Inner Voice: ଅନ୍ତଃ ସ୍ବର: ତୀର୍ଥ, ପର୍ଯ୍ୟଟନ ଓ ଐତିହ୍ୟ ସୁରକ୍ଷା
"ଅରବିନ୍ଦ କୁମାର ପାଢ଼ୀ ନିକଟରେ "ଲାଲ ବାହାଦୂର ଶାସ୍ତ୍ରୀ ନେସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍"ରେ ଶିକ୍ଷାନବିସ ଅଧିକାରୀମାନଙ୍କ ସମ୍ମୁଖରେ "ସୁବ୍ୟବସ୍ଥିତ ପର୍ଯ୍ୟଟନ ଓ ସାଂସ୍କୃତିକ ଅର୍ଥନୀତି କ୍ଷେତ୍ରରେ ପ୍ରାଶାସନିକ ନେତୃତ୍ବ" ବିଷୟରେ ବକ୍ତବ୍ୟ ରଖିବାର ସୁଯୋଗ ମିଳିଥିଲା।
ମୋର ଜନ୍ମଭୂମି ଓ କର୍ମଭୂମି ଉଭୟ ଓଡ଼ିଶା ହୋଇଥିବାରୁ ବକ୍ତବ୍ୟରେ ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ପ୍ରସଙ୍ଗ ଉଠିବା ସ୍ବାଭାବିକ ଏବଂ ଏହି ସନ୍ଦର୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଠାରୁ ଉପଯୁକ୍ତ ଉଦାହରଣ ଆଉ କ"ଣ ହୋଇପାରେ!Advertisment Horoscope 2026 August 27: ଜାଣନ୍ତୁ ଆଜିର ରାଶିଫଳ...
ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ।
ଏତେ ବିଶାଳ ଜନସମାଗମ ଏବଂ ଏତେ ବିରାଟ ଧାର୍ମିକ ଓ ସାଂସ୍କୃତିକ ଆୟୋଜନକୁ ସୁରୁଖୁରୁରେ ପରିଚାଳନା କରିବା ନିଶ୍ଚିତ ଭାବେ ଏକ ବଡ଼ ପ୍ରାଶାସନିକ ଆହ୍ୱାନ।
ଗତ ଜୁଲାଇ ମାସରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ମହାଆଡ଼ମ୍ୱରରେ ଅନୁଷ୍ଠିତ ହୋଇଥିଲା।
ପୁରୀର ବଡ଼ଦାଣ୍ଡ ରୂପାନ୍ତରିତ ହୋଇଥିଲା ଏକ ବିଶାଳ ଜନସମୁଦ୍ରରେ।
ସେହି ଜନସମୁଦ୍ରରେ, ସବୁଠି ଭକ୍ତି ରସର ତରଙ୍ଗ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା।
ବିଶ୍ବର କୋଣ ଅନୁକୋଣରୁ ଅଗଣିତ ଶ୍ରଦ୍ଧାଳୁ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଇଁ ଆସିଥିଲେ।
ଶ୍ରୀଜଗନ୍ନାଥ ଧାମ ଆସିବା ପାଇଁ କାହାରି ନିମନ୍ତ୍ରଣ ଦରକାର ହୁଏ ନାହିଁ; କୌଣସି ପ୍ରଚାର କିମ୍ବା ବିଜ୍ଞାପନର ମଧ୍ୟ ଆବଶ୍ୟକତା ନ ଥାଏ।
