03 JULY 2026

Welcome!

Unlock your personalized experience.
Sign Up

Lakshmi Purana books: ସରକାର ବାଣ୍ଟିବେ କୋଟିଏ ଲକ୍ଷ୍ମୀ ପୁରାଣ ବହି: ‘ଶକ୍ତି ବନ୍ଦନାର ମହାଗାଥା’ ଜାତୀୟ ଆଲୋଚନାଚକ୍ର

Jul 03, 2026 - 06:14
Lakshmi Purana books: ସରକାର ବାଣ୍ଟିବେ କୋଟିଏ ଲକ୍ଷ୍ମୀ ପୁରାଣ ବହି: ‘ଶକ୍ତି ବନ୍ଦନାର ମହାଗାଥା’ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର: ରାଜ୍ୟ ସରକାର କୋଟିଏ ଲକ୍ଷ୍ମୀ ପୁରାଣ ବହି ଛାପିବେ। ଏକ କୋଟି ମହିଳାଙ୍କୁ ଏହା ବଣ୍ଟନ କରାଯିବ। ମୂଳ ଲକ୍ଷ୍ମୀ ପୁରାଣକୁ ଭିତ୍ତି କରି ଏହି ସଂସ୍କରଣ ପ୍ରସ୍ତୁତ କରାଯାଇଛି। ଏହା ସହ ଲକ୍ଷ୍ମୀପୁରାଣ ରଚୟିତା ବଳରାମ ଦାସଙ୍କ ସମାଧି ପୀଠ ଗୋପ ବ୍ଲକ୍‌ ଅନ୍ତର୍ଗତ ବେଗୁନିଆ ଗ୍ରାମରେ ‘ଲକ୍ଷ୍ମୀ ପୁରାଣ କରିଡର୍‌’ ନିର୍ମାଣ ହେବ। ଓଡ଼ିଶାର ଶକ୍ତି, ସଂସ୍କୃତି ଓ ପରମ୍ପରାର ଦର୍ଶନକୁ ବିଶ୍ୱବାସୀଙ୍କୁ ପରିଚିତ କରାଇବା ପାଇଁ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପ କରୁଛି। ୨୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି କରିଡର୍‌ର ନିର୍ମାଣ କାର୍ଯ୍ୟ ତିନି ବର୍ଷ ଭିତରେ ଶେଷ ହେବ।

Construction: ନିର୍ମାଣ କାମ ପୂରା ହେବାର ମାସେ ନପୁରୁଣୁ ଡ୍ରେନ୍‌-ପୋଲରେ ଗର୍ତ୍ତ ସୃଷ୍ଟି

ଆଜି ମିସନ୍‌ ଶକ୍ତି ଭବନଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଶକ୍ତି ବନ୍ଦନାର ମହାଗାଥା - ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ରରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ସେ କହିଥିଲେ, ମହାଲକ୍ଷ୍ମୀ ପୁରାଣର ମୂଳ ବାର୍ତ୍ତା କେବଳ ଧାର୍ମିକ ନୁହେଁ, ବରଂ ଏହା ଏକ ସାମାଜିକ ବିପ୍ଳବର ପ୍ରତୀକ। ପ୍ରକୃତ ସମୃଦ୍ଧି କେବଳ ଧନରେ ନୁହେଁ, ବରଂ ନ୍ୟାୟ, ସମାନତା, ପରିଶ୍ରମ, ସ୍ୱାଭିମାନ ଓ ସମ୍ମାନ ଉପରେ ନିର୍ଭର କରେ। ରାଜ୍ୟ ଓ ରାଜ୍ୟ ବାହାରୁ ଓଡ଼ିଶାକୁ ଆସି ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଲକ୍ଷ୍ମୀପୁରାଣ ପାଠ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ପୁରାଣ ଉପରେ ଅଧିକରୁ ଅଧିକ ଗବେଷଣା କରିବା ପାଇଁ ଫେଲୋସିପ୍‌ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ବିଶିଷ୍ଟ ବିଦ୍ୱାନ, ଗବେଷକ ଓ ବକ୍ତାମାନେ ଲକ୍ଷ୍ମୀ ପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ତ୍ୱ ସହିତ ଏଥିରେ ଥିବା ନାରୀ ସଶକ୍ତୀକରଣ ଏବଂ ସାମାଜିକ ସମାନତାର ବାର୍ତ୍ତା ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ବଳରାମ ଦାସଙ୍କ ସମାଧିପୀଠରେ ନିର୍ମାଣ ହେବ ‘ଲକ୍ଷ୍ମୀ ପୁରାଣ କରିଡର’
‘ଶକ୍ତି ବନ୍ଦନାର ମହାଗାଥା’ ଜାତୀୟ ଆଲୋଚନାଚକ୍ର

ଆୟୋଜିତ ମୁଖ୍ୟ ଆଲୋଚନାଚକ୍ରରେ ନୂଆଦିଲ୍ଲୀସ୍ଥିତ ‘ଇନଷ୍ଟିଚ୍ୟୁଟ୍‌ ଅଫ୍ ସୋସିଆଲ୍‌ ସାଇନ୍ସେସ’ର ମହିଳା ଅଧ୍ୟୟନ କାର୍ଯ୍ୟକ୍ରମର ମୁଖ୍ୟ ବିଦ୍ୟୁତଲତା ମହାନ୍ତି, ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ଅସିତ ମହାନ୍ତି, ଅବସରପ୍ରାପ୍ତ ଅଧ୍ୟାପକ ଗୌରାଙ୍ଗ ଚରଣ ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାସ ଓ ନମିତା ଅଗ୍ରୱାଲ ଯୋଗ ଦେଇଥିଲେ। ସେହିପରି ଅନନ୍ତ ଅବଧୂତ ମଠର ଆଦିତ୍ୟ ଚନ୍ଦ୍ର ଦାସ, ରମାଦେବୀ ବିଶ୍ୱବିଦ୍ୟାଳୟର ସୁଚେତା ପ୍ରିୟବାଦିନୀ ଓ ଅଲିଭା ମହାନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟର ଜୟନ୍ତୀ ଦୋରା ପ୍ରମୁଖ ଏଥିରେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ।

Ram Mandir donation case: ଚମ୍ପତ ରାୟଙ୍କୁ ପଚରାଉଚରା; ବିବରଣୀ ଦେବାକୁ ମନା କଲା ପୁଲିସ

ଗବେଷକଙ୍କ ମତରେ, ବଳରାମ ଦାସଙ୍କ ମୂଳ ପୋଥିରୁ ନକଲ କଲା ବେଳେ କିଛି କୁସଂସ୍କାର ମନରୁ ଯୋଡ଼ି ଦିଆଯାଇଥିଲା। ଏହି ଅପଭ୍ରଂଶ ସଂସ୍କରଣକୁ ବର୍ଷ ବର୍ଷ ଧରି ସମସ୍ତେ ପଢ଼ୁଥିଲା ବେଳେ ସମାଜରେ ନାରୀମାନଙ୍କ ଅଧିକାରକୁ ଏହା ମାଧ୍ୟମରେ କ୍ଷୁଣ୍ଣ କରାଯାଉଛି। ଆଠ ବର୍ଷ ତଳେ ଓଡ଼ିଶା ସାହିତ୍ୟ ଏକାଡେମୀ ଲକ୍ଷ୍ମୀପୁରାଣର ସଂଶୋଧିତ ସଂସ୍କରଣ ପ୍ରକାଶ କରିଥିଲା। ଏବେ ଏହି ସଂସ୍କରଣକୁ ଛପାଯାଇ ବଣ୍ଟାଯିବ। ଏହା ସହ ମୂଳ ପୁରାଣକୁ କଣ୍ଠଶିଳ୍ପୀ ଗୀତା ଦାଶ ଓ ନମିତା ଅଗ୍ରୱାଲଙ୍କ ସ୍ବରରେ ନୂଆ ଛନ୍ଦ ଓ ଶୈଳୀରେ ରେକର୍ଡ କରାଯିବ। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ, ମିସନ୍‌ ଶକ୍ତି ବିଭାଗର ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।