Man Held for Recce of Sensitive Mumbai Locations: ଟଙ୍କା ଲୋଭରେ ଦେଶବିରୋଧୀ କାମ, ଯୁବକଙ୍କୁ ବାନ୍ଧିଲା ପୋଲିସ
ମୁମ୍ବାଇର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଗୁପ୍ତଚରୀ କରିବା ଅଭିଯୋଗରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି।
ଅନ୍ତର୍ଜାତୀୟ ଅପରାଧୀ ଗ୍ୟାଙ୍ଗ୍ ଏବଂ ଦେଶବିରୋଧୀ ତତ୍ତ୍ୱଙ୍କ ନିର୍ଦ୍ଦେଶରେ ସେ ଏହି କାର୍ଯ୍ୟ କରୁଥିବା ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ଦଳ (ଏଟିଏସ) ପକ୍ଷରୁ କୁହାଯାଇଛି।
ଗିରଫ ଯୁବକଙ୍କ ନାମ ୟଶ ସିଂହ।
ମୁମ୍ବାଇର ଚାବାଡ୍ ହାଉସ୍ ସମେତ ଅନେକ ସମ୍ବେଦନଶୀଳ ସ୍ଥାନର ତଥ୍ୟ ସଂଗ୍ରହ କରି ସୋସିଆଲ୍ ମିଡିଆ ଜରିଆରେ ଦେଶବିରୋଧୀ ହ୍ୟାଣ୍ଡଲରଙ୍କୁ ପଠାଉଥିବା ଅଭିଯୋଗ ରହିଛି।
Advertisment ଏଟିଏସର ସୂଚନା ଅନୁସାରେ, ସୋସିଆଲ୍ ମିଡିଆରେ ଦେଶବିରୋଧୀ ତତ୍ତ୍ୱଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତାଙ୍କୁ ପ୍ରଥମେ ଅଟକ ରଖାଯାଇଥିଲା।
ପରବର୍ତ୍ତୀ ସମୟରେ କେରଳ ପୋଲିସ ତ୍ରିଶୂର ଜିଲ୍ଲାରେ ରୁଜୁ ହୋଇଥିବା ଏକ ମାମଲାରେ ତାଙ୍କୁ ହେପାଜତକୁ ନେଇଥିଲା।
ପଚରାଉଚରା ସମୟରେ ୟଶ ସିଂହଙ୍କ ଠାରୁ ଅନେକ ତଥ୍ୟ ମିଳିଛି।
ଦକ୍ଷିଣ ମୁମ୍ବାଇର କୋଲାବା ଅଞ୍ଚଳ ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନର ଫଟୋ, ଯାନବାହନ ସମ୍ପର୍କିତ ତଥ୍ୟ ଏବଂ ଅନ୍ୟାନ୍ୟ ସୂଚନା ସଂଗ୍ରହ କରି ପଠାଇବାକୁ ତାଙ୍କୁ ନିର୍ଦ୍ଦେଶ ମିଳିଥିଲା।
Advertisment ଏହା ସହିତ ଚାବାଡ୍ ହାଉସ୍ର ଅବସ୍ଥିତି, ଯିହୁଦୀ ସମ୍ପ୍ରଦାୟର ଲୋକଙ୍କ ମାଲିକାନାରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଏବଂ ଯିହୁଦୀ ଓ ବିଦେଶୀ ନାଗରିକଙ୍କ ଯାତାୟାତ ଥିବା ସ୍ଥାନ ସମ୍ପର୍କରେ ତଥ୍ୟ ମାଗିଥିବା ଜଣାପଡ଼ିଛି।
ଏହି କାମ ପାଇଁ ୟଶ ଟଙ୍କା ମଧ୍ୟ ପାଇଥିବା ATS ଅଧିକାରୀମାନେ କହିଛନ୍ତି।
ୟଶ ସିଂହ ଟେଲିଗ୍ରାମ୍ ଜରିଆରେ ଦେଶବିରୋଧୀ ତତ୍ତ୍ୱଙ୍କ ସହ ଯୋଗାଯୋଗରେ ଥିବା ତଦନ୍ତରୁ ଜଣାପଡ଼ିଛି।
କେରଳର ତ୍ରିଶୂର ଇଷ୍ଟ ପୋଲିସ ଷ୍ଟେସନରେ ୟୁଏପିଏ ଆଇନ ଅନୁଯାୟୀ ରୁଜୁ ହୋଇଥିବା ଏକ ମାମଲାରେ ଗିରଫ ଅଭିଯୁକ୍ତଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ଥିବା ଅଭିଯୋଗ ରହିଛି।
ଏହି ସୂଚନା ପାଇବା ପରେ କେରଳର ତ୍ରିଶୂର ପୋଲିସ ଟିମ୍ ନଭି ମୁମ୍ବାଇରେ ପହଞ୍ଚି ୟଶଙ୍କୁ ପଚରାଉଚରା କରିଥିଲା।
ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ନେଇ ପ୍ରମାଣ ମିଳିବା ପରେ କେରଳ ପୋଲିସ ତାଙ୍କୁ ଗିରଫ କରିଥିବା ଏଟିଏସ କହିଛି।
ଅନ୍ତର୍ଜାତୀୟ ଅପରାଧୀ ଗ୍ୟାଙ୍ଗ୍ ଏବଂ ବିଦେଶରେ ରହି ଅପରାଧିକ କାର୍ଯ୍ୟକଳାପ ଚଳାଉଥିବା ମାଷ୍ଟରମାଇଣ୍ଡମାନେ ବେରୋଜଗାର ଯୁବକମାନଙ୍କୁ ଟାର୍ଗେଟ୍ କରୁଛନ୍ତି।
ଟେଲିଗ୍ରାମ୍, ଇନଷ୍ଟାଗ୍ରାମ୍ ଓ ହ୍ୱାଟ୍ସଆପ୍ ଭଳି ସୋସିଆଲ୍ ମିଡିଆ ମାଧ୍ୟମରେ ଟଙ୍କାର ଲୋଭ ଦେଖାଇ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରୁଥିବା କାର୍ଯ୍ୟ କରାଉଛନ୍ତି।
ଏଥିରେ ଶହଜାଦ ଭଟ୍ଟି ନେଟୱର୍କର ମଧ୍ୟ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି।
ଅନ୍ୟପଟେ, ପଶ୍ଚିମ ଏସିଆରେ ଇସ୍ରାଏଲକୁ କେନ୍ଦ୍ର କରି ଚାଲିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ଅଧିକ ସତର୍କ ରହିଛନ୍ତି।
୨୦୦୮ ମସିହାର ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣ ସମୟରେ ନରିମାନ ହାଉସ୍ ନାମରେ ପରିଚିତ ଚାବାଡ୍ ହାଉସ୍ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟ୍ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