ସେମାନଙ୍କୁ ଟାଣି ଆଣେ ଗୋଟିଏ ଶକ୍ତି- ମହାପ୍ରଭୁଙ୍କ ପ୍ରତି ଭକ୍ତି ଭାବ ଓ ଅତୁଟ ବିଶ୍ବାସ।
ନଅ ଦିନର ଏହି ମହାଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବକ, ପ୍ରାଶାସନିକ ଅଧିକାରୀ, ପୁଲିସ ଓ ସୁରକ୍ଷା କର୍ମୀ, ଡାକ୍ତର, ସ୍ୱେଚ୍ଛାସେବୀ ଓ ବିଭିନ୍ନ ବିଭାଗର କର୍ମଚାରୀ ନିଷ୍ଠା ଓ ସମର୍ପଣର ସହିତ ନିୟୋଜିତ ରହିଥିଲେ।ରଥଯାତ୍ରାର ସେହି ଜନସମୁଦ୍ର ମଧ୍ୟରେ ଠିଆ ହୋଇଥିବା ବେଳେ ମୋ ମନରେ ଏକ ଉପଲବ୍ଧି ଜାଗ୍ରତ ହୋଇଥିଲା, ବିଶ୍ବର ଏଭଳି ବୃହତ୍ ଆୟୋଜନ କେବଳ ନିୟମ ଓ ନୀତି ଦ୍ବାରା ପରିଚାଳିତ ହୁଏ ନାହିଁ; ଏଥିପାଇଁ ଆବଶ୍ୟକ ହୁଏ ବିଶ୍ବାସ, ଆସ୍ଥା, ସମନ୍ୱୟ ଓ ସାମୂହିକ ଦାୟିତ୍ବବୋଧ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ରଥଯାତ୍ରାର ଏହି ଅପୂର୍ବ ପରିବେଶକୁ ଅତି ନିକଟରୁ ଅନୁଭବ କରିବାର ସୁଯୋଗ ମୋତେ ମିଳିଛି।
ପ୍ରତ୍ୟେକ ରଥଯାତ୍ରା ଆମକୁ ନେତୃତ୍ବ, ଅନୁଷ୍ଠାନ ଗଠନ, ସମନ୍ୱୟ ଓ ସାଧାରଣ ପ୍ରଶାସନ ସମ୍ପର୍କରେ ଅନେକ ନୂଆ କଥା ଶିଖାଏ।
ସବୁ ଶିକ୍ଷା ଶ୍ରେଣୀଗୃହ ବା କାର୍ଯାଳୟର ଚାରି କାନ୍ଥ ଭିତରେ ମିଳେ ନାହିଁ।
କିଛି ଶିକ୍ଷା ଜୀବନରୁ ଆସେ ଏବଂ ଅଭିଜ୍ଞତାରୁ ଆସେ।
ନିଃସନ୍ଦେହରେ କୁହାଯାଇପାରେ ଯେ ସୁବ୍ୟବସ୍ଥିତ ତୀର୍ଥ ଓ ପର୍ଯ୍ୟଟନ ପରିଚାଳନାର ପ୍ରତ୍ୟକ୍ଷ ଅଭିଜ୍ଞତା ପାଇଁ ରଥଯାତ୍ରା ଭାରତବର୍ଷର ଅନ୍ୟତମ ବୃହତ୍ତମ ମଞ୍ଚ।ସହନୀୟ ପର୍ଯ୍ୟଟନ ବା "ସଷ୍ଟେନେବଲ୍ ଟୁରିଜମ" ପ୍ରସଙ୍ଗ ଉଠିଲେ ଆମ ଆଲୋଚନା ପ୍ରାୟତଃ ଭିତ୍ତିଭୂମି ନିର୍ମାଣ ଆଦିରେ ସୀମିତ ରହିଯାଏ; ଯେମିତି କି ରାସ୍ତାଘାଟ, ଗମନାଗମନର ସୁବିଧା, ବିମାନବନ୍ଦର, ହୋଟେଲ, ପରିମଳ ବ୍ୟବସ୍ଥା ଓ ପର୍ଯ୍ୟଟକଙ୍କ ପାଇଁ ଆନୁଷଙ୍ଗିକ ସୁବିଧା, ଇତ୍ୟାଦି।
ଏ ସବୁ ନିଶ୍ଚିତ ଭାବେ ଆବଶ୍ୟକ।
କିନ୍ତୁ ତୀର୍ଥ ଯାତ୍ରା ଏସବୁର ଊର୍ଦ୍ଧ୍ୱରେ ଏକ ଆତ୍ମିକ ଅନୁଭୂତି।ପର୍ଯ୍ୟଟନ ଓ ତୀର୍ଥଯାତ୍ରା ମଧ୍ୟରେ ଏକ ସୂକ୍ଷ୍ମ ଅନ୍ତର ରହିଛି।
ପର୍ଯ୍ୟଟକ ପ୍ରକୃତିର ରୂପ, ସ୍ଥାନର ସୌନ୍ଦର୍ଯ୍ୟ ଓ ଇନ୍ଦ୍ରିୟଗ୍ରାହ୍ୟ ଆନନ୍ଦକୁ ଉପଭୋଗ କରେ।
କିନ୍ତୁ, ଜଣେ ତୀର୍ଥଯାତ୍ରୀ କେବଳ ଭ୍ରମଣ କରେ ନାହିଁ; ସେ ଯାତ୍ରା କରେ ସତ୍ୟର ସନ୍ଧାନରେ, ଦିବ୍ୟତାର ଅନୁଭବ ପାଇଁ ଏବଂ ପରିଶେଷରେ ନିଜକୁ ନିଜ ଭିତରେ ଖୋଜିବା ପାଇଁ।
ମଣିଷର ଜୀବନ-ଜିଜ୍ଞାସା ଓ ଆଧ୍ୟାତ୍ମିକ ଅଭୀପ୍ସାକୁ ଚରିତାର୍ଥ କରିବାର ଏକ ମାଧ୍ୟମ ହେଉଛି ତୀର୍ଥଯାତ୍ରା।
ଏହାର ପ୍ରତ୍ୟେକ ପର୍ଯ୍ୟାୟରେ ଆତ୍ମ-ଉପଲବ୍ଧି ଓ ଆଧ୍ୟାତ୍ମିକ ରୂପାନ୍ତରଣର ସମ୍ଭାବନା ରହିଥାଏ।ସେଥିପାଇଁ ତୀର୍ଥକ୍ଷେତ୍ରରେ କେବଳ ଭିତ୍ତିଭୂମିର ବିକାଶ ଯଥେଷ୍ଟ ନୁହେଁ।
ମନ୍ଦିର ସ୍ଥାପତ୍ୟ, ଐତିହ୍ୟ ଓ ଅମୂର୍ତ୍ତ ସାଂସ୍କୃତିକ ପରମ୍ପରା (ଇନ୍ଟାଞ୍ଜିବଲ୍ କଲ୍ଚରାଲ ହେରିଟେଜ)ର ସଂରକ୍ଷଣ ମଧ୍ୟ ସମାନ ଭାବେ ଜରୁରି।
ଯଦି ଐତିହ୍ୟ କୀର୍ତ୍ତିରାଜିକୁ ସଭ୍ୟତାର କଳେବର ବୋଲି ମନେ କରାଯାଏ, ତେବେ ଜୀବନ୍ତ ପରମ୍ପରା ହେଉଛି ସଭ୍ୟତାର ଆତ୍ମା।
ପରମ୍ପରା, ସଂସ୍କୃତି ଓ ସ୍ଥାପତ୍ୟର ସମନ୍ବୟରେ ହିଁ ଏକ ତୀର୍ଥକ୍ଷେତ୍ର ପ୍ରାଣବନ୍ତ ହୁଏ।ଶ୍ରୀଜଗନ୍ନାଥ ସଂସ୍କୃତି ଏହି ଜୀବନ୍ତ ଐତିହ୍ୟର ଏକ ଅନନ୍ୟ ଉଦାହରଣ।
ମହାପ୍ରଭୁଙ୍କ ନୀତିକାନ୍ତି, ସେବାୟତଙ୍କ ନିଷ୍ଠା, ରଥ ନିର୍ମାଣରେ ନିମଗ୍ନ କାରିଗର, ମହାପ୍ରସାଦ ପ୍ରସ୍ତୁତ କରୁଥିବା ସେବକ ଏବଂ ରଥ ଦଉଡ଼ି ଟାଣୁଥିବା ଅଗଣିତ ଭକ୍ତଙ୍କ ସାମୂହିକ ଅବଦାନରେ ଏହି ପରମ୍ପରା ଆଜି ମଧ୍ୟ ଉଜ୍ଜୀବିତ।
ପ୍ରଶାସନ ଏଭଳି ଜୀବନ୍ତ ଐତିହ୍ୟ ସୃଷ୍ଟି କରିପାରେ ନାହିଁ।
ପ୍ରଶାସନର ଭୂମିକା ହେଉଛି ଏଭଳି ପରିବେଶ ଓ ସୁବିଧା ସୃଷ୍ଟି କରିବା, ଯେଉଁଠି ପରମ୍ପରା ନିଜସ୍ବ ସ୍ବାଭାବିକ ଗତିରେ ପ୍ରସ୍ଫୁଟିତ ହୋଇପାରିବ ଏବଂ ସଂସ୍କୃତିର ସ୍ରୋତ ଅବିରତ ପ୍ରବାହିତ ହୋଇପାରିବ।ଏହି ଭାବନାକୁ ପାଥେୟ କରି ପରିଚାଳନା କମିଟି ଓ ଓଡ଼ିଶା ସରକାରଙ୍କ ମାର୍ଗ ଦର୍ଶନରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରଥଯାତ୍ରାକୁ ୟୁନେସ୍କୋର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ କରିଛି।
