Manipur politics: ମଣିପୁରରେ ମୋତେ ହଟାଇବାକୁ ହୋଇଥିଲା ଷଡ଼ଯନ୍ତ୍ର: ବୀରେନ ସିଂହ
ଇମ୍ଫାଲ: ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ରାଜ୍ୟ ବିଜେପିର କିଛି ନେତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ରାଜ୍ୟର କିଛି ବିଜେପି ନେତା କଂଗ୍ରେସ ସହ ମିଶି ଷଡ଼ଯନ୍ତ୍ର କରିଥିଲେ ବୋଲି ସେ କହିଛନ୍ତି। ଏଥିସହ ତାଙ୍କ ଇସ୍ତଫା ପରେ ମଧ୍ୟ ମଣିପୁରରେ ହିଂସା ଜାରି ରହିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ବୀରେନ କହିଛନ୍ତି ଯେ ୨୦୧୭ରୁ ତାଙ୍କ ସହ ଭଲ ବ୍ୟବହାର କରାଯାଇ ନାହିଁ। ତେବେ ସେ କେନ୍ଦ୍ରୀୟ ନେତୃତ୍ୱକୁ ନୁହେଁ, ବରଂ ରାଜ୍ୟର କିଛି ନେତାଙ୍କୁ ଦାୟୀ କରିଛନ୍ତି।
ବୀରେନଙ୍କ ଅଭିଯୋଗ ଅନୁଯାୟୀ, କଂଗ୍ରେସ ଛାଡ଼ି ବିଜେପିକୁ ଆସିବା ପରେ ସେ ଦୁଇଥର ମୁଖ୍ୟମନ୍ତ୍ରୀ ହେବାକୁ ଦଳର କିଛି ବିଧାୟକ ସହ୍ୟ କରିପାରି ନ ଥିଲେ। ସେମାନେ ବିଜେପିକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ବିଚାର କରୁଥିଲେ। ତେଣୁ ତାଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରି ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ। ମଣିପୁରରେ ଶାନ୍ତି ଫେରାଇବା ପାଇଁ ତାଙ୍କୁ ପଦରୁ ହଟାଯାଇଥିବା ଯୁକ୍ତିକୁ ମଧ୍ୟ ବୀରେନ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ମଧ୍ୟ ହିଂସା କାହିଁକି ଜାରି ରହିଛି? କେତେ ନାଗା ଭାଇଙ୍କ ମୃତ୍ୟୁ ହୋଇଛି? ପୂର୍ବରୁ ତାଙ୍କ ଉପରେ ବହୁସଂଖ୍ୟକ ସମ୍ପ୍ରଦାୟର ପକ୍ଷ ନେଉଥିବା ଅଭିଯୋଗ ହେଉଥିଲା। ଏବେ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ହିଂସା ହେଉଛି। ୟୁରୋପୀୟ ସଂଘ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୱାଇ ଖେମଚାନ୍ଦ ସିଂହ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ବୀରେନ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ଅଫିମ ଚାଷ ଉଚ୍ଛେଦ ଏବଂ ସନ୍ଦିଗ୍ଧ ବେଆଇନ ପ୍ରବାସୀଙ୍କ ବାୟୋମେଟ୍ରିକ୍ ପରିଚୟ ଯାଞ୍ଚ ଜାରି ରଖିବାକୁ ସେ ସରକାରଙ୍କୁ କହିଛନ୍ତି। ଏହି କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସରକାର ସାଧାରଣ ଲୋକଙ୍କୁ ଅବଗତ କରାଉ ନ ଥିବାରୁ ବିଜେପି ଜନସମର୍ଥନ ହରାଉଛି ବୋଲି ସେ କହିଛନ୍ତି।
ଆସନ୍ତା ବର୍ଷ ପ୍ରାରମ୍ଭରେ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବିଜେପି ପୁଣି କ୍ଷମତାକୁ ଫେରିବା ଆବଶ୍ୟକ ବୋଲି ବୀରେନ କହିଛନ୍ତି। ଲୋକେ ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଥିବା ସେ ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ ନିଷ୍ପତ୍ତି ଦଳର ବିଜୟ ଓ ବହୁମତ ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବିଜେପି ଭିତରେ ଅସନ୍ତୋଷ ଓ କଂଗ୍ରେସର ଅବିଶ୍ୱାସ ପ୍ରସ୍ତାବ ଆଶଙ୍କା ମଧ୍ୟରେ ବୀରେନ ୯ ଫେବ୍ରୁଆରି ୨୦୨୫ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
