Editorial: ପାଦ ପାଇଁ ପଦେ
"ସେ ଧନୀ ହୋଇଥାନ୍ତୁ କି ଦରିଦ୍ର ହୋଇଥାନ୍ତୁ, ଛାତ୍ର ହୋଇଥାନ୍ତୁ କି ଶିକ୍ଷକ, ଶ୍ରମିକ ହୋଇଥାନ୍ତୁ କି ମାଲିକ, ମନ୍ତ୍ରୀ ହୋଇଥାନ୍ତୁ କି ହୋଇଥାନ୍ତୁ ମତଦାତା...
ଚାଲୁଥିବା ଅବସ୍ଥାରେ ସମସ୍ତେ ହୋଇଥାନ୍ତି ଜଣେ ଜଣେ ପଦଚାରୀ।
ତେଣୁ ଏଥିପାଇଁ ଚାଲିବାର ଅଧିକାର ହେଉଛି ସମାନତା ଅଧିକାରର ଏକ ଅବିଚ୍ଛେଦ୍ୟ ଅଂଶ।
ଅନେକ ନଗରୀକରଣ ବିଶେଷଜ୍ଞମାନେ ତେଣୁ ଏକ ସହରରେ ଥିବା ସ୍କାଏସ୍କ୍ରେପର୍ର ଉଚ୍ଚତା ନୁହେଁ, ତାହାର ଫୁଟ୍ପାଥ୍ର ଅବସ୍ଥାକୁ ସେ ସହରର ସଭ୍ୟତାର ପରିମାପକ ରୂପେ ଦେଖିଥାନ୍ତି।Advertisment Editorial: ବିଶ୍ବାସର ଶତାଂଶ ଭାରତୀୟ ସଂବିଧାନର ଧାରା-୨୧ ଏ ଦେଶର ନାଗରିକମାନଙ୍କୁ ବଞ୍ଚିବାର ମୌଳିକ ଅଧିକାର ପ୍ରଦାନ କରିଥାଏ।
ବିଗତ ବର୍ଷମାନଙ୍କରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ ବିଭିନ୍ନ ସମୟରେ ରାୟ ଦେଇ ଏଇ ଧାରା-୨୧ର ପ୍ରୟୋଗର ପରିସରକୁ ସଂପ୍ରସାରିତ କରିଚାଲିବା ଦେଖାଯାଇଛି।
ଉଦାହରଣ ସ୍ବରୂପ ଦୁଇ ମାସ ତଳେ ଅଦାଲତ ଆପଣାଛାଏଁ ଏକ ରାୟ ଦେଇ ଦେଶର ସଡ଼କମାନଙ୍କୁ ଗାଡ଼ି ଚଳାଚଳ ପାଇଁ ନିରାପଦ ରଖାଯିବାକୁ ଏଇ ଧାରାର ପରିସରରେ ଅନ୍ତର୍ଭୁକ୍ତ କରିଥିଲେ।
ଏବେ ଏଇ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିଥିବା ଏକା ସଦ୍ୟ ରାୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପଥଚାରୀମାନେ ନିରାପଦରେ ଚାଲିପାରିବା ପାଇଁ ଉପଯୁକ୍ତ ଭାବରେ ରକ୍ଷଣାବେକ୍ଷଣ କରାଯାଉଥିବା ଫୁଟ୍ପାଥ୍ ଓ ଚଲାପଥମାନଙ୍କର ଉପଲବ୍ଧତାକୁ ମଧ୍ୟ ଧାରା-୨୧ର ପରିସର ଅନ୍ତର୍ଭୁକ୍ତ କରିଦେଇଛନ୍ତି।ଚାଲିବାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ରୂପେ ବର୍ଣ୍ଣନା କରି ନାଗରିକର ନିରାପଦରେ ଚାଲିବାର ଅଧିକାରକୁ ତାଙ୍କର ଏଇ ରାୟରେ ଅଦଲାତ ଏକ ମୌଳିକ ଅଧିକାର ରୂପେ ଘୋଷଣା କରିଛନ୍ତି।
ନିଜର ଏଇ ଅଧିକାରର ଉଲ୍ଲଂଘନ ଘଟିଲେ ଜଣେ ନାଗରିକ ତାହାର ପ୍ରତିକାର ପାଇଁ ଏଣିକି ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବ।
