Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ଏସ୍‌ସିଇଆର୍‌ଟିରେ ଖୋଳତାଡ଼

Jun 25, 2026 - 03:29
Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ଏସ୍‌ସିଇଆର୍‌ଟିରେ ଖୋଳତାଡ଼

ଭୁବନେଶ୍ବର: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ‌ରେ ତଦନ୍ତ କମିଟି ଆଜି ଲୋକସେବା ଭବନ ବାହାରକୁ ବାହାରିଛି। ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତା‌ରେ ଗଠିତ ହୋଇଥିବା ତିନିଜଣିଆ କମିଟିର ଦୁଇ ସଦସ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟକେତନ ଉପାଧ୍ୟାୟ ଓ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ଆଜି ପୂର୍ବାହ୍ଣରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆର୍‌ଟି)ରେ ପହଞ୍ଚି ତନାଘନା କରିଥିଲେ। ସେମାନଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍‌. ତିରୁମାଲା ନାୟକ ମଧ୍ୟ ରହିଥିଲେ। ପାଖାପାଖି ଗୋଟିଏ ଘଣ୍ଟା ଧରି ଏସ୍‌ସିଇଆର୍‌ଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ସମେତ ପରିଷଦର ଅନ୍ୟାନ୍ୟ ଅଧିକାରୀଙ୍କୁ ଡାକି ପଚରାଉଚରା କରିଥିଲେ। କେଉଁ ବିଷୟରେ ଆଲୋଚନା ହେଲା ସେ ନେଇ କମିଟିର କୌଣସି ସଦସ୍ୟ ମୁହଁ ଖୋଲି ନ ଥିଲେ। ବରଂ ଗଣମାଧ୍ୟମକୁ ଦେଖି ସମସ୍ତେ ବାଟ କାଟି ପଳାଇ ଯାଇଥିଲେ। ସଂସ୍କୃତି ସଚିବ ଶ୍ରୀ ଉପାଧ୍ୟାୟ କେବଳ ଏତିକି କହିଥିଲେ ଯେ ଆଜି ସନ୍ଧ୍ୟା ସୁଦ୍ଧା ଆମେ ରିପୋର୍ଟ ପ୍ରଦାନ କରିବୁ।

Elephant: କନ୍ଧମାଳରେ ହାତୀ ଆତଙ୍କ; ଜନସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନିର୍ଦ୍ଦେଶିକାଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା
ତଦନ୍ତ ରିପୋର୍ଟ ଉପରେ ନଜର

ତଦନ୍ତ କମିଟି ଏସ୍‌ସିଇଆର୍‌ଟି ପରିସରରୁ ବାହାରି ଯିବା ପରେ ଶ୍ରୀମତୀ ସାହୁ ପଦାକୁ ଆସିଥିଲେ ମଧ୍ୟ କୌଣସି ଉତ୍ତର ରଖି ନ ଥିଲେ। ଲୋକସେବା ଭବନରେ ବୈଠକ ଅଛି, ବାଟ ଛାଡ଼ କହି ଚାଲିଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟରେ ପୁଣିଥରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ତଦନ୍ତ କମିଟିର ଦୁଇ ସଦସ୍ୟଙ୍କ ସମେତ ଗଣଶିକ୍ଷା ସଚିବ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, ଏସ୍‌ସିଇଆର୍‌ଟି ନିର୍ଦ୍ଦେଶିକାଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏସ୍‌ସିଇଆର୍‌ଟି କାର୍ଯ୍ୟାଳୟରୁ ସଂଗହ ହୋଇଥିବା ବହୁ ପରିମାଣର କାଗଜପତ୍ର ବୈଠକରେ ଉପସ୍ଥାପନ ହୋଇଥିଲା।

ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଦିଆଯାଇଥିବା ୭ ଦିନିଆ କଣ୍ଟ ଶେଷ ହୋଇଛି। ହେଲେ ତଦନ୍ତ କମିଟି ରିପୋର୍ଟ ପ୍ରଦାନ କଲା କି ନାହିଁ, ସେ ବାବଦରେ କୌଣସି ଅଧିକାରୀ ମୁହଁ ଖୋଲୁ ନାହାନ୍ତି। ରାତି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କରେ କୌଣସି ସୂଚନା ଆସି ନାହିଁ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତଦନ୍ତ କମିଟି ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଏସ୍‌ସିଇଆରଟି ଦ୍ବାରା ପ୍ରସ୍ତୁତ ହୋଇଥିବା କୋର୍‌ କମିଟି, ସମ୍ପାଦନା କମିଟି, ସମୀକ୍ଷକ କମିଟି, ବିଷୟ ବିଶେଷଜ୍ଞଙ୍କ ତାଲିକା ସଂଗୃହୀତ ହୋଇଛି। ଯେଉଁମାନେ ସଦସ୍ୟ ରହିଥିଲେ ସେମାନଙ୍କ ଯୋଗ୍ୟତା କ’ଣ ଥିଲା? କେଉଁ ଆଧାରରେ ସେମାନଙ୍କୁ ଚୟନ କରାଯାଇଥିଲା? କିଏ ଚୟନ କରିଥିଲେ? ପାଠ୍ୟପୁସ୍ତକ ପ୍ରସ୍ତୁତି ସମୟରେ ସେମାନଙ୍କ ବିଷୟରେ ଅନୁଧ୍ୟାନ କରାଯାଇଥିଲା କି ନାହିଁ? ଏଭଳି ଅନେକ ବିଷୟରେ ତଦନ୍ତ କମିଟି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଏପରିକି ଏସ୍‌ସିଇଆର୍‌ଟି ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ତଦନ୍ତ କମିଟି ନଜରରେ ରହିଛନ୍ତି। ଅନ୍ୟ ବିଭାଗକୁ ବଦଳି ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସବୁ ପରେ ତଦନ୍ତ କମିଟି ମୁଖ୍ୟମନ୍ତ୍ରୀଙ୍କୁ କେଉଁ ରିପୋର୍ଟ ଦେଉଛନ୍ତି ଏବଂ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ ଓଡ଼ିଶାବାସୀଙ୍କ ନଜର ରହିଛି।

୩ଟି କମିଟିରେ ଜଣେ, କୋର୍‌ କମିଟି ସଦସ୍ୟଙ୍କ ଭୂମିକା ନେଇ ଉଠିଲାଣି ପ୍ରଶ୍ନ

ଭୁବନେଶ୍ବର: ପାଠ୍ୟପୁସ୍ତକ ପ୍ରସ୍ତୁତିର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ସାମନାକୁ ଆସୁଛି। ପାଠ୍ୟପୁସ୍ତକ ସମ୍ପାଦନା ମଣ୍ଡଳୀରେ ଯିଏ ଅଛନ୍ତି, ସମୀକ୍ଷକ ମଣ୍ଡଳୀରେ ସିଏ। ବିଷୟ ବିଶେଷଜ୍ଞ ଭାବେ ମଧ୍ୟ ସେହି ବ୍ୟକ୍ତିଙ୍କୁ ରଖାଯାଇଛି। ଅର୍ଥାତ୍‌ ୩ଟି ମଣ୍ଡଳୀରେ ଜଣେ ବ୍ୟକ୍ତି। ଓଡ଼ିଶାରେ ଅନେକ ଭାଷାବିତ୍‌, ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ, ପାଠ୍ୟପୁସ୍ତକ ପ୍ରସ୍ତୁତି ବିଶେଷଜ୍ଞ ରହିଥିଲେ ମଧ୍ୟ ଜଣଙ୍କୁ କିଭଳି ୩ଟି କମିଟିରେ ରଖାଗଲା ତାହାକୁ ନେଇ ‌ଏବେ ପ୍ରଶ୍ନ ଉଠିଛି। ପ୍ରଥମରୁ ୮ମ ଶ୍ରେଣୀ ପାଇଁ ପ୍ରସ୍ତୁତ ହୋଇଥିବା ୫୫ଟି ପାଠ୍ୟପୁସ୍ତକ ମଧ୍ୟରୁ ଅଧିକାଂଶ ବହିରେ ଏଭଳି ଦେଖିବାକୁ ମିଳିଛି। ଯେଉଁମାନେ କମିଟିରେ ସ୍ଥାନ ପାଇଥିଲେ ସେମାନଙ୍କ ଯୋଗ୍ୟତା କିମ୍ବା ମାନଦଣ୍ଡ କିଏ ସ୍ଥିର କରିଥିଲେ; ନା ଏସ୍‌ସିଇଆରଟି ପକ୍ଷରୁ ଚିହ୍ନାଜଣାରେ ବିଭିନ୍ନ କମିଟିରେ ସେମାନଙ୍କୁ ରଖାଯାଇ ଆର୍ଥିକ ଦୃଷ୍ଟିରୁ ମାଲେମାଲ୍‌ କରାଯାଇଥିଲା ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Horoscope 2026 June 25: ଜାଣନ୍ତୁ ଆଜିର ରାଶିଫଳ

