03 JULY 2026

Welcome!

Unlock your personalized experience.
Sign Up

Water Crisic: ଅତୀତରେ ମାଓବାଦୀଙ୍କ ସହ ଲଢୁଥିଲେ ଲକଡ଼ପାଜୁବାସୀ, ପାଣି ପାଇଁ ଏବେ କରୁଛନ୍ତି ସଂଘର୍ଷ

Jul 03, 2026 - 00:46
Water Crisic: ଅତୀତରେ ମାଓବାଦୀଙ୍କ ସହ ଲଢୁଥିଲେ ଲକଡ଼ପାଜୁବାସୀ, ପାଣି ପାଇଁ ଏବେ କରୁଛନ୍ତି ସଂଘର୍ଷ

ଲକ୍ଷ୍ମୀପ୍ରସାଦ (ନବ କିଶୋର ମେହେର): ବୌଦ୍ଧଜିଲ୍ଲା ସଦର ବ୍ଲକର ଦୁର୍ଗମ ଆଦିବାସୀ ଅଞ୍ଚଳ ଲକଡ଼ପାଜୁର ବାସିନ୍ଦାମାନେ ବନ୍ଧୁକ ଓ ଗୁଳିଗୋଳାର ଭୟ ମଧ୍ୟରେ ଜୀବନ କାଟୁଥିଲେ। ଦିନେ ମାଓବାଦୀଙ୍କ ଗଡ଼ ବା 'ଲାଲଗଡ଼' କୁହାଯାଉଥିବା ଏହି ଅଞ୍ଚଳ ଆଜି ମାଓମୁକ୍ତ ହୋଇ ଶାନ୍ତି ଫେରି ପାଇଛି ସତ, କିନ୍ତୁ ଏବେ ଏହି ୫୦ଟି ଆଦିବାସୀ ପରିବାର ଆଉ ଏକ ପ୍ରାଣଘାତୀ ସମସ୍ୟା ହେଉଛି ତୀବ୍ର ଜଳାଭାବ ସହ ଲଢୁଛନ୍ତି। ଯେଉଁ ଗ୍ରାମବାସୀ ଦିନେ ନିଜ ଜୀବନକୁ ବାଜି ଲଗାଇ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ଭିତରେ ବଞ୍ଚିବାକୁ ସଂଘର୍ଷ କରୁଥିଲେ, ଆଜି ସେମାନେ ଟୋପେ ବିଶୁଦ୍ଧ ପାନୀୟ ଜଳ ପାଇଁ ପ୍ରତିଦିନ ସଂଘର୍ଷ କରୁଛନ୍ତି। ଗାଁରେ ପାଣିର ଅନ୍ୟ କୌଣସି ସୁବିଧା ନଥିବାରୁ ଏକ ପାହାଡ଼ି ନାଳର ଦୂଷିତ ପାଣି ହିଁ ଏମାନଙ୍କର ଏକମାତ୍ର ସହାରା ପାଲଟିଛି। ଜୀବନ ବଞ୍ଚାଇବା ପାଇଁ ନାଳ ପାଣି ଟିକେ ପାଇବା ପାଇଁ ପ୍ରତିଦିନ ଲାଗୁଛି ଲମ୍ବା ଲାଇନ।

ପ୍ରତିଦିନ ସକାଳ ହେଲେ ଗାଁର ମହିଳାମାନେ ହାଣ୍ଡି, ବାଲଟି ଓ ମାଠିଆ ଧରି ଗାଁ ନିକଟସ୍ଥ ପାହାଡ଼ି ନାଳକୁ ଦୌଡ଼ୁଛନ୍ତି। ନାଳର ପାଣି ସେମିତି ପିଇବା ଯୋଗ୍ୟ ନଥିବାରୁ ସେମାନେ ନାଳ ଭିତରେ ଛୋଟଛୋଟ ଗାତ ବା 'ଚୁଆ' ଖୋଳିଛନ୍ତି, ଯେଉଁଥିରୁ ପାଣି ଛାଣି ହୋଇ ବାହାରିଥାଏ। କାଳେ ଚୁଆର ମାଟି ଧସିଯିବ, ସେଥିପାଇଁ ଚାରିପାଖରେ ବଡ଼ବଡ଼ ପଥର ଦେଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପାଣି ପାଇଁ ଆମକୁ ଘଣ୍ଟାଘଣ୍ଟା ଲାଇନରେ ଛିଡ଼ା ହେବାକୁ ପଡ଼ୁଛି। ଚୁଆରୁ ଧୀରେଧୀରେ ପାଣି ବାହାରି ଥାଏ। ତେଣୁ ସମସ୍ତେ ପାଳି କରି ପାଣି ନେଉଛୁ। ଖରା ହେଉ କି ବର୍ଷା, ଏହି ଦୂଷିତ ନାଳ ପାଣିରେ ହିଁ ଆମକୁ ରୋଷେଇ ଓ ପିଇବା କାମ କରିବାକୁ ପଡ଼ୁଛି ବୋଲି ସ୍ଥାନୀୟ ମହିଳାମାନେ ଅଭିଯୋଗ କରିଛନ୍ତି। 