ନାଗରିକର ଏଇ ମୌଳିକ ଅଧିକାରକୁ ସ୍ବୀକୃତି ପ୍ରଦାନ ନିମିତ୍ତ ଏକ ଆଇନ ପ୍ରଣୟନ କରିବା ପାଇଁ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗାଡ଼ି ଧକ୍କାରେ ରାସ୍ତାରେ ଚାଲିଚାଲି ଯାଉଥିବା ଏକ ସ୍କୁଲ ଛାତ୍ରର ମୃତ୍ୟୁ ଘଟିବା ସଂପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏଇ ରାୟ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି।ତେବେ ଏଇ ରାୟର ତାତ୍ପର୍ଯ୍ୟ ସୁଦୂରପ୍ରସାରୀ ହୋଇଥାଏ।
ଏହା ଆମର ନଗରାଞ୍ଚଳ ନିର୍ମାଣ ପଛରେ ନିହିତ ଥିବା ସଂକୀର୍ଣ୍ଣ, ସ୍ବଚ୍ଛଳ-ତୁଷ୍ଟିକାରୀ ମାନସିକତାକୁ ପଦାରେ ପକାଇ ସେଗୁଡ଼ିକୁ ଅଧିକ ଅନ୍ତର୍ଭୁକ୍ତକାରୀ କରିବା ଦିଗରେ ଏକ ଉଦ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ।
ବର୍ତ୍ତମାନର ଉପସ୍ଥିତ ବ୍ୟବସ୍ଥା ଦେଖିଲେ ମନେହୁଏ ଆମର ସହରମାନ ହେଉଛନ୍ତି କେବଳ ସ୍ବଚ୍ଛଳ ବର୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ଯାତାୟାତ କରିବା ପାଇଁ ସର୍ବଦା ଗାଡ଼ିମଟର ବ୍ୟବହାର କରିଥାନ୍ତି।
ସୁପ୍ରିମ୍ କୋର୍ଟଙ୍କର ରାୟ କିନ୍ତୁ ସ୍ପଷ୍ଟ କରିଦେଇଛି ଯେ ଗମନାଗମନ ପାଇଁ ନିଜର ଈଶ୍ବରଦତ୍ତ ପାଦ ବ୍ୟବହାର କରୁଥିବା ସମସ୍ତଙ୍କର ମଧ୍ୟ ସହରମାନଙ୍କରେ ନିରାପଦରେ ଓ ଅବାଧରେ ବାସ କରିବାର ଅଧିକାର ରହିଛି- ପିଲାରୁ ବୁଢ଼ା ପର୍ଯ୍ୟନ୍ତ, ଧନୀରୁ ଗରିବ ପର୍ଯ୍ୟନ୍ତ, ଶାରୀରିକ ସକ୍ଷମରୁ ଅକ୍ଷମ ପର୍ଯ୍ୟନ୍ତ...।ସୁପ୍ରିମ୍ କୋର୍ଟଙ୍କର ଏଇ ରାୟ ବାସ୍ତବରେ ସାବ୍ୟସ୍ତ କରିବାକୁ ଚାହିଁବା ଭଳି ମନେ ହୋଇଥାଏ ଯେ ପଦବ୍ରଜର ଇତିହାସ ହେଉଛି ପୃଥିବୀ ପୃଷ୍ଠରେ ମାନବ ସଭ୍ୟତାର ଇତିହାସ।
ମନୁଷ୍ୟ ଚକ ବା ଇଞ୍ଜିନ ବା ବ୍ୟୋମଯାନ ଉଦ୍ଭାବନ କରିବାର ବହୁ ପୂର୍ବରୁ ତା"ର ପୂର୍ବପୁରୁଷମାନେ କେବଳ ପାଦରେ ଚାଲିଚାଲି ହିଁ ଆଫ୍ରିକାରୁ ବାହାରି ସାରା ପୃଥିବୀରେ ଖେଳାଇ ହୋଇ ଯାଇଥିଲେ।
ଆଜିର କୌଣସି ମନୁଷ୍ୟର ଚାଲିବାରେ କୃତ୍ରିମ ବାଧା ସୃଷ୍ଟି କରିବା ହେଉଛି ତେଣୁ ତା"ର ସେଇ ପାରମ୍ପରିକ ଅଧିକାରର ଏକ ଉଲ୍ଲଂଘନ।
