Judgement: ୩୬ ମାମଲାରେ ବିଚାର ଶେଷ; ସବୁଥିରୁ ନିର୍ଦ୍ଦୋଷରେ ଖଲାସ ଆଜାଦ
"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଦୀର୍ଘବର୍ଷ ଧରି ବିଭିନ୍ନମାଓବାଦୀ ହିଂସା ମାମଲାରେ ଜେଲ୍ରେ ଥିବା ମାଓନେତା ଡୋନା କେଶବ ରାଓ ଓରଫ ଆଜାଦ ଆଜି ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡିରେ ଗଠିତ ସ୍ୱତନ୍ତ୍ର ଅଦାଲତରେ ତାଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଶୁଣାଣି ହୋଇଥିଲା।
ଆଜି ଶେଷ ମାମଲାରେ ମଧ୍ୟ ତାଙ୍କୁ ଖଲାସ କରାଯିବା ପରେ ଜେଲ୍ରୁ ମୁକୁଳିବା ବାଟ ଫିଟିଛି।Advertisment ଆଜାଦଙ୍କ ବିରୋଧରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ମୋଟ ୪୯ଟି ମାମଲା ରହିଥିଲା।
ସେଥିମଧ୍ୟରୁ ଓଡ଼ିଶାରେ ୩୭ଟି ମାମଲା ଥିବା ବେଳେ ପାରଳାଖେମୁଣ୍ଡିରେ ୩୬ଟି ଓ ରାୟଗଡ଼ାରେ ଗୋଟିଏ ମାମଲା ରହିଥିଲା।
ଅବଶିଷ୍ଟ ୧୨ଟି ମାମଲା ଆନ୍ଧ୍ରପ୍ରଦେଶରେ ଥିବା ଜଣାପଡ଼ିଛି।
ଗତ ୧୪ ବର୍ଷ ଧରି ବିଭିନ୍ନ ମାମଲାରେ ଆଜାଦ ବିଚାରାଧୀନ କଏଦୀ ଭାବେ ଜେଲ୍ରେ ରହିଥିଲେ।
ତାଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଦୀର୍ଘଦିନ ଧରି ବିଚାର ହୋଇପାରୁନଥିବାରୁ ତାଙ୍କ ଓକିଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
Maoist: କୁଖ୍ୟାତ ମାଓବାଦୀ ମୁକେଶ ଗଞ୍ଜୁ ଗିରଫ ମାମଲାଗୁଡ଼ିକର ଶୀଘ୍ର ବିଚାର ପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଅଦାଲତ ଗଠନ କରି ଏକ ବର୍ଷ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ନିର୍ଦ୍ଦେଶ ଅନୁଯାୟୀ ପାରଳାଖେମୁଣ୍ଡିରେ ସ୍ୱତନ୍ତ୍ର ଅଦାଲତ ଖୋଲାଯାଇଥିଲା।
ଗଜପତି ଜିଲ୍ଲାରେ ଆଜାଦଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଏଠାରେ ଶୁଣାଣି ଆରମ୍ଭ ହୋଇଥିଲା।
ପୂର୍ବରୁ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ କିଛି ମାମଲାରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା।
ଆଜି ଶେଷ ମାମଲାରେ ମଧ୍ୟ ଖଲାସ ହେବା ପରେ ପାରଳାଖେମୁଣ୍ଡିରେ ଥିବା ୩୬ଟି ମାମଲାର ବିଚାର ପ୍ରକ୍ରିୟା ଶେଷ ହୋଇଛି।
ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଆଜାଦଙ୍କ ନାମରେ ଗଜପତି ଜିଲ୍ଲାର ବିଭିନ୍ନ ଥାନାରେ ମାଓ ହିଂସା ସମ୍ପର୍କିତ ଏକାଧିକ ମାମଲା ରହିଥିଲା।
ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ବିଟ୍ ହାଉସ୍ ଉଡ଼ାଇବା, ପୁଲିସ ସହ ଗୁଳିବିନିମୟ, ଠିକାଦାର କ୍ୟାମ୍ପ୍ ଉପରେ ଆକ୍ରମଣ ଓ ସରକାରୀ ବସ୍ ପୋଡ଼ିବା ଭଳି ଘଟଣାରେ ତାଙ୍କ ବିରୋଧରେ ମାମଲା ରହିଥିଲା।
୨୦୧୧ ମସିହାରେ ନୟାଗଡ଼ ଜିଲ୍ଲାରେ ପୁଲିସ ଷ୍ଟେସନ୍ରେ ଆକ୍ରମଣ, ନିଆଁ ଲଗାଇବା ଓ ଅସ୍ତ୍ରଶସ୍ତ୍ର ଲୁଟ୍ ଘଟଣାରେ ଆଜାଦଙ୍କୁ ପୁଲିସ ଗିରଫ କରିଥିଲା।
ପରେ ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍ରେ ରଖାଯାଇଥିଲା।
ଏବେ ସମସ୍ତ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ତାଙ୍କ ଜେଲ୍ରୁ ମୁକ୍ତି ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି।
ତାଙ୍କ ଓକିଲ ସ୍ୱରୂପ କୁମାର ପାଳଙ୍କ ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ଅଦାଲତରେ ଚାଲିଥିବା ବିଚାର ପ୍ରକ୍ରିୟାରେ ଆଜାଦଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଶୁଣାଣି ଶେଷ ହୋଇଛି ଏବଂ ଶେଷ ମାମଲାରେ ମଧ୍ୟ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