ଏହା ମଧ୍ୟରେ ବିଶ୍ବ ଦରବାରରେ ମହାପ୍ରଭୁଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ସହିତ ରଥଯାତ୍ରା ଭଳି ଏକ ପ୍ରାଚୀନ ପରମ୍ପରାର ବ୍ୟାପକ ଦସ୍ତାବିଜ ସଂଗ୍ରହ ଓ ଆଗାମୀ ପିଢ଼ି ପାଇଁ ତଥ୍ୟ ସଂରକ୍ଷଣର ସୁଯୋଗ ସୃଷ୍ଟି ହେବ।ପର୍ଯ୍ୟଟନର ମୂଳଦୁଆ ହେଉଛି ସଂସ୍କୃତି।
ମୋ କର୍ମ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ବିଭାଗରେ କାର୍ଯ୍ୟ କରିବାର ସୁଯୋଗ ମିଳିଛି।
ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ସଚିବ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତାରୁ ମୁଁ ଅନୁଭବ କରିଛି ଯେ ପର୍ଯ୍ୟଟକ କୌଣସି ସ୍ଥାନର ରାସ୍ତାଘାଟ କିମ୍ବା କୋଠାବାଡ଼ିକୁ ଦୀର୍ଘ କାଳ ମନେ ରଖନ୍ତି ନାହିଁ।
ସେମାନେ ମନେ ରଖନ୍ତି କାହାଣୀ, ପର୍ବପର୍ବାଣି, ଖାଦ୍ୟ, ଲୋକସଙ୍ଗୀତ, ଭାଷା, ବୋଲି, ଲୋକଙ୍କ ଚାଲିଚଳଣି ଓ ଆତ୍ମୀୟତା।
କୌଣସି ସ୍ଥାନର ବାହ୍ୟ ଭିତ୍ତିଭୂମି ପର୍ଯ୍ୟଟକଙ୍କୁ ଥରେ ଆକର୍ଷିତ କରିପାରେ; କିନ୍ତୁ ସଂସ୍କୃତି ତାଙ୍କୁ ବାରମ୍ବାର ସେଠାକୁ ଫେରାଇ ଆଣେ।
ସେଠାକାର ପର୍ଯ୍ୟଟନ ପାଇଁ ଭିତ୍ତିଭୂମି ବିକାଶ ସହ ସ୍ଥାନୀୟ ଲୋକଙ୍କ ସଶକ୍ତୀକରଣ, ସ୍ଥାନୀୟ ପରମ୍ପରା, ସଂସ୍କୃତି ଓ ପରିଚୟକୁ ବଜାୟ ରଖିବା ଆବଶ୍ୟକ।
ସାଂସ୍କୃତିକ ବିଭବକୁ ଅକ୍ଷୁଣ୍ଣ ରଖି ଅର୍ଥନୈତିକ ବିକାଶକୁ ଆଗେଇ ନେବା ହିଁ ପ୍ରକୃତ ଅର୍ଥରେ ପର୍ଯ୍ୟଟନ ପରିଚାଳନା।
ଓଡ଼ିଶାରେ ସ୍ଥାନୀୟ ଲୋକଙ୍କ ଦ୍ବାରା ପରିଚାଳିତ ଇକୋ-ଟୁରିଜିମ ସ୍ଥଳୀଗୁଡ଼ିକ ଏହାର ଉଲ୍ଲେଖନୀୟ ଉଦାହରଣ।ଚଳିତ ବର୍ଷର ରଥଯାତ୍ରା ପୁଣି ଥରେ ପ୍ରମାଣିତ କରିଛି ଯେ ଏକ ତୀର୍ଥଯାତ୍ରାର ସୁପରିଚାଳନା ମୁଖ୍ୟତଃ ସମନ୍ବୟ ଓ ସହଯୋଗ ଉପରେ ନିର୍ଭରଶୀଳ।
ଏଭଳି ବୃହତ୍ ଆୟୋଜନର ପରିଚାଳନା କୌଣସି ଅନୁଷ୍ଠାନ ଏକାକୀ କରିପାରିବା ସମ୍ଭବ ନୁହେଁ।
ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଓଡ଼ିଶା ପୁଲିସ, ସୁରକ୍ଷା ବାହିନୀ, ସ୍ବାସ୍ଥ୍ୟ ଓ ଅଗ୍ନିଶମ ବିଭାଗ, ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା, ପୌର ପ୍ରଶାସନ, ପରିବହନ ସଂସ୍ଥା, ସ୍ବେଚ୍ଛାସେବୀ, ଗଣମାଧ୍ୟମ ଓ ସେବାୟତମାନଙ୍କ ସମନ୍ବିତ ପ୍ରୟାସରେ ହିଁ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୁଏ।
ବିଭିନ୍ନ ଅନୁଷ୍ଠାନ, ବିଭାଗ ଓ ବ୍ୟବସ୍ଥା ମଧ୍ୟରେ ସମନ୍ବୟ ସ୍ଥାପନ କରି ସମସ୍ତଙ୍କୁ ଏକ ସାଧାରଣ ଲକ୍ଷ୍ୟ ଦିଗରେ ଆଗେଇ ନେବାର କଳା ହିଁ ନେତୃତ୍ବକୁ ପ୍ରକୃତ ଅର୍ଥରେ ବଳିଷ୍ଠ କରେ।
Deras: ଡେରାସ୍ ସିଫୁଡ୍ ପାର୍କରେ ମୁଖ୍ୟ ଶାସନ ସଚିବ ଅନେକଙ୍କ ଧାରଣା ରହିଛି ଯେ ପ୍ରଯୁକ୍ତି ଓ ପରମ୍ପରା ପରସ୍ପର ବିରୋଧୀ।
କିନ୍ତୁ ଚଳିତ ରଥଯାତ୍ରାରେ ଆମର ଅଭିଜ୍ଞତା ଏହି ଧାରଣାକୁ ଭୁଲ୍ ବୋଲି ପ୍ରମାଣିତ କରିଛି।
ବରଂ ଠିକ୍ ଭାବେ ପ୍ରୟୋଗ କରାଗଲେ ପ୍ରଯୁକ୍ତି ପରମ୍ପରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସମୃଦ୍ଧ କରିପାରେ।
ଚଳିତ ବର୍ଷ ପୁରୀ ରଥଯାତ୍ରା ପରିଚାଳନାରେ "ସମନ୍ବିତ କମାଣ୍ଡ ନିୟନ୍ତ୍ରଣ କେନ୍ଦ୍ର" (ଆଇ.ସି.ସି.ସି.) ଏ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଉଦାହରଣ।
ଭିଡ଼ ପରିଚାଳନା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ରିଅଲ୍-ଟାଇମ୍ ସି.ସି.
ନିରୀକ୍ଷଣ, ଡ୍ରୋନ୍ ମନିଟରିଂ, କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.) ଆଧାରିତ ବିଶ୍ଳେଷଣ ଏବଂ ଜି.ପି.ଏସ୍.
ଆଧାରିତ ଯାନବାହନ ଟ୍ରାକିଂ ଭଳି ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ତଥ