ସାର୍ବଜନୀନ ସ୍ଥଳୀମାନଙ୍କ ଉପରେ ପ୍ରଥମ ଅଧିକାର ହେବା ଉଚିତ ମନୁଷ୍ୟର, କୌଣସି ଯନ୍ତ୍ରର ନୁହେଁ।ମାନବ ସଭ୍ୟତାକୁ ରୂପ ପ୍ରଦାନ କରିଥିବା ମହାନ ଚିନ୍ତାନାୟକ ଓ ଦାର୍ଶନିକମାନେ ତେଣୁ ସର୍ବଦା ଚାଲିବାର ଗୁଣଗାନ କରିଥିବା ଦେଖାଯାଇଥାଏ।
ଏହାର ଏକ ପ୍ରଧାନ ଉଦାହରଣ ହେଉଛନ୍ତି ପ୍ରସିଦ୍ଧ ସ୍ବିସ୍-ଫରାସୀ ଦାର୍ଶନିକ ରୁଷୋ, ଯିଏ ଘୋଷଣା କରିଥିଲେ ଯେ ତାଙ୍କର ପାଦ ଚଳମାନ ହେଲେ ହିଁ ତାଙ୍କର ମସ୍ତିଷ୍କ ଚଳମାନ ହୋଇଥାଏ।
ଚାଲିବା ତେଣୁ ତାଙ୍କୁ ଏକ ବୌଦ୍ଧିକ ମୁକ୍ତି ପ୍ରଦାନ କରୁଥିଲା।
ମହାତ୍ମା ଗାନ୍ଧୀଙ୍କର ଆଦର୍ଶ ଆମେରିକୀୟ ଦାର୍ଶନିକ ଥୋରୁ ମଧ୍ୟ ପଦବ୍ରଜକୁ ବିଭିନ୍ନ ସାମାଜିକ, ଅର୍ଥନୈତିକ, ରାଜନୈତିକ ବନ୍ଧନରୁ ସାମୟିକ ସ୍ବାଧୀନତାର ଘୋଷଣା ରୂପେ ବିଚାର କରୁଥିଲେ।
ମହାତ୍ମା ଗାନ୍ଧୀ ତେଣୁ ପାଦରେ ଚାଲିଚାଲି ସାରା ଦେଶ ପରିକ୍ରମା କରି ଶେଷରେ ସ୍ବାଧୀନତା ହାସଲ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।ରୁଷୋ, ଥୋରୁ ବା ଗାନ୍ଧୀ ସେମାନଙ୍କର ଅନ୍ତର୍ଦୃଷ୍ଟି ବଳରେ ଯେଉଁ ସତ୍ୟର ଆବିଷ୍କାର କରିଥିଲେ ଆଜିର ସ୍ବାସ୍ଥ୍ୟ ବିଜ୍ଞାନ ଗବେଷଣା ମାଧ୍ୟମରେ ତାହାକୁ ସତ୍ୟ ସାବ୍ୟସ୍ତ କରିଛି।
ଏହା ଅନୁସାରେ ଚାଲିବା ଦ୍ବାରା କାର୍ଡିଓଭାସ୍କୁଲାର ସ୍ବାସ୍ଥ୍ୟରେ ଉନ୍ନତି ଘଟିଥାଏ, ମାନସିକ ଚାପରେ ହ୍ରାସ ଘଟିଥାଏ, ସୃଜନଶୀଳତାରେ ବୃଦ୍ଧି ଘଟିଥାଏ ଏବଂ ମାନସିକ ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିଥାଏ।
ମନେ ହୁଏ ଏହାର ଏକ ପ୍ରାଚୀନ ତଥା ବଳିଷ୍ଠ ପ୍ରମାଣ ହେଉଛନ୍ତି ପାଶ୍ଚାତ୍ୟ ଦର୍ଶନର ଜନକ ସକ୍ରେଟିସ୍।
ପେଲୋପୋନେସିଆନ୍ ଯୁଦ୍ଧରେ ଏକ ପଦାତିକ ସୈନିକ ଭାବରେ ଭାଗ ନେଇ ଅପୂର୍ବ ସାହସିକତା ଓ ବୀରତ୍ବର ପରିଚୟ ଦେଇଥିବା ଏହି ବଳିଷ୍ଠ ବପୁଧାରୀ ବିଚକ୍ଷଣ ଚିନ୍ତକ ଏଥେନ୍ସର "ଆଗୋରା"ରେ ପଦଚାରଣ କରିବା ଅବସ୍ଥାରେ ହିଁ ତାଙ୍କର ସମସ୍ତ ବିଚକ୍ଷଣ ଚିନ୍ତନର ପରିସ୍ଫୁରଣ ଘଟିଥିଲା।
ଆରିଷ୍ଟୋଟଲଙ୍କ ଶିଷ୍ୟମାନେ ଚାଲିବା ଅବସ୍ଥାରେ ଜ୍ଞାନ ଚର୍ଚ୍ଚା କରୁଥିବାରୁ ସେମାନେ "ପେରିପାଟେଟିକ୍" ନାମରେ ପରିଚିତ ଥିଲେ।
Editorial: ମହାବିପତ୍ତି: ବିଳମ୍ବ ପ୍ରବୃତ୍ତି: ଗୌରଚନ୍ଦ୍ର ତ୍ରିପାଠୀଙ୍କ ସମ୍ପାଦକୀୟ ଆଶାର ଗବାକ୍ଷରେ ପଢ଼ନ୍ତୁ...
