Rathkhala: ରଥଖଳା: ପଡ଼ିଲା ୬ ନମ୍ବର ହରିବୋଲ, ଉଠିଲା ପାରାଭାଡ଼ି
ପୁରୀ: ଆଜି ରଥ ନିର୍ମାଣ କାର୍ଯ୍ୟ ୬୫ତମ ଦିନରେ ପହଞ୍ଚିଛି। ରଥ ନିର୍ମାଣକାରୀ ସେବକମାନେ ରଥଖଳାରେ ପହଞ୍ଚି ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ତିନିରଥର ପ୍ରଭାକାର୍ଯ୍ୟ ନିର୍ମାଣ ଶେଷ ପରେ ରୂପକାର ସେବକମାନେ ଖୋଦେଇ ଆରମ୍ଭ କରିଛନ୍ତି। ପୂର୍ବରୁ ପ୍ରଭା ଫ୍ରେମ୍ରେ ପଟା ପଡ଼ିବା ସହ ପ୍ରଭା ପଟାରେ ବାଙ୍କ ଖିଲଣ କଟା ହୋଇଥିଲା। ପ୍ରଭାରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଂ ଶେଷ ହୋଇଥିଲା। ଜଗତ ଶ୍ରେଣୀ ପୃଷ୍ଠ ୫ଟି ରଥ ଉପରକୁ ଉଠିଛି। ଅନ୍ୟପଟେ ପାରାଭାଡ଼ି ସହ ଖପୁରି ଆଜି ରଥ ଉପରକୁ ଉଠିଛି। ଭୋଇ ସେବକମାନେ ୬ ନମ୍ବର ହରିବୋଲ ପକାଇ ଏହି ଶୁଭକାର୍ଯ୍ୟ କରିଛନ୍ତି।
TMC: ମହୁଆ-ମମତାଙ୍କ ମଧ୍ୟରେ ବଢୁଛି ଦୂରତା
ଅନ୍ୟପଟେ ନୂଆ ବ୍ରେକ୍ ମଧ୍ୟ ଗତକାଲି ଆସି ରଥଖଳାରେ ପହଞ୍ଚିଛି। ରୂପକାର ସେବକମାନେ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି। ଏବେ ନାଟ ଗୋଡ଼ରେ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଛି। ପଟା ଗୁଜଗୁଡିକରେ ନର ବିରଳ, ସିଂହ ବିରଳ ଓ ଗଜ ବିରଳ ଚିତ୍ର ଖୋଦେଇ କାର୍ଯ୍ୟ ଜାରି ରହିଛି। ଚିତ୍ରକର ସେବକମାନେ କଳସରେ ପଦ୍ମ ପାଖୁଡ଼ା ଚିତ୍ର ରଙ୍ଗ କାର୍ଯ୍ୟ ସହ ନାଟ ଗୋଡ଼ର ରଙ୍ଗ କାର୍ଯ୍ୟ କରୁଛନ୍ତି। ଏଥିସହ ରଥ ପାର୍ଶ୍ୱ ଦେବାଦେବୀ ମୂର୍ତ୍ତି ପ୍ରତିମାଗୁଡ଼ିକର ରଙ୍ଗ କାର୍ଯ୍ୟ ସହ ଚକ, ଦଣ୍ଡାଗୁଡିକରେ ରଙ୍ଗ କାର୍ଯ୍ୟ ଜାରି ରହିଛି। ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ଧୂଳି ଦଣ୍ଡା ଓ ରଥରେ ଶୁଆ ସେଟିଂ ପାଇଁ ନରାଜ କଣ୍ଟା ନିର୍ମାଣ କରିଛନ୍ତି। ମଠା କାର୍ଯ୍ୟ ଶେଷ କରି ବେଦି କଣ୍ଟା, ପ୍ରଭା କଣ୍ଟା ନିର୍ମାଣ ସହ ତିନିରଥ ପଛ ଚକଗୁଡ଼ିକର ସୁରକ୍ଷା ପାଇଁ ଲୁହାପ୍ଲେଟ୍ ଫିଟିଂ କାର୍ଯ୍ୟ ଜାରି ରଖିଛନ୍ତି। ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପାହି ମହାରଣାମାନେ ରଥଯାତ୍ରାରେ ସେବା ପୂଜା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି।