Madhubabu Pension Scheme: ମଧୁବାବୁ ପେନ୍‌ସନ୍‌ ଯୋଜନା: ସାମିଲ ହେବେ ଆଉ ୬ ଲକ୍ଷ, ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ ଆଲୋଚନା

Jun 25, 2026 - 03:29
Madhubabu Pension Scheme: ମଧୁବାବୁ ପେନ୍‌ସନ୍‌ ଯୋଜନା: ସାମିଲ ହେବେ ଆଉ ୬ ଲକ୍ଷ, ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ ଆଲୋଚନା

ଭୁବନେଶ୍ବର: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଠାୱଲେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସାମାଜିକ କଲ୍ୟାଣ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜନହିତକର କାର୍ଯ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟରେ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ରାଜ୍ୟରେ ସାମାଜିକ ସୁରକ୍ଷା ପାଇଁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଆଉ ୬ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅଧିକ ୫ କେଜି ଚାଉଳ ଯୋଗାଇଦେବା ଆଦି ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଜଣାଇଥିଲେ। 

Elephant: କନ୍ଧମାଳରେ ହାତୀ ଆତଙ୍କ; ଜନସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପରବର୍ତ୍ତୀ ସମୟରେ ଶ୍ରୀ ଅଠାୱଲେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ପଞ୍ଚାୟତିରାଜ ଓ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ବୟନ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଅନୁସୂଚିତ ଜାତି, ଓବିସିଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଛାତ୍ରବୃତ୍ତି, ଉଚ୍ଚଶିକ୍ଷା ଓ ଚାକିରିରେ ସଂରକ୍ଷଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାସହ ଜନଆକ୍ରୋଶର ଶିକାର ହେଉଥିବା ପୀଡ଼ିତଙ୍କୁ ଆର୍ଥିକ ସହାୟତା, ଆନ୍ତଃଜାତି ବିବାହିତ ଦମ୍ପତିଙ୍କୁ କେନ୍ଦ୍ର ସରକାରଙ୍କ ସହାୟତାକ୍ରମେ ୨.୫ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଉଛି। ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୪ ହଜାର ୯୫୮ ଦମ୍ପତିଙ୍କୁ ପ୍ରୋତ୍ସାହନ ରାଶି ମିଳିଛି। 

ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ

ସେହିପରି କେନ୍ଦ୍ର ସରକାରଙ୍କ ପେନ୍‌ସନ୍ ଯୋଜନା ମାଧ୍ୟମରେ ରାଜ୍ୟର ପ୍ରାୟ ୯୦ ହଜାର ୨୮୩ ଭିନ୍ନକ୍ଷମ ପେନ୍‌ସନ୍‌ ପାଉଛନ୍ତି। ଏଥିସହ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବତନ୍ତ୍ର ବିଦ୍ୟାଳୟ ଓ ସଂରକ୍ଷଣ, ଭିନ୍ନକ୍ଷମ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସେମାନଙ୍କୁ ପ୍ରାରମ୍ଭିକ ସହାୟତା ଯୋଗାଇବା ଉପରେ ଗୁରୁତ୍ବ ଦିଆଯାଇଛି। ବୈଠକରେ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ ବି. ପରମେଶ୍ବରନ, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଓବିସି ନିର୍ଦ୍ଦେଶକ ଯୁଗଳେଶ୍ବରୀ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ, ବିଏମ୍‌ସିର ଅତିରିକ୍ତ ଆୟୁକ୍ତ ସସ୍ମିତା ସାହୁ, ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଶାସନ ସଚିବ ଗୀତାଞ୍ଜଳି ନାଏକ, ମଧୁସ୍ମିତା ସାମଲ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। 

Horoscope 2026 June 25: ଜାଣନ୍ତୁ ଆଜିର ରାଶିଫଳ

ଏହି ଅବସରରେ ଶ୍ରୀ ଅଠାୱଲେ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଓଡ଼ିଶାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି। କେନ୍ଦ୍ର ସରକାରଙ୍କ ଯଦି କୌଣସି ପାଣ୍ଠି ଅଟକି ଥାଏ ତା’ ହେଲେ ଦିଲ୍ଲୀ ଫେରିଲା ପରେ ଅଧିକାରୀଙ୍କ ସହ ଏ ବିଷୟରେ ଆଲୋଚନା କରିବି। ଦଳିତଙ୍କ ଅତ୍ୟାଚାର ସଂପର୍କିତ ମାମଲାଗୁଡ଼ିକର ବର୍ଷକୁ ୨ଥର ସମୀକ୍ଷା କରାଯିବା ଉଚିତ। ପ୍ରତ୍ୟେକ ଜିଲ୍ଲାରେ ବୃଦ୍ଧାଶ୍ରମ ପ୍ରତିଷ୍ଠା ସହ ନିଶାମୁକ୍ତି ଅଭିଯାନ ଅଧୀନରେ ନିଶା ନିବାରଣ ପାଇଁ ପଦକ୍ଷେପ ନିଆଯାଉଛି। ତୃତୀୟଲିଙ୍ଗୀମାନଙ୍କୁ ଆଶ୍ରୟସ୍ଥଳ ଓ ଅନ୍ୟ ସରକାରୀ ଯୋଜନାରେ ସାମିଲ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ଜାତୀୟ ଦଳଙ୍କୁ ବିଜେପି ଭାଙ୍ଗୁଥିବା ଅଭିଯୋଗ ଉପରେ ସେ କହିଥିଲେ, ବହୁ ଆଞ୍ଚଳିକ ଦଳ ବିଜେପି ସହ ସାମିଲ ହେବାକୁ ଚାହୁଁଛନ୍ତି। ତେଣୁ ଆଞ୍ଚଳିକ ଦଳମାନଙ୍କୁ ବିଜେପି ଭାଙ୍ଗିବାର ଆବଶ୍ୟକତା ନାହିଁ। ପୂର୍ବରୁ ବିଜେଡି ଏନ୍‌ଡିଏ ସହ ରହିଥିଲା। ଏବେ ବିଜେଡିର ସେଭଳି କୌଣସି ଆବଶ୍ୟକତା ଥିବା ମନେ କରୁନାହିଁ।