Vigilance raid: ଷ୍ଟ୍ରିଟ୍‌ଲାଇଟ୍ କେଳେଙ୍କାରୀରେ ଭିଜିଲାନ୍ସ ପଶିଲା: ୨୦୨୧-୨୨, ୨୦୨୨-୨୩ ବର୍ଷରେ ଆର୍ଥିକ ହେରଫେର

Jun 25, 2026 - 03:29
Vigilance raid: ଷ୍ଟ୍ରିଟ୍‌ଲାଇଟ୍ କେଳେଙ୍କାରୀରେ ଭିଜିଲାନ୍ସ ପଶିଲା: ୨୦୨୧-୨୨, ୨୦୨୨-୨୩  ବର୍ଷରେ ଆର୍ଥିକ ହେରଫେର

କଟକ/ଭୁବନେଶ୍ବର: ବିଜେଡି ସରକାର ସମୟରେ ଗ୍ରାମାଞ୍ଚଳରେ ଏଲ୍‌ଇଟି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବାରେ ବ୍ୟାପକ ଦୁର୍ନୀତିକୁ ନେଇ ଭିଜିଲାନ୍ସ ବଡ଼ଧରଣର ତନାଘନା ଆରମ୍ଭ କରିଛି। ବିଜେପି ସରକାର କ୍ଷମତାକୁ ଆସିଲା ପରେ ପୂର୍ବ ସରକାରର ଦୁର୍ନୀତି ଉପରେ ଏହା ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ଭିଜିଲାନ୍ସର ୮୧ ଜଣ ଅଧିକାରୀ ଏକା ସଙ୍ଗରେ ତିନିଟି ଜିଲ୍ଲାକେନ୍ଦୁଝର, ନୟାଗଡ଼ ଓ ଯାଜପୁରରେ ବ୍ୟାପକ ଯାଞ୍ଚ କରିଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ସରକାରୀ ଟଙ୍କା ଆତ୍ମସାତ ହୋଇଥିବାର ପ୍ରମାଣ ଲାଗିଛି। ବିଜେଡି ସାଂଗଠନିକ କସରତ ପାଇଁ ଆସନ୍ତାକାଲି ବଡ଼ ବୈଠକ ଡାକିଥିଲା ବେଳେ ଆଜି ଭିଜିଲାନ୍ସ ଚଢ଼ଉ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି।  

TMC: ମହୁଆ-ମମତାଙ୍କ ମଧ୍ୟରେ ବଢୁଛି ଦୂରତା

୨୦୨୧-୨୨, ୨୦୨୨-୨୩ 
ବର୍ଷରେ ଆର୍ଥିକ ହେରଫେର
୩ ଜିଲ୍ଲାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ 
ପଞ୍ଚାୟତରେ ୨୪ ଟିମ୍‌ର ଖୋଳତାଡ଼ 

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୧-୨୨ ଓ ୨୦୨୨-୨୩ ମଧ୍ୟରେ କେନ୍ଦୁଝର, ନୟାଗଡ଼ ଓ ଯାଜପୁର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏଲ୍‌ଇଡି ଷ୍ଟ୍ରିଟ୍‌ଲାଇଟ୍ ଲଗାଇବା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଏବଂ ସରକାରୀ ଅର୍ଥ ଆତ୍ମସାତ ସମ୍ପର୍କରେ ଅଭିଯୋଗ ଆସିଥିଲା। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୨୪ଟି ଟିମ୍ ଗଠନ କରାଯାଇଥିବା ବେଳେ ଏଥିରେ ମୋଟ ୮୧ ଜଣ ଅଧିକାରୀ ଅଛନ୍ତି। ଯେଉଁଥିରେ ଅତିରିକ୍ତ ଏସ୍‌ପି, ଡିଏସ୍‌ପି, ଇନ୍ସପେକ୍ଟର୍‌ ଏବଂ ଅନ୍ୟମାନେ ସାମିଲ ଅଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ୨୭ ଜଣ ଅଧିକାରୀ ତଦନ୍ତ ଦାୟିତ୍ବରେ ରହିବେ। ରାଜ୍ୟ ଅର୍ଥ କମିସନ୍‌ଙ୍କ ବିକେନ୍ଦ୍ରୀକରଣ ଅନୁଦାନ ଅଧୀନରେ ଆରମ୍ଭ ହୋଇଥିବା ଏଲ୍‌ଇଡି ଷ୍ଟ୍ରିଟ୍‌ଲାଇଟ୍‌ ବ୍ୟବସ୍ଥାରେ ପ୍ରତି ପଞ୍ଚାୟତର ଗୋଟିଏ ଗ୍ରାମରେ ଏପରି ଲାଇଟ୍ ଲଗାଯିବା ସହିତ ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ ବ୍ୟାପକ ଅନିୟମିତତା ଏବଂ ଟେଣ୍ଡର ନିୟମାବଳୀର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ପ୍ରତ୍ୟେକ ୧୦ଟି ଏଲ୍‌ଇଡି ଲାଇଟ୍ ବିଶିଷ୍ଟ କ୍ଲଷ୍ଟର୍‌ ପାଇଁ ଆବଶ୍ୟକ ହେଉଥିବା ଗୁରୁତ୍ୱପୂର୍ଣ୍ଣ ସରଞ୍ଜାମ ଯେପରିକି; ଏନର୍ଜି ମିଟର୍‌, ୫୦୦ ମିଟର୍‌ କେବୁଲ୍, ଏମ୍‌ସିସିବି, ଆଇ ହୁକ୍, ସସ୍‌ପେନସନ୍‌ କ୍ଲାମ୍ପ, ଡେଡ୍ ଏଣ୍ଡ କ୍ଲାମ୍ପ ଏବଂ ଫଟୋ ସୁଇଚ୍ ଟାଇମର୍‌ ଇତ୍ୟାଦି ନ ଲଗାଇ ସେଗୁଡ଼ିକ ଲଗାଯାଇଥିବା ଦର୍ଶାଇ ବିଲ୍ ଉଠାଯାଇଛି। ସରକାରୀ ପାଣ୍ଠିର ଅପବ୍ୟବହାର କରାଯାଇଥିବା ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଛି। 

Health: ଭୁବନେଶ୍ବରରେ ଖୋଲିବ ନୂଆ କିଡ୍‌ନି ହସ୍ପିଟାଲ

ସରକାରୀ ଅର୍ଥ ଆତ୍ମସାତର ପରିମାଣ ଆକଳନ କରିବା ଏବଂ ଏହି ପ୍ରକଳ୍ପରେ ସରକାରୀ କର୍ମଚାରୀ ଓ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକର ସଂପୃକ୍ତିକୁ ସ୍ପଷ୍ଟ କରିବା ପାଇଁ ଆଜି ୩ଟି ଜିଲ୍ଲାର ୫୦ଟି ସ୍ଥାନରେ ପ୍ରତ୍ୟକ୍ଷ କ୍ଷେତ୍ର ବୈଷୟିକ ଅନୁସନ୍ଧାନ ଏବଂ ଯାଞ୍ଚ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି। 
ବିଜେଡି ସରକାର ସମୟରେ ୬୭୯୮ ଗ୍ରାମ ପଞ୍ଚାୟତର ୨୫ ହଜାର ଗାଁରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା। କେନ୍ଦୁଝର ଜିଲ୍ଲାରେ ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ୨୯୭ଟି ପଞ୍ଚାୟତକୁ ଦୁଇଟି ଆର୍ଥିକ ବର୍ଷରେ ୯ କୋଟି ୨ ଲକ୍ଷ, ନୟାଗଡ଼ରେ ୧୯୫ଟି ପଞ୍ଚାୟତ ପାଇଁ ୫ କୋଟି ୯୩ ଲକ୍ଷ ଓ ‌ଯାଜପୁରରେ ୮ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।