Long live life: ଜୀବନ ଜିନ୍ଦାବାଦ୍: ଆଉ ଜଣେ ପାଞ୍ଚଟଙ୍କିଆ ଡାକ୍ତର
"ବଡ଼ ହେଲେ କିଏ କ"ଣ ହେବ ତାହା ଅଧିକାଂଶ ପିଲା ସ୍କୁଲ୍ରେ ପଢ଼ିବା ବେଳୁ ସ୍ଥିର କରିଥାଆନ୍ତି।
କିନ୍ତୁ, ସେ ଅଭିଳାଷ ସାର୍ଥକ କରିବା କି ଏତେ ସହଜ!
ସେଥିପାଇଁ ଅନେକ ବାଧାବିଘ୍ନ ଅତିକ୍ରମ କରିବାକୁ ପଡ଼େ।
କେତେକଙ୍କ ଅଭିଳାଷ ସାର୍ଥକ ହୁଏ, ପୁଣି ବିବିଧ ପ୍ରଚେଷ୍ଟା ସତ୍ତ୍ବେ ଅନେକ ବିଫଳ ହୁଅନ୍ତି।
ସେମିତି ପ୍ରତିକୂଳ ପରିସ୍ଥିତିରେ ଜୀବନର ଲକ୍ଷ୍ୟ ହାସଲ କରିଥିବା ଜଣେ ବ୍ୟକ୍ତି ହେଉଛନ୍ତି ତାମିଲନାଡୁ ରାଜ୍ୟର ତିରୁନେଲ୍ବେଲୀ ବାସିନ୍ଦା ଯୁବ ଡାକ୍ତର ଆଦିମାରିମରୁତୁ।
ସ୍କୁଲ୍ରେ ପଢ଼ିବା ବେଳୁ ତାଙ୍କର ଲକ୍ଷ୍ୟ ଥିଲା ଡାକ୍ତର ହୋଇ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇଦେବେ।
ସମ୍ପ୍ରତି ଡାକ୍ତର େହାଇ ସେ ତାଙ୍କ ଅଭିଳାଷ ଚରିତାର୍ଥ କରିବା ସହିତ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।
ଏବେ ସେ ଜଣେ ଡାକ୍ତର ଭାବେ ଲୋକଙ୍କ ସେବା କରିବା ସହିତ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଲୋକପ୍ରିୟତା ଅର୍ଜନ କରିଛନ୍ତି।Advertisment Pranayama: ସୁସ୍ଥ ଜୀବନର ସରଳ ପଥ ପ୍ରାଣାୟାମ ଜୀବନରେ ବହୁ ଦୁଃସ୍ଥିତି ଦେଖିଥିବା ଡାକ୍ତର ଆଦିମାରିମରୁତୁ କହନ୍ତି, ""ମୁଁ ସ୍କୁଲ୍ରେ ପାଠ ପଢ଼ିବା ବେଳେ ଆମ ପରିବାରରେ ବହୁତ ଡାକ୍ତରୀ ଖର୍ଚ୍ଚ ହେଉଥିଲା।
ପରିବାର ଲୋକେ ଯାହା କିଛି ସାମାନ୍ୟ ରୋଜଗାର କରୁଥିଲେ ସେଥିରୁ ବହୁଳାଂଶ ସ୍ବାସ୍ଥ୍ୟସେବା ବାବଦରେ ଚାଲିଯାଉଥିଲା।
ଏକଥା ଅଙ୍ଗେନିଭାଇଥିବାରୁ ମଧ୍ୟବିତ୍ତ ପରିବାର ସଦସ୍ୟଙ୍କ ଡାକ୍ତରୀ ଖର୍ଚ୍ଚ କମାଇବା ଲାଗି ମୁଁ ଯଥାସାଧ୍ୟ ଉଦ୍ୟମ କରୁଛି।