MP: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଦିଆଗଲା ଅତ୍ୟଧିକ ଦୂଷିତ ପାଣି, ଅଧିକାରୀଙ୍କୁ ନୋଟିସ

ମାଓମୁକ୍ତ ହେବା ପରେ ଲକଡ଼ପାଯୁ ଗାଁକୁ ପ୍ରଶାସନ ପକ୍ଷରୁ ରାସ୍ତା ତିଆରି କରାଯାଇଛି, ଯାହା ଗ୍ରାମବାସୀଙ୍କ ମନରେ ଆଶା ଜଗାଇଥିଲା। କିନ୍ତୁ ମୌଳିକ ସୁବିଧା କହିଲେ ଏଠାରେ ସମ୍ପୂର୍ଣ୍ଣ ଶୂନ। ଗ୍ରାମବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ପଞ୍ଚାୟତ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ସୌର ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପଟି ଦୀର୍ଘ ମାସ ହେବ ଅଚଳ ହୋଇ ପଡ଼ିରହିଛି। ଫଳରେ ଗାଁ ଲୋକେ ପୁଣି ସେହି ଆଦିମ କାଳଭଳି ପାଣି ପାଇଁ ଚୁଆ ପାଣି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଦୂଷିତ ପାଣି ପିଇବା ଯୋଗୁଁ ଗାଁରେ ଝାଡ଼ାବାନ୍ତି, ପେଟ ରୋଗ ଏବଂ ଚର୍ମ ରୋଗ ଭଳି ସାଂଘାତିକ ଜଳବାହିତ ରୋଗ ବ୍ୟାପିବାରେ ଲାଗିଛି। ସ୍ଥିତି ବିଗିଡ଼ିବା ପୂର୍ବରୁ ଗାଁରେ ଏକ ଗଭୀର ନଳକୂପ ଖନନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହି ସମସ୍ୟା ବାବଦରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ନରେନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି

ଲକଡ଼ପାଜୁ ଗାଁର ପାନୀୟ ଜଳ ସମସ୍ୟା ବାବଦରେ ଆମେ ଅବଗତ ଅଛୁ। ଅଚଳ ହୋଇପଡ଼ିଥିବା ସୌର ପ୍ରକଳ୍ପକୁ ଖୁବଶୀଘ୍ର ମରାମତି କରି କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇ ଯଥାଶୀଘ୍ର ମରାମତି କରାଯିବ। ବହୁ ଜଲଦି ଗ୍ରାମବାସୀଙ୍କୁ ବିଶୁଦ୍ଧ ପାଣି ମିଳିବ। ପ୍ରଶାସନର ଏହି ପ୍ରତିଶ୍ରୁତି କେବେ ସତ ହେବ, ତାହା ତ ସମୟ କହିବ। କିନ୍ତୁ ସେପର୍ଯ୍ୟନ୍ତ ଲକଡ଼ପାଜୁ ଗାଁର ଆଦିବାସୀଙ୍କୁ ପ୍ରତିଦିନ ସେହି ନାଳ ପାଣି ପାଇଁ ନିଜ ଜୀବନ ସହ ସଂଘର୍ଷ କରିବାକୁ ହିଁ ପଡ଼ିବ। ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ବିଶୁଦ୍ଧ ଜଳ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛିl