ସ୍ବାଭିମାନ ଓ ଶୁଦ୍ଧ ବନାନ ନେଇ ଦୁଇ ଗାନ୍ଧୀ କଥା

Oct 24, 2026 - 03:43
ସ୍ବାଭିମାନ ଓ ଶୁଦ୍ଧ ବନାନ ନେଇ ଦୁଇ ଗାନ୍ଧୀ କଥା

କୁମାର ପ୍ରଶାନ୍ତ ମହାତ୍ମା ଗାନ୍ଧୀ ଆମ ପରି ଜଣେ ନଶ୍ୱର ମଣିଷ ଥିଲେ।

କିନ୍ତୁ ଏତେ ସଚେତନ, ସତର୍କ ଓ ସଂକଳ୍ପବଦ୍ଧ ଥିଲେ ଯେ, ମାନବିକ ଉତ୍କର୍ଷର ଏକ ମାନଦଣ୍ଡ ପାଲଟିଗଲେ।

ଭାରତର ରାଜନୈତିକ ସ୍ୱାଧୀନତା ସଂଗ୍ରାମକୁ ସେ ଏପରି ଭାବେ ଗଢ଼ିଥିଲେ ଯେ, ତାହା ସମସ୍ତ ମଣିଷଙ୍କ ସବୁ ପ୍ରକାର ସ୍ୱାଧୀନତା ଲାଗି ଏକ ମହାଯଜ୍ଞରେ ପରିଣତ ହୋଇଥିଲା।

୧୯୧୫ ମସିହାର କଥା।

ମୋହନଦାସ କରମଚନ୍ଦ ଗାନ୍ଧୀ ସେତେବେଳେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥାଆନ୍ତି।

ନିଜ ସହିତ ଏକ ଅଦ୍ଭୁତ ଅସ୍ତ୍ର ନେଇ ଆସିଥାଆନ୍ତି, ଯାହାର ନାମ 'ସତ୍ୟାଗ୍ରହ'।

ଏହି ଅସ୍ତ୍ରର ଚମତ୍କାରିତା ଦକ୍ଷିଣ ଆଫ୍ରିକା ଦେଖିସାରିଥିଲା ଏବଂ ଭାରତ ତାହା ବିଷୟରେ ଶୁଣିଥିଲା।

ସେତେବେଳେ ଗାନ୍ଧୀ ଅହମଦାବାଦର କୋଚରବଠାରେ ନିଜର ଆଶ୍ରମ ପ୍ରତିଷ୍ଠା କରିବା ସହିତ ସାଥୀ ଓ ସହଯୋଗୀମାନଙ୍କୁ ଏକାଠି କରୁଥିଲେ।

ଏହି ସମୟରେ ଜଣେ ଯୁବକ ତାଙ୍କ ପାଖକୁ ଆସିଲେ।

ନାମ ଥିଲା ମହାଦେବ ଦେଶାଇ।

ସେତେବେଳେ ଦୁହେଁ ପରସ୍ପରକୁ ଜାଣି ନ ଥିଲେ।

ଗାନ୍ଧୀଙ୍କ ଖ୍ୟାତି ପ୍ରତି ଆକର୍ଷିତ ହୋଇ ମହାଦେବ ଦେଶାଇ ଆସିଥିଲେ ସେହି ଅସାଧାରଣ ମଣିଷଙ୍କୁ ଭେଟିବା ପାଇଁ।

ତାଙ୍କୁ ଭେଟି ବ୍ରିଟିସ ଲେଖକ ଓ ରାଜନେତା ଜନ୍ ମର୍ଲେଙ୍କ ଏକ ପୁସ୍ତକ ସମ୍ପର୍କରେ ଆଲୋଚନା କରିବା ତାଙ୍କର ଉଦ୍ଦେଶ୍ୟ ଥିଲା।

ପୁସ୍ତକଟିର ନାମ 'କମ୍ପ୍ରମାଇଜ'।

ମହାଦେବ ଦେଶାଇ ସେତେବେଳେ ଏହି ପୁସ୍ତକ ଦ୍ୱାରା ବେଶ୍ ପ୍ରଭାବିତ ହୋଇଥିଲେ।

ଏପରିକି ସେ ଏହାକୁ ଗୁଜରାଟୀ ଭାଷାରେ ଅନୁବାଦ ମଧ୍ୟ କରିସାରିଥିଲେ।

ତାଙ୍କର ଇଚ୍ଛା ଥିଲା, ଲେଖକଙ୍କ ଅନୁମତି ନେଇ ଏହି ଅନୁବାଦ ପୁସ୍ତକଟିକୁ ପ୍ରକାଶ କରିବେ।

ଗାନ୍ଧୀ ଜନ୍ ମର୍ଲେଙ୍କ ଦେଶରେ ପାଠ ପଢ଼ିଥିଲେ।

ସେଠାକାର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ତାଙ୍କୁ ଜାଣିଥିଲେ।

ଏସବୁ ଜାଣି ମହାଦେବ ଦେଶାଇ ଭାବିଥିଲେ ଯେ, ଗାନ୍ଧୀ ହୁଏତ ତାଙ୍କୁ ଏହି ପୁସ୍ତକ ସମ୍ପର୍କରେ କିଛି ନୂଆ କଥା କହିପାରିବେ।

ତାଙ୍କ ସହାୟତାରେ ସେ ଜନ୍ ମର୍ଲେଙ୍କ ସହ ଯୋଗାଯୋଗ ମଧ୍ୟ କରିପାରିବେ।

ଗାନ୍ଧୀ ଯଦି ଅନୁରୋଧ କରନ୍ତି, ତେବେ ମର୍ଲେ ନିଶ୍ଚୟ ଅନୁବାଦ ଓ ପ୍ରକାଶନ ପାଇଁ ଅନୁମତି ଦେଇଦେବେ।

ଏ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍ ଚାଲିଥିଲା।

ଗାନ୍ଧୀ ପୁସ୍ତକଟି ସମ୍ପର୍କରେ ଜାଣିଥିଲେ।

ଏହା ଏକ ଉତ୍କୃଷ୍ଟ ରଚନା ବୋଲି ମଧ୍ୟ ସେ ସ୍ୱୀକାର କରିଥିଲେ।

ଏପରିକି ନିଜର ସୁପାରିସ ସହିତ ଜନ୍ ମର୍ଲେଙ୍କୁ ଚିଠି ଲେଖିବା ପାଇଁ ମଧ୍ୟ ରାଜି ହୋଇଥିଲେ।

କିନ୍ତୁ ଏହା ଭିତରେ ଗୋଟିଏ ସମସ୍ୟା ରହିଯାଇଥିଲା।

ମହାଦେବ ଦେଶାଇ ଅନୁବାଦ ଓ ପ୍ରକାଶନ ପାଇଁ ଅନୁମତି ମାଗିବା ଉଦ୍ଦେଶ୍ୟରେ ଜନ୍ ମର୍ଲେଙ୍କ ନିକଟକୁ ଯେଉଁ ଚିଠି ପ୍ରସ୍ତୁତ କରିଥିଲେ, ତାହା ଗାନ୍ଧୀଙ୍କୁ ଦେଖାଇଲେ।

ଗାନ୍ଧୀ ଚିଠିଟି ପଢ଼ି ବିରକ୍ତି ପ୍ରକାଶ କରି କହିଲେ: “ଏ କ'ଣ ଲେଖିଛ ତୁମେ?

ଏତେ ଅଳଙ୍କାରପୂର୍ଣ୍ଣ ଭାଷାରେ ଏପରି ଯାଚନା କରିବାର ଆବଶ୍ୟକତା କ'ଣ ଅଛି ଭାଇ?

ମର୍ଲେ ଗୋଟିଏ ବହି ଲେଖିଛନ୍ତି।

ତୁମକୁ ସେହି ବହି ଭଲ ଲାଗିଛି।

ତୁମେ ଗୁଜରାଟୀ ଭଳି ଏକ ଉତ୍କୃଷ୍ଟ ଭାଷାରେ ତାହାର ଅନୁବାଦ କରିଛ।

ଏଥିପାଇଁ ମର୍ଲେ ସାହେବ ଆନନ୍ଦିତ ହେବା ସହିତ ତୁମ ପ୍ରତି କୃତଜ୍ଞ ହେବା ଉଚିତ।

ତୁମେ ତାଙ୍କ ପୁସ୍ତକକୁ ଏପରି ଏକ ଭାଷାର ପାଠକମାନଙ୍କ ନିକଟରେ ପହଞ୍ଚାଉଛ, ଯାହା ସମ୍ପର୍କରେ ହୁଏତ ସେ କଳ୍ପନା ମଧ୍ୟ କରି ନ ଥିବେ।

ତେବେ ଏପରି ଚାଟୁକାରିତାପୂର୍ଣ୍ଣ ଭାଷା କାହିଁକି?

ଆମେ ଗୋଲାମି ମାନସିକତାରେ ଏତେ ଗଭୀର ଭାବେ ବୁଡ଼ି ରହିଛୁ ଯେ, ଅହଂକାର ଓ ସ୍ବାଭିମାନ ମଧ୍ୟରେ ଥିବା ପାର୍ଥକ୍ୟକୁ ମଧ୍ୟ ଭୁଲିଯାଇଛୁ।

ନାହିଁ ମହାଦେବ, ଆମେ ଏପରି ଚିଠି ଲେଖିବା ନାହିଁ।” ମହାଦେବ ଦେଶାଇ ସ୍ତବ୍ଧ ହୋଇ ଗାନ୍ଧୀଙ୍କ କଥା ଶୁଣୁଥିଲେ।

ଅହଂକାର ଓ ସ୍ବାଭିମାନ ମଧ୍ୟରେ ଏକ ଗଭୀର ପାର୍ଥକ୍ୟ ରହିଛି।

ସାମ୍ନାରେ ଯିଏ ବି ଥାଆନ୍ତୁ - ବଡ଼ ହୁଅନ୍ତୁ ଅବା ସାନ, ଧନୀ ହୁଅନ୍ତୁ ଅବା ଗରିବ, ବିଦ୍ୱାନ ହୁଅନ୍ତୁ ଅବା ନିରକ୍ଷର - ସମସ୍ତଙ୍କ ସହିତ ବିନମ୍ରତାର ସହ ବ୍ୟବହାର କରିବା ଉଚିତ।

କିନ୍ତୁ ଯେଉଁଠି ବିନମ୍ରତାକୁ ହୀନତା ଓ ଦୀନତା ବୋଲି ବିଚାର କରାଯାଏ, ସେଠାରେ ମୁଣ୍ଡ ଟେକି ଦୃଢ଼ ଭାବରେ ଠିଆ ହେବା ଉଚିତ।

ସ୍ବାଭିମାନ ସହିତ କେବେ ବି ସାଲିସ କରାଯାଇପାରିବ ନାହିଁ- ଏହି ଉପଲବ୍ଧି ହିଁ ସ୍ୱାଧୀନତାର ପ୍ରଥମ ପାହାଚ।

ଶେଷରେ ଚିଠିଟିକୁ ବଦଳାଗଲା।

ଏଥିରେ ସିଧାସଳଖ ଭାବରେ ଅନୁରୋଧ କରାଗଲା ଯେ, ଆପଣଙ୍କର ଏହି ଉତ୍କୃଷ୍ଟ କୃତିକୁ ଗୁଜରାଟୀ ଭାଷାରେ ଅନୁବାଦ ଓ ପ୍ରକାଶନ ପାଇଁ ଅନୁମତି ଚାହୁଛି।

ପରବର୍ତ୍ତୀ ସମୟରେ ମହାଦେବ ଓ ବାପୁଙ୍କ ମଧ୍ୟରେ ଯେଉଁ ଅନନ୍ୟ ସମ୍ପର୍କ ଗଢ଼ିଉଠିଥିଲା, ତାହାର ମୂଳଦୁଆ ଏହିଠାରେ ହିଁ ପଡ଼ିଥିଲା।

ଗାନ୍ଧୀଙ୍କ ସହଯୋଗୀ ମଣ୍ଡଳୀରେ ଆଉ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ ଭାଷାବିତ୍‌, ଲେଖକ ଓ ଚିନ୍ତକ କାକା କାଲେଲକର।

ମହାଦେବ ଦେଶାଇଙ୍କ ଏହି ଘଟଣାର ପ୍ରାୟ ସାତ-ଆଠ ବର୍ଷ ପରେ, ଅର୍ଥାତ୍‌ ୧୯୨୨ ମସିହାରେ ତାଙ୍କୁ ମହାତ୍ମା ଗାନ୍ଧୀଙ୍କର ଆଉ ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା।

ସେତେବେଳକୁ ଗାନ୍ଧୀ ସ୍ୱାଧୀନତା ସଂଗ୍ରାମର ସମସ୍ତ ଦାୟିତ୍ୱ ନିଜ ହାତକୁ ନେଇ ଦେଶର ଚେତନାର ପ୍ରତ୍ୟେକ ଶିରାପ୍ରଶିରାରେ ପ୍ରବାହିତ ହେବାକୁ ଲାଗିଥିଲେ।

କାକା ସାହେବ ମରାଠୀ ଭାଷାଭାଷୀ ଥିଲେ।

ସେ ଗାନ୍ଧୀଙ୍କ ପାଇଁ ଏକ 'ଷ୍ଟେପ୍‌ନି ଟାୟାର' ଭଳି ଥିଲେ।

ସେ ଲେଖିଛନ୍ତି- “ମୁଁ ଯେତେବେଳେ ଗାନ୍ଧୀଜୀଙ୍କ ଆଶ୍ରମକୁ ଯାଇଥିଲି, ସେତେବେଳେ ମୋତେ ନା ଗୁଜରାଟୀ ଆସୁଥିଲା, ନା ହିନ୍ଦୀ।

ଏହି ଦୁଇଟି ଭାଷା ମୁଁ ଶୁଣିଥିଲି ସତ, କିନ୍ତୁ ସେଥିରେ କଥା କହିବା କିମ୍ବା ଲେଖିବାର ସାମାନ୍ୟତମ ଅଭ୍ୟାସ ମଧ୍ୟ ନ ଥିଲା।

ତଥାପି ମୁଁ ଗୁଜରାଟ ବିଦ୍ୟାପୀଠରେ ହିନ୍ଦୀରେ ପାଠ ପଢ଼ାଉଥିଲି।

କାରଣ ସେଠାରେ ମୋ ଯେତିକି ହିନ୍ଦୀ ଜ୍ଞାନ ଥିଲା, ସେତିକି ମଧ୍ୟ ଆଉ କାହାର ନ ଥିଲା। “ପରେ ଟିକିଏ ସାହସ ଆସିବାରୁ ମୁଁ ଗୁଜରାଟୀରେ କଥା କହିବାକୁ ଲାଗିଲି।

ଏହାପରେ ଏପରି ମଧ୍ୟ ହେଲା ଯେ, 'ନବଜୀବନ' ପତ୍ରିକାରେ ଗୋଟିଏ କିମ୍ବା ଦୁଇଟି ସ୍ତମ୍ଭ ପାଇଁ ଲେଖାର ଅଭାବ ପଡ଼ିଲେ ସ୍ୱାମୀ ଆନନ୍ଦ ମୋଠାରୁ କିଛି ଲେଖାଇ ନେଉଥିଲେ।

ତାହାକୁ ସଂଶୋଧନ କରି ପ୍ରକାଶ କରୁଥିଲେ। “ଏହାପରେ ଆସିଲା ୧୯୨୨ ମସିହା।

ବାପୁ ଜେଲ୍‌ ଚାଲିଗଲେ।

ସେତେବେଳେ 'ନବଜୀବନ'ର ସମ୍ପୂର୍ଣ୍ଣ ଦାୟିତ୍ୱ ମୋ ଉପରେ ପଡ଼ିଲା।

ମୋତେ ହିଁ ପତ୍ରିକା ପାଇଁ ଲେଖା ଯୋଗାଡ଼ କରିବାକୁ ପଡୁଥିଲା। “ଜେଲ୍‌ରେ ଥିବାବେଳେ ବାପୁ କାହାଠାରୁ ଶୁଣିଲେ ଯେ, ମୁଁ 'ନବଜୀବନ'କୁ ଭଲ ଭାବରେ ସମ୍ଭାଳୁଛି।

ଦିନେ ତାଙ୍କଠାରୁ ଗୋଟିଏ ଚିଠି ଆସିଲା।

ସେଥିରେ ଲେଖା ଥିଲା- “ଇଂରେଜୀ ଶବ୍ଦଗୁଡ଼ିକର ବନାନ ଯେପରି ନିର୍ଦ୍ଦିଷ୍ଟ, ଗୁଜରାଟୀରେ ସେପରି ନୁହେଁ।

ମରାଠୀ, ବଙ୍ଗଳା, ତାମିଲ, ଉର୍ଦ୍ଦୁ ଆଦି ଭାଷାରେ ମଧ୍ୟ ମୁଁ ଶୁଦ୍ଧ ବନାନ ପ୍ରତି ଗୁରୁତ୍ୱ ଦିଆଯାଉଥିବା ଦେଖିଛି।

ଗୁଜରାଟୀ ଏପରି ଏକମାତ୍ର ଭାଷା, ଯେଉଁଥିରେ ଯାହାର ମନକୁ ଯେପରି ଆସେ, ସେ ସେହିପରି ବନାନ ଲେଖିଦିଏ।

ଏଥିପାଇଁ ଗୁଜରାଟୀ ଭାଷା ଭୂତ ଭଳି ହୋଇଯାଇଛି।

ଏହି ଦୁରବସ୍ଥାକୁ ଦୂର କରିବା କାମ ଯଦି ତୁମର ନୁହେଁ, ତେବେ ଆଉ କାହାର? “ମୋତେ ଏପରି ଏକ ଅଭିଧାନ ପ୍ରସ୍ତୁତ କରିଦିଅ, ଯେଉଁଥିରେ ଗୁଜରାଟୀ ଭାଷାର ସମସ୍ତ ଶବ୍ଦ ଥିବ ଏବଂ ପ୍ରତ୍ୟେକ ଶବ୍ଦର ବନାନ ନିୟମ ଅନୁସାରେ ଶୁଦ୍ଧ ଭାବରେ ଲେଖାଯାଇଥିବ।

ଯଦି କୌଣସି ଗୁଜରାଟୀ ବ୍ୟକ୍ତିଙ୍କ ମନରେ କୌଣସି ଶବ୍ଦର ବନାନକୁ ନେଇ ସନ୍ଦେହ ସୃଷ୍ଟି ହୁଏ, ତେବେ ସେ ତୁମ ଅଭିଧାନ ଦେଖି ତାହାର ଶୁଦ୍ଧ ବନାନ ଜାଣିପାରିବେ ଓ ଲେଖିପାରିବେ।” “ବାପୁଙ୍କଠାରୁ ଏପରି ଚିଠି ପାଇ ମୁଁ ଆଶ୍ଚର୍ଯ୍ୟଚକିତ ହୋଇଗଲି।

ଜେଲ୍‌ରୁ ମୁକୁଳିବା ପରେ ତାଙ୍କ ସହିତ ଦେଖା ହେବାରୁ ମୁଁ କହିଲି- “ବାପୁଜୀ, ଆପଣ ମୋଠାରୁ ଏ କି ପ୍ରକାର ଆଶା ରଖିଛନ୍ତି?

ଗୁଜରାଟୀ ମୋର ମାତୃଭାଷା ନୁହେଁ କିମ୍ବା ମୁଁ ଏହାର ସାହିତ୍ୟ ସମ୍ପର୍କରେ ମଧ୍ୟ ବିଶେଷ କିଛି ଜାଣିନାହିଁ।

ଏପରିକି ମୁଁ ଏହାର ବ୍ୟାକରଣ ମଧ୍ୟ ଜାଣିନାହିଁ!” “ବାପୁ କହିଲେ, “ହଁ, ହଁ, ଏସବୁ ତ ଠିକ୍ ଅଛି।

କିନ୍ତୁ ମୁଁ କେବେ କହିଛି ଯେ, ଏସବୁ କାମ ତୁମକୁ ଏକୁଟିଆ କରିବାକୁ ହେବ?

ଯାହାର ସାହାଯ୍ୟ ଦରକାର, ନିଅ।

ଯାହା ଦ୍ୱାରା ଏହି କାମ କରାଇପାରିବ, ତାଙ୍କ ଦ୍ୱାରା କରାଅ।

ମୁଁ ତ ଏହି କାମର ଦାୟିତ୍ୱ ତୁମକୁ ଦେଇଛି ଏବଂ ତୁମକୁ ହିଁ ଏହାର ହିସାବ ମାଗିବି।

ଏହି କାମର ଗୁରୁତ୍ୱ ତୁମେ ବୁଝୁଛ ନା?

ତେବେ ଏପରି ଏକ ନିର୍ଭୁଲ୍‌ ଅଭିଧାନ ପ୍ରସ୍ତୁତ କର, ଯେଉଁଥିରେ ଗୋଟିଏ ହେଲେ ଭୁଲ୍‌ ନ ଥିବ।

ଏହାଦ୍ୱାରା ଗୁଜରାଟୀ ଶବ୍ଦଗୁଡ଼ିକର ବନାନକୁ ବ୍ୟବସ୍ଥିତ କରିଦିଅ।

ଏହି କାମ ତୁମର।” “ମହାଦେବ ଭାଇ, ନରହରି ଭାଇ ଓ ମୁଁ- ଏହିପରି ତିନିଜଣଙ୍କୁ ନେଇ ଗୋଟିଏ କମିଟି ଗଠନ କଲୁ।

ଅନ୍ୟ ଯେଉଁମାନେ ଯେତେବେଳେ ମିଳିଲେ, ସେମାନଙ୍କ ସାହାଯ୍ୟ ମଧ୍ୟ ନେଲୁ।

ପାଞ୍ଚ ବର୍ଷର କଠିନ ପରିଶ୍ରମ ପରେ ବାପୁଙ୍କୁ ଏକ ଶୁଦ୍ଧ 'ଜୋଡ଼ଣୀ କୋଷ' ବା ବନାନ ଅଭିଧାନ ଅର୍ପଣ କଲୁ। “ବାପୁ ଅତ୍ୟନ୍ତ ସନ୍ତୁଷ୍ଟ ହେଲେ।

'ନବଜୀବନ'ରେ ସେ ଲେଖିଲେ, “ଏଣିକି ଗୁଜରାଟୀରେ ମନଇଚ୍ଛା ବନାନ ଲେଖିବାର ଅଧିକାର ଆଉ କାହାର ନାହିଁ।” ଗାନ୍ଧୀ ଆଜି ମଧ୍ୟ ଯେପରି କେଉଁଠି ଦୂରରେ ଠିଆ ହୋଇ କହୁଛନ୍ତି, “ନାହିଁ, ଜଣେ ସ୍ୱାଧୀନ ମଣିଷ ଅନ୍ୟ ଜଣେ ମଣିଷକୁ ଏପରି ଅସମ୍ମାନ କିପରି କରିପାରିବ?

ସ୍ୱାଧୀନତାର ଅର୍ଥ କୌଣସି କ୍ଷମତାର ଆସନରେ ବସିବାର ଲାଳସା ନୁହେଁ, କ୍ଷମତାର ଆସନଗୁଡ଼ିକ ସୃଷ୍ଟି କରୁଥିବା ଭୟ ଓ ଆତଙ୍କରୁ ମୁକ୍ତ ହେବାର ନାମ ହିଁ ସ୍ୱାଧୀନତା।

ଆଜି ଆମ ଦେଶରେ କେହି ଏପରି କଥା ଚିନ୍ତା ସୁଦ୍ଧା କରୁଛନ୍ତି କି? (ମତାମତ ଲେଖକଙ୍କ ନିଜସ୍ବ) ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)