ଯଦି ମୋର ସରକାରୀ ଚାକିରି ହୋଇଯାଏ, ତେବେ ମୁଁ ଡା.ଶଙ୍କର ଗୌଡ଼ାଙ୍କ ଭଳି ପାଞ୍ଚଟଙ୍କିଆ ଡାକ୍ତର ହେବି।
ଲୋକଙ୍କୁ ୫ ଟଙ୍କାର ଫିସ୍ ନେଇ ଚିକିତ୍ସା କରିବି।"" ତାଙ୍କର ଇଚ୍ଛା, ସେ ଡାକ୍ତରଖାନାରେ କାମ କରିବା ବାଦ୍ ଯାହା ସମୟ ପାଇବେ, ସେ ସମୟତକ ମାତ୍ର ୫ଟଙ୍କା ଫିସ୍ ନେଇ ଲୋକଙ୍କ ଚିକିତ୍ସାରେ ଅତିବାହିତ କରିବେ।
ଆର୍ଥିକ ଅନଟନ ଭିତରେ ବଢ଼ିଥିବା ଆଦିମାରିମରୁତୁ ସରକାରୀ ସ୍କୁଲ୍ରେ ପାଠ ପଢ଼ିଥିଲେ।
ତାଙ୍କ ବାପା ରାମମୂର୍ତ୍ତି ଓ ମା ବଲ୍ଲୀୟାମ୍ମାଲ ଦିଣ୍ଡୀଗୁଲ୍ ଜିଲ୍ଲା ଅନ୍ତର୍ଗତ ଗୁଜିଲିଆମପରାଇ ତାଲୁକରେ ଥିବା ପନ୍ନାଇକୁଲମ୍ ଗ୍ରାମର ବାସିନ୍ଦା।
ଦୁହେଁ ୧୦୦ ଦିନିଆ କର୍ମ ଯୋଗାଣ ଯୋଜନାରେ କାମକରି ପରିବାର ଚଳାଉଥିଲେ।
ସେମାନଙ୍କ ତିନିପୁଅଙ୍କ ମଧ୍ୟରୁ ୨୮ ବର୍ଷୀୟ ଆଦିମାରିମରୁତୁ ସାନ।
କେ ରାମନାଥପୁରମ୍ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ୍ରେ ପଢ଼ି ସେ ସମୁଦାୟ ୧୨୦୦ ମାର୍କରୁ ୧,୧୬୫ ରଖି ଜିଲ୍ଲାରେ ପ୍ରଥମ ହୋଇ ୨୦୧୫ରେ ଯୁକ୍ତଦୁଇ ପାସ୍ କରିଥିଲେ।
ଡାକ୍ତରୀ ପଢ଼ାଇବାକୁ ପରିବାରର ଆର୍ଥିକ ଅବସ୍ଥା ଅନୁକୂଳ ନ ଥିଲା।
ଅବଶେଷରେ ଶିକ୍ଷକମାନଙ୍କ ସହାୟତା ପାଇ ତିରୁନେଲବେଲୀ ସରକାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ଏମ୍ବିବିଏସ୍ ପଢ଼ିଲେ।
ମେଧାବୀ ତଥା ପରିଶ୍ରମୀ ଆଦିମାରିମରୁତୁ ୨୦୨୧ରେ ପାସ୍ କରି ଡାକ୍ତର ହେଲେ।
ଅନ୍ୟପକ୍ଷରେ ଡାକ୍ତରୀ ପଢ଼ିବା ସମୟରେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଆହୁରି ଶୋଚନୀୟ ହୋଇଗଲା।
ବାପା ଅସୁସ୍ଥ ହୋଇ ସ୍ବର୍ଗବାସୀ ହେଲେ।
ବଡ଼ଭାଇ ଶଙ୍କରପାଣ୍ଡିଆନ୍ ପରିବାର ଚଳାଇବା ଦାୟିତ୍ବ ନେଲେ।
ଏଭଳି ଦୁଃସ୍ଥିତିରେ ଆଦିମାରିମରୁତୁ ଜୀବନ ସମ୍ବନ୍ଧୀୟ ଅନେକ ତିକ୍ତ ଅନୁଭୂତି ଉପଲବ୍ଧି କଲେ।
ପଢ଼ିବା ପାଇଁ ଅର୍ଥ ବାଧକ ହେବା ଏବଂ ଅସୁସ୍ଥତା ହେତୁ ବାପାଙ୍କର ମୃତ୍ୟୁ ହେବା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଲା।
ସେତିକିବେଳୁ ସେ ନିଷ୍ପତ୍ତି ନେଲେ ଯେ ଡାକ୍ତର ହୋଇ ଗରିବ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିକିତ୍ସା କରିବେ; ଏବଂ ଏବେ ତାହା କରୁଛନ୍ତି ମଧ୍ୟ।
International Yoga Day: ସୁସ୍ଥ ଜୀବନ ପାଇଁ ଯୋଗ ଯଦିଓ ବଡ଼ଭାଇ ଘର ଚଳାଉଥିଲେ, କିନ୍ତୁ ପୂର୍ବବତ୍ ଆର୍ଥିକ ଅନଟନ ଲାଗି ରହିଥିଲା।
ତେଣୁ, ଡାକ୍ତରୀ ପାସ୍ କରିବା ପରେ ପରେ ସେ ବିକ୍ରମସିଂଗପୁରମ୍ସ୍ଥିତ ଗୋଟାଏ ଘରୋଇ ଡାକ୍ତରଖାନାରେ ଚାକିରି କଲେ।
ସେଠାରେ ତାଙ୍କର ସୁନ୍ଦର ଓ ଚନ୍ଦ୍ରୁ ନାମରେ ଦୁଇଜଣ ମେଡିକାଲ୍ ରିେପ୍ରଜେଣ୍ଟେଟିଭ୍ଙ୍କ ସହ ପରିଚୟ ଓ କ୍ରମେ ମିତ୍ରତା ହେଲା।
ଆଦିମାରିମରୁତୁ ସେମାନଙ୍କୁ ତାଙ୍କ ମନରେ ସଂଗୁପ୍ତ ଥିବା ଅଭିଳାଷ ପ୍ରସଙ୍ଗ ଜଣାଇଲେ।
ସେମାନଙ୍କ ସହଯୋଗରେ ସେ ଅମ୍ବସମୁଦ୍ରମ୍ ଅଞ୍ଚଳରେ କ୍ଲିନିକ୍ଟିଏ ଖୋଲିଲେ ଆଉ ଘୋଷଣା କଲେ ଯେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ନିମନ୍ତେ ତାଙ୍କ କ୍ଲିନିକ୍ରେ ଫି ଦେବାକୁ ପଡ଼ିବ ନାହିଁ।
ଗତ ୫ବର୍ଷ ହେବ ସେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି।ସେ କହନ୍ତି, ""ଏ କ୍ଲିନିକ୍ରୁ ମୁଁ ଖୁବ୍ ସ୍ବଳ୍ପ ଉପାର୍ଜନ କରୁଛି, କିନ୍ତୁ ପରମ ସନ୍ତୋଷ ପାଉଛି।
ଏହାଦ୍ବାରା ମୋ ଡାକ୍ତରୀ ପଢ଼ାର ଅଭିଳାଷ ଚରିତାର୍ଥ କରିପାରୁଛି।
ଏହା ହିଁ ମନରେ ଅସୁମାରି ଆନନ୍ଦ ଦେଉଛି।
ଯେଉଁମାନେ ଦୁଃଖକଷ୍ଟ ସହି ମଣିଷ ହୋଇଛନ୍ତି ସେମାନେ ଅନ୍ୟମାନଙ୍କ ଦୁଃଖକଷ୍ଟ ପ୍ରତି ସମବେଦନା ଦେଖାଇବା ଉଚିତ।"" "