Massive Fire Engulfs Shophouse : ମୃତ୍ୟୁର ଫାଶ ପାଲଟିଲା କୋଠା! ହୁତୁହୁତୁ ହୋଇ ଜଳିଲା, ଚାଲିଗଲା ୧୧ ଜୀବନ
ଥାଇଲ୍ୟାଣ୍ଡର ଫୁକେଟ୍ରେ ସୋମବାର ଭୋର ସମୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।
ଏକ ବାଣିଜ୍ୟିକ କୋଠାରେ ନିଆଁ ଲାଗିବା ଫଳରେ ଅତି କମ୍ରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି।
ଏହି ଘଟଣାରେ ଆଉ ୩୬ ଜଣ ଆହତ ହୋଇଛନ୍ତି।
ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment ସ୍ଥାନୀୟ ରିପୋର୍ଟ ଅନୁସାରେ, ସୋମବାର ଭୋର ପ୍ରାୟ ୩ଟା ୧୭ ମିନିଟ୍ରେ ପାଟୋଙ୍ଗ ଅଞ୍ଚଳର ଫାଙ୍ଗ ମୁଆଙ୍ଗ ସାଇ କୋର୍ ରୋଡ୍ରେ ଥିବା ଏକ ବାଣିଜ୍ୟିକ କୋଠାରେ ନିଆଁ ଲାଗିଥିଲା।
ଏହି କୋଠାରେ ଗାଡ଼ି ଭଡ଼ା ବ୍ୟବସାୟ ସହ କିଛି ଅଫିସ ରହିଥିଲା।
ନିଆଁ ଏତେ ଦ୍ରୁତଗତିରେ ବ୍ୟାପିଥିଲା ଯେ, ଖୁବ୍ କମ୍ ସମୟ ମଧ୍ୟରେ ପାଖରେ ଥିବା ଉଭୟ ପାର୍ଶ୍ୱର କୋଠାଗୁଡ଼ିକରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।
Advertisment ପ୍ରାଥମିକ ତଦନ୍ତ ଅନୁସାରେ, ଏହି ଅଗ୍ନିକାଣ୍ଡରେ ପାଞ୍ଚଟି ବାଣିଜ୍ୟିକ ୟୁନିଟ୍ କ୍ଷତିଗ୍ରସ୍ତ ହୋଇଛି।
ଏହା ସହ କୋଠା ନିକଟରେ ରଖାଯାଇଥିବା ଅନେକ ମୋଟରସାଇକେଲ୍ ମଧ୍ୟ ନିଆଁରେ ପୋଡ଼ି ନଷ୍ଟ ହୋଇଛି।
ମୃତକଙ୍କ ମଧ୍ୟରୁ ଅଧିକାଂଶ ନିଆଁରୁ ବାହାରିଥିବା ଘନ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ।
ଏନେଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, ଏହି ଘଟଣାର ମାତ୍ର ଚାରି ମାସ ପୂର୍ବରୁ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ର ଏକ ବାର୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।
ସେହି ଦୁର୍ଘଟଣାରେ ଅତି କମ୍ରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା।
ଲଗାତାର ଏଭଳି ଅଗ୍ନିକାଣ୍ଡ ଘଟଣା ଥାଇଲ୍ୟାଣ୍ଡରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ପୁଣିଥରେ ଚିନ୍ତା ବଢ଼ାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