କମିଟିରେ ଓଡ଼ିଶାର ଶିକ୍ଷାବ୍ୟବସ୍ଥା ସହ ଜଡ଼ିତ ଥିବା ୨୪ଜଣ ଶିକ୍ଷା ଅଧିକାରୀ ଓ ବିଶେଷଜ୍ଞ ସଦସ୍ୟ ରହିଥିଲେ ମଧ୍ୟ ତ୍ରୁଟିକୁ କିଭଳି ଧରିପାରିଲେ ନାହିଁ ତାହା ଏବେ ସନ୍ଦେହ ଘେରରେ। ଖୋଦ୍‌ ଗଣଶିକ୍ଷା ସଚିବ ଏହି କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ, ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଓଡ଼ିଶା ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ସଦସ୍ୟ ରହିଥିଲେ। ଯେଉଁମାନଙ୍କ କାନ୍ଧରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାରେ ଭାର ରହିଛି। ଏତେ ସବୁ ବଡ଼ ବଡ଼ ପଦବିରେ ରହିଥିଲେ ମଧ୍ୟ କେମିତି ଏମିତି ହେଲା, ତାହା ବୁଦ୍ଧିଜୀବୀ ମହଲକୁ ବିସ୍ମିତ କରିଛି। 

ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ପକ୍ଷରୁ କୁହାଯାଇଛି ଯେ ପ୍ରକାଶିତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକର ଲେଖକ ମଣ୍ଡଳୀରେ ଯେଉଁମାନେ ଅଛନ୍ତି ସେମାନଙ୍କର ନାଁ, ଯୋଗ୍ୟତା ଓ ଅଭିଜ୍ଞତା ସାର୍ବଜନୀନ କରାଯାଉ। ଜଣେ ବ୍ୟକ୍ତି କିଭଳି ଦୁଇଟି କିମ୍ବା ୩ଟି କମିଟିରେ ସ୍ଥାନ ପାଇଲେ ତାହାର ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି। ସମ୍ପାଦନା ସମୟରେ ‌ସଦସ୍ୟ ଜଣକ ଯେଉଁ ବିଷୟ ଲେଖିଥିବେ ତାହାକୁ ସମୀକ୍ଷା ସମୟରେ ଗୁରୁତ୍ବ ଦେଇ ନ ଥିବେ। ଏପରିକି ବିଶେଷଜ୍ଞ ଭାବେ ମଧ୍ୟ ତ୍ରୁଟି ଉପରେ ଧ୍ୟାନ ପଡ଼ି ନ ଥିବ। ଯଦି ପ୍ରତି କମିଟି ପାଇଁ ଅଲଗା ଅଲଗା ବ୍ୟକ୍ତିବିଶେଷଙ୍କୁ ରଖାଯାଇଥାନ୍ତା ତେବେ ଏଭଳି ତ୍ରୁଟି ହୋଇ ନ ଥାନ୍ତା। ଏଭଳି ତ୍ରୁଟି ଦ୍ବାରା ରାଜ୍ୟରେ ପାଠପଢ଼ା କ୍ଷେତ୍ରରେ ଯେଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି ଏବଂ ଯେଉଁ ଆର୍ଥିକ କ୍ଷତି ହେଉଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଯେଉଁମାନେ ତ୍ରୁଟି ପାଇଁ ଦାୟୀ ସମସ୍ତ ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯାଉ ବୋଲି କମିଟି ଦାବି କରିଛି।