ିଗଲା ୫.୨୫ କୋଟି
ଏଠାରେ ଜଙ୍ଗଲ ସୃଷ୍ଟି ଓ ବୃକ୍ଷରୋପଣକୁ ପ୍ରାଥମିକତା ନଦେଇ ସିମେଣ୍ଟ ଓ କଂକ୍ରିଟ୍ ନିର୍ମାଣକୁ ପ୍ରାଧାନ୍ୟ ଦିଆଗଲା। ଫୁଡ୍ କୋର୍ଟ, ସିମେଣ୍ଟ ପାଥ୍ୱେ, ପାର୍କିଂ, ଲୋକଙ୍କ ଆମୋଦ ଉଦ୍ୟାନ ଓ ସୌନ୍ଦର୍ଯ୍ୟୀକରଣ ନାମରେ କୋଠାବାଡ଼ି ନିର୍ମାଣ କରାଯାଇଥିଲା। ଗଛ ଲଗାଇ ବାୟୁ ଶୋଧନ କରିବା ବଦଳରେ କଂକ୍ରିଟ ନିର୍ମାଣ ଅଧିକ କରାଯାଇଥିଲା। ଖଣି ପ୍ରଭାବିତ ଅଞ୍ଚଳର ମୌଳିକ ସମସ୍ୟା ସମାଧାନ ନକରି ଭୋଜନ ସାମଗ୍ରୀ ପାଇଁ ‘ଫୁଡ୍ କୋର୍ଟ’ ଓ ଆମୋଦ-ପ୍ରମୋଦ ଭିତ୍ତିଭୂମି ନିର୍ମାଣ, ବୋଟିଂ ପାଇଁ ଜଳାଶୟ ସୃଷ୍ଟି କରି ଏହି ଅର୍ଥ ବ୍ୟୟ କରିବା ଖଣିଜ ପାଣ୍ଠି ନିୟମାବଳୀର ସ୍ପଷ୍ଟ ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ଏହି ଅଞ୍ଚଳରେ ପୂର୍ବରୁ ଥିବା ପ୍ରାକୃତିକ ପରିବେଶକୁ ନଷ୍ଟ କରି ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ବିଭିନ୍ନ ନିର୍ମାଣ କରାଯାଇଥିଲା। ପରିବେଶକୁ ଢାଲ କରି ଏହି ମହତ ପ୍ରକଳ୍ପକୁ ଦିଗହରା କରାଯାଇଥିଲା। କେଏନ୍ଡିଏ ଓ ବ୍ୟାସନଗର ପୌରପାଳିକା ଅଧୀନରେ ଥିବା ଏହି ପ୍ରକଳ୍ପ ଏନ୍ବିସିସି ନିର୍ମାଣ କରିଥିଲା। ଏବେ ଏହି ପ୍ରକଳ୍ପ ଏକପ୍ରକାର ଅଚଳ ହୋଇପଡ଼ିଛି। ଉଦ୍ଘାଟନର ଦୁଇବର୍ଷ ପରେ ବି ଲୋକଙ୍କ ସେବାରେ ଆସୁନାହିଁ। ସମଗ୍ର ଅଞ୍ଚଳ ଏବେ ପରିତ୍ୟକ୍ତ ଜଙ୍ଗଲରେ ପରିଣତ ହୋଇଛି। ଏଠାରେ ନା ବାୟୁ ପ୍ରଦୂଷଣକୁ ରୋକାଯାଇପାରୁଛି ନା ପର୍ଯ୍ୟଟକଙ୍କ ପାଦ ପଡ଼ୁଛି।
Education: ସମାଜ ଆମ ଯୋଗାଯୋଗ ପଦ୍ଧତିକୁ ଆକାର ଦେଇଥାଏ: ଶ୍ରୀ ଅଖିଳ କୁମାର ମିଶ୍ର
ସବୁଠାରୁ ବଡ଼କଥା ହେଲା, ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଦୁଇଟି ଭିନ୍ନ ତଥ୍ୟ ପ୍ରଶାସନର ଅସଲ ମୁଖା ଖୋଲିଦେଇଛି। ଗତ ୯.୬.୨୦୨୩ରେ ମିଳିଥିବା ତଥ୍ୟରେ ପ୍ରକଳ୍ପ ପାଇଁ ୬୩.୯୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ଦର୍ଶାଯାଇଥିଲା। ପରେ ୨୮.୨.୨୦୨୫ ତଥ୍ୟରେ ଏହି ପ୍ରକଳ୍ପ ପାଇଁ ମଞ୍ଜୁର ପରିମାଣ ୬୯.୨୨ କୋଟି ଟଙ୍କା ହୋଇଥିବା ଦର୍ଶାଯାଇଥିଲା। ଅର୍ଥାତ ୧୮ ମାସରେ ପ୍ରକଳ୍ପ ମୂଲ୍ୟ ୫ କୋଟି ବଢ଼ିଗଲା। ଗତ ୨୦୨୧-୨୨ରେ ଜେନରାଲ ମ୍ୟାନେଜର ଏନବିସିସି ଇଣ୍ଡିଆ ଲିମିଟେଡକୁ ଏହାର କାର୍ଯ୍ୟାଦେଶ ଦିଆଯାଇଥିଲା। କେଉଁ ଆଇନ ବଳରେ ଓ କାହା ସ୍ୱାର୍ଥରେ ଅତିରିକ୍ତ ୫.୨୫ କୋଟି ଟଙ୍କା ମଞ୍ଜୁର କରାଗଲା? ସେହିଭଳି ଏଠାରେ ପ୍ରାକୃତିକ ପରିବେଶ ନଷ୍ଟ ହେଉଥିବା ନେଇ ଏନ୍ଜିଟିରେ ମାମଲା ହୋଇଥିବାବେଳେ ପ୍ରଶାସନ ଭୁଲ୍ ତଥ୍ୟ ଦେଇ ଟ୍ରିବ୍ୟୁନାଲକୁ ଅନ୍ଧାରରେ ରଖିଥିଲେ। ଏହା ଜିଲ୍ଲା ପ୍ରଶାସନର ଠିକାସଂସ୍ଥା ପ୍ରତି ଅହେତୁକ ଅନୁକମ୍ପାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଏହାର ନିରପେକ୍ଷ ତଦନ୍ତ ହେଲେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାର ମୁଖା ଖୋଲିବ। ତେବେ ଏତେବଡ଼ ଦୁର୍ନୀତିକୁ ନେଇ ବର୍ତ୍ତମାନ ସରକାରୀ କଳ ଏହାର ତଦନ୍ତ କରୁନଥିବାରୁ ଏବେ ବି ସମାନ ଢଙ୍ଗରେ ଖଣିଜ ପାଣ୍ଠି ଲୁଟ ହେଉଥିବା ଅଭିଯୋଗ ହୋଇଛି। ସମସ୍ତେ ମିଳିମିଶି ଖଣିଜ ପାଣ୍ଠି ଖାଲି କରିଥିବାରୁ ତଦନ୍ତ ପାଇଁ ପ୍ରଶାସନ ପଛଘୁଞ୍ଚା ଦେଉଥିବା ସ୍ଥାନୀୟ ଲୋକ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