ତେବେ ପଦଚାରଣାର ଏଇ ବୌଦ୍ଧିକ ଦିଗକୁ ଅତିକ୍ରମ କରି ତା"ର ଅନ୍ୟ ଯେଉଁ ଏକ ଦିଗ ବିଶେଷ ଗୁରୁତ୍ବ ବହନ କରିଥାଏ, ତାହା ହେଲା ଏହାର ଚରମ ଗଣତାନ୍ତ୍ରିକ ଚରିତ୍ର।
ଚାଲିବା ପାଇଁ କୌଣସି ସଂପଦ ବା ମର୍ଯ୍ୟାଦା ଲୋଡ଼ା ହୋଇ ନ ଥାଏ।
ସେ ଧନୀ ହୋଇଥାନ୍ତୁ କି ଦରିଦ୍ର ହୋଇଥାନ୍ତୁ, ଛାତ୍ର ହୋଇଥାନ୍ତୁ କି ଶିକ୍ଷକ, ଶ୍ରମିକ ହୋଇଥାନ୍ତୁ କି ମାଲିକ, ମନ୍ତ୍ରୀ ହୋଇଥାନ୍ତୁ କି ହୋଇଥାନ୍ତୁ ମତଦାତା...
ଚାଲୁଥିବା ଅବସ୍ଥାରେ ସମସ୍ତେ ହୋଇଥାନ୍ତି ଜଣେ ଜଣେ ପଦଚାରୀ।
ତେଣୁ ଏଥିପାଇଁ ଚାଲିବାର ଅଧିକାର ହେଉଛି ସମାନତା ଅଧିକାରର ଏକ ଅବିଚ୍ଛେଦ୍ୟ ଅଂଶ।
ଅନେକ ନଗରୀକରଣ ବିଶେଷଜ୍ଞମାନେ ତେଣୁ ଏକ ସହରରେ ଥିବା ସ୍କାଏସ୍କ୍ରେପର୍ର ଉଚ୍ଚତା ନୁହେଁ, ତାହାର ଫୁଟ୍ପାଥ୍ର ଅବସ୍ଥାକୁ ସେ ସହରର ସଭ୍ୟତାର ପରିମାପକ ରୂପେ ଦେଖିଥାନ୍ତି।"ବେଗ ହିଁ ଉନ୍ନତିର ଲକ୍ଷଣ"କୁ ଆଦର୍ଶ ରୂପେ ଗ୍ରହଣ କରିଥିବା ଆଜିର ଅଣନିଃଶ୍ବାସୀ ଜୀବନଶୈଳୀରେ ଫୁଟ୍ପାଥ୍ ବ୍ୟବହାରକାରୀମାନଙ୍କର ଶିଥିଳ ଗତି ଏକ ବେଖାପ ବିକୃତି ଭଳି ମନେ ହେଉଥିଲେ ହେଁ, ଏଇ ପଦଚାରୀମାନଙ୍କ ପାଖରେ ହିଁ ପରସ୍ପରକୁ ଭେଟିବାର, କଥାବାର୍ତ୍ତା ହେବାର, ସୁଖଦୁଃଖ ବାଣ୍ଟିବାର, ମତାମତ ବିନିମୟ କରିବାର ସମୟ, ସୁବିଧା ଓ ମାନସିକତା ଥାଏ, ଯାହା ହେଉଛି ଉଭୟ ସଭ୍ୟତା ଓ ଗଣତନ୍ତ୍ରର ମୂଳାଧାର।ଥୋରୁ ଚାଲିବାରେ ସ୍ବାଧୀନତା ଆବିଷ୍କାର କରିଥିଲେ; ରୁଷୋ ସେଥିରେ ବିଜ୍ଞତା ସନ୍ଧାନ କରିଥିଲେ; ଭାରତର ସୁପ୍ରିମ୍ କୋର୍ଟ ସେଥିରେ ନାଗରିକର ଏକ େମୗଳିକ ଅଧିକାରର ଉପସ୍ଥିତି ଅନୁଭବ କରି ତାହାକୁ ନ୍ୟାୟିକ ସ୍ବୀକୃତି ପ୍ରଦାନ କରିଛନ୍ତି।
ଆଶା କରାଯାଏ ସରକାର ଓ ସ୍ବାୟତ୍ତଶାସନ ସଂସ୍ଥାମାନେ କୌଣସି ଅବହେଳା ପ୍ରଦର୍ଶନ ନ କରି ଏହାକୁ କାର୍ଯ୍ୟକାରୀ କରିବେ, େଯମିତି ଅବିଳମ୍ବେ ଏହା ଏକ ବାସ୍ତବତାରେ ପରିଣତ ହୁଏ।"