୩୫ କେଜି ବଦଳରେ ୫ କେଜି ଚାଉଳ, ମୃତକଙ୍କ ନାଁରେ ବି ହଡ଼ପ!

Aug 19, 2026 - 18:18
୩୫ କେଜି ବଦଳରେ ୫ କେଜି ଚାଉଳ, ମୃତକଙ୍କ ନାଁରେ ବି ହଡ଼ପ!

ନନ୍ଦିଘୋଷ ବ୍ୟୁରୋ; ରାସନ ଚାଉଳ ବଣ୍ଟନରେ ଘୋଟାଲା । ୩୫ କେଜି ବଦଳରେ ମିଳୁଛି ୫ କେଜି । ମୃତ ବ୍ୟକ୍ତିଙ୍କ ନାଁରେ ହେଉଛି ଚାଉଳ ହଡ଼ପ ! ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ ପଥରପଦା ଗାଁରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ମାଙ୍କିଡିଆ ଜନଜାତିଙ୍କ ହକ୍ ମାରୁଛନ୍ତି ଅସାଧୁ ଡିଲର । ସରକାରୀ ନିୟମ ମୁତାବକ, ଗରିବ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ମାସକୁ ୩୫ କେଜି ଲେଖାଏଁ ରାସନ ଚାଉଳ ମିଳିବା କଥା l ହେଲେ ହିତାଧିକାରୀଙ୍କୁ ଧରାଇ ଦିଆଯାଉଛି ମାତ୍ର ୫ କେଜି ଚାଉଳ । ଘୋଟାଲାର ସୀମା ଏତିକିରେ ଶେଷ ହୋଇନି l ଦୁର୍ନୀତିର ଚେର ଆହୁରି ଲମ୍ବିଛି l ଯେଉଁମାନେ ବର୍ଷ ବର୍ଷ ଧରି ଆରପାରିକୁ ଚାଲିଗଲେଣି । ସେମାନଙ୍କ ନାଁରେ ନିୟମିତ ଉଠୁଛି ସରକାରୀ ଚାଉଳ l ମୃତ ବ୍ୟକ୍ତିଙ୍କ ନାଁରେ ଆସୁଥିବା ଚାଉଳକୁ ଲୁଟୁଛନ୍ତି ସଂପୃକ୍ତ ଡିଲର । ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ୭୦ କ୍ଵିଣ୍ଟାଲରୁ ଅଧିକ ଚାଉଳ ହେରଫେର ହୋଇଥିବା ଜଣାପଡ଼ିଛି । ଯିଏ ଦୋଷୀ ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ଅଧିକାରୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media