24 OCTOBER 2026

Welcome!

Unlock your personalized experience.
Sign Up

Maa Gajalakshmi: ଆସୁଛନ୍ତି ଧନଦାତ୍ରୀ ମା’ ଗଜଲକ୍ଷ୍ମୀ: ଚାନ୍ଦି ଅଳଙ୍କାରରେ ଆଭୂଷିତ ହେବେ ଅନ୍ନପୂର୍ଣ୍ଣା

Oct 24, 2026 - 04:31
Maa Gajalakshmi: ଆସୁଛନ୍ତି ଧନଦାତ୍ରୀ ମା’ ଗଜଲକ୍ଷ୍ମୀ: ଚାନ୍ଦି ଅଳଙ୍କାରରେ ଆଭୂଷିତ ହେବେ ଅନ୍ନପୂର୍ଣ୍ଣା

ଭୁବନେଶ୍ୱର: ଜଗତଜନନୀ ମହାମାୟା ଦୁର୍ଗା ଧରାପୃଷ୍ଠରୁ ମେଲାଣି ନେଇସାରିଛନ୍ତି। ଏବେ ଧନଧାନ୍ୟରେ ସମୃଦ୍ଧ କରିବାକୁ ଧରାକୁ ଓହ୍ଲାଇ ଆସିବେ ଗଜଲକ୍ଷ୍ମୀ। ଶାନ୍ତି ପରେ ସମୃଦ୍ଧିକୁ ପା‌ଛୋଟିବା ପାଇଁ ରାଜଧାନୀବାସୀ ମଧ୍ୟ ଅଣ୍ଟା ଭିଡ଼ିଲେଣି। ଏବେ ଗଜଲକ୍ଷ୍ମୀ ପୂଜା ପାଇଁ ମଣ୍ଡପ ସଜେଇ ହେଲାଣି। ମା’ଙ୍କ ଆଗମନ ପାଇଁ ରାଜଧାନୀ ବି ଚଳଚଞ୍ଚଳ ହୋଇଉଠିଲାଣି। କେଉଁଠି ବିଶାଳ ତୋରଣ ତ’ ପୁଣି କେଉଁଠି ଅନ୍ନପୂର୍ଣ୍ଣାଙ୍କ ଶଙ୍କୁଡ଼ି ଭୋଗ ପାଲଟିବ ଏହି ପୂଜାର ମୁଖ୍ୟ ଆକର୍ଷଣ।

ଆକ୍ୱା ଥିମ୍‌ ତୋରଣରେ ବିରାଜିବେ ଧନଦାତ୍ରୀ
ୟୁନିଟ୍‌-୪ରେ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ଓ ‘ଜୟ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ପୂଜା ଚଳିତ ବର୍ଷ ୩୪ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ଆକ୍ୱା ଥିମ୍‌ ଯେପରିକି ବାଦଲ, ମେଘ, ଝରଣା ଆଦି ଉପାଦାନରେ ପ୍ରସ୍ତୁତ ସ୍ୱତନ୍ତ୍ର ତୋରଣରେ ମା’ ବିଜେ କରିବେ। ସେହିପରି ୬ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପୂଜାକୁ ଭିନ୍ନଭିନ୍ନ ବିଷୟବସ୍ତୁରେ ଉତ୍ସର୍ଗ କରାଯାଇଛି। ଛଅ ଦିନରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ଅନାଥ ଶିଶୁଙ୍କ ସମେତ ଅନ୍ୟମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହିତ ଭିନ୍ନଭିନ୍ନ ବୃତ୍ତିର ଲୋକମାନଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯିବ। ସେହିପରି ଘରେ ଘରେ ଲକ୍ଷ୍ମୀ ବିଷୟରେ ପ୍ରତ୍ୟେକ ମହିଳାଙ୍କୁ ପୂଜାଶଙ୍ଖା ପ୍ରଦାନ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ମୀନା ବଜାରର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଉପଦେଷ୍ଟା ରୁଦ୍ର ସାମନ୍ତରାୟ ସୂଚନା ଦେଇଛନ୍ତି।

ଚାନ୍ଦି ଅଳଙ୍କାରରେ ଆଭୂଷିତ ହେବେ ଅନ୍ନପୂର୍ଣ୍ଣା
ଫ୍ରେଣ୍ଡ୍‌ସ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ୟୁନିଟ୍‌-୯ ଗଜଲକ୍ଷ୍ମୀ ପୂଜା ରାଜଧାନୀର ବଡ଼ ଓ ବହୁଚର୍ଚ୍ଚିତ ପୂଜା। ଏହି ପୂଜା ଚଳିତ ବର୍ଷ ୪୬ବର୍ଷରେ ପଦାର୍ପଣ କରୁଛି। ଏଥର କାଳ୍ପନିକ ତୋରଣରେ ଉପବେଶନ କରିବେ ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀ। ଏଥିପାଇଁ ‌ଏବେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କୁ ଚାନ୍ଦି ମୁକୁଟ, କାନଫୁଲ, ହାର, ଅଣ୍ଟାପଟି, ବାହୁଟି, ଚୁଡ଼ି, ପାଉଁଜି ଓ ପାଦୁକା ଆଦିରେ ଆଭୂଷିତ କରାଯିବ। ମା’ଙ୍କ ମୂର୍ତ୍ତିର ଉଚ୍ଚତା ସାଢ଼େ ୯ ଫୁଟ ରହିବ। ୧୦ଦିନ ଧରି ମା’ଙ୍କ ଆରାଧନା କରାଯିବା ସହ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ ରହିବ। ୪ ଦିନ ମେ‌ଲୋଡି, ୨ ଦିନ ପିଲାଙ୍କ ରେକର୍ଡ ଡ୍ୟାନ୍ସ ଓ ଗୋଟିଏ ଦିନ ଭଜନ ସମାରୋହ ଅନୁଷ୍ଠିତ ହେବ। ପୂଜାର ମୁଖ୍ୟ ଆକର୍ଷଣ ରହିବ ଅନ୍ନପୂର୍ଣ୍ଣାଙ୍କ ଖିରି, ଖେଚୁଡ଼ି ଓ ଦହି ପଖାଳ ଭୋଗ। ଶଙ୍ଖ, ଘଣ୍ଟ ଓ ଢୋଲରେ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କ୍ଲବ୍‌ର ସଭାପତି ମାରୁତି ଆଚାର୍ଯ୍ୟ କହିଛନ୍ତି।

ରାଜସ୍ଥାନ ମହଲରେ ମା’ ଗଜଲକ୍ଷ୍ମୀ
ବାପୁଜୀନଗରରେ ବାପୁଜୀ ୟୁଥ୍‌ ଆସୋସିଏସନ୍‌ ଦ୍ୱାରା ଆୟୋଜିତ ପୂଜା ରାଜଧାନୀର ସବୁଠୁ ପୁରୁଣା ଗଜଲକ୍ଷ୍ମୀ ପୂଜା ଭାବେ ପରିଚିତ। ଚଳିତ ବର୍ଷ ଏହି ପୂଜା କମିଟି ୬୧ ବର୍ଷରେ ପଦାର୍ପଣ କରିଛି। ଏଥର କମିଟି ପକ୍ଷରୁ ୫୦ଫୁଟ୍‌ ଉଚ୍ଚ ତଥା ୬୦ ଫୁଟ ଚଉଡ଼ାର ରାଜସ୍ଥାନର ମହଲ ସଦୃଶ ତିଆରି କରାଯାଉଛି। ମା’ଙ୍କ ମେଢ଼ର ଉଚ୍ଚତା ୧୨ ଫୁଟ ରହିଛି। ମା’ଙ୍କୁ ସୁନା ଓ ରୁପା ଅଳଙ୍କାର ପିନ୍ଧାଯିବ। ମନସ୍କାମନା ପୂରଣ ପାଇଁ ମା’ଙ୍କ ଐଶ୍ବର୍ଯ୍ୟ କଳସ ପୂଜା ଓ ବିସର୍ଜନରେ ମହିଳାମାନଙ୍କ ସିନ୍ଦୂର ଖେଳ ଏଠାକାର ପୂଜାର ମୁଖ୍ୟ ଆକର୍ଷଣ ସାଜିବ। ପ୍ରତିଦିନ ମଧ୍ୟାହ୍ନ ଭୋଗ ସହିତ ୬ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଭଜନ ସମାରୋହ, ଓଡ଼ିଶୀ, ଗୋଟିପୁଅ ନୃତ୍ୟ ସହିତ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା୩ ତାରିଖ ଦିନ ୬ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ପୂଜାରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ଦୃଷ୍ଟି ଦିଆଯାଇଛି ବୋଲି ସଭାପତି ଆଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି।

୧୮ ବର୍ଷରେ ହମ୍‌ତୁମ୍ ପୂଜା କମିଟି

ସିଆର୍‌ପି ଛକସ୍ଥିତ ହମ୍‌ତୁମ୍ ପୂଜା କମିଟି ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୧୮ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ପୁରୁଣା ଯୁଗର ରାଜପ୍ରାସାଦ ତୋରଣରେ ମା’ଙ୍କୁ ଆରାଧନା କରାଯିବ। ରାଜପ୍ରାସାଦରେ ଥିବା ସ୍ତମ୍ଭ ଓ ଅନ୍ୟ ଉପକରଣକୁ ସୋଲ ଓ କପଡ଼ାରେ ପ୍ରସ୍ତୁତ କରାଯିବ। ମା’ଙ୍କ ମେଢ଼ର ଉଚ୍ଚତା ଏଠାରେ ୧୦ ଫୁଟ ରହିଛି। ଉଭୟ ସୁନା ଓ ରୂପା ଅଳଙ୍କାରରେ ମା’ଙ୍କୁ ସୁସଜ୍ଜିତ କରାଯିବ। ପୂଜାର ପ୍ରମୁଖ ଆକର୍ଷଣ ସାଜିବ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ଐଶ୍ୱର୍ଯ୍ୟ କଳସ ପୂଜା ଓ ସିନ୍ଦୂର ଖେଳ। ଭକ୍ତଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି। ସାତଦିନିଆ ପୂଜାରେ ଭଜନ ପରିବେଷଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ବୋଲି ସଭାପତି ବିନୟ କୁମାର ଆଚାର୍ଯ୍ୟ ଓ ଉପସଭାପତି ଜିତେନ୍ଦ୍ର ରାଉତରାୟ କହିଛନ୍ତି।

ସୁସଜ୍ଜିତ ତୋରଣରେ ବିରାଜିବେ ମା’

ଭରତପୁର ଜିଏ କଲୋନି ଏବଂ ଶ୍ରୀରାମ ବିହାରସ୍ଥିତ ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଅଷ୍ଟମ ବାର୍ଷିକ ଗଜଲକ୍ଷ୍ମୀ ପୂଜା ଆୟୋଜିତ ହେବ। ଏଥିରେ କାଳ୍ପନିକ ତୋରଣ ସହିତ ସୁସଜ୍ଜିତ ଆଲୋକମାଳା ଦର୍ଶକଙ୍କୁ ଆକୃଷ୍ଟ କରିବ। ଆସନ୍ତା ୨୫ ତାରିଖରୁ ଦେବୀ ଆବାହନ ଏବଂ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ। ବିଭିନ୍ନ ଦିବସରେ ଭଜନ ସମାରୋହ ଓ ପାରମ୍ପରିକ ନୃତ୍ୟ ଅନୁଷ୍ଠିତ ହେବ। ଶାନ୍ତିଶୃଙ୍ଖଳାର ସହିତ ପୂଜା ସମାପନ ଲାଗି କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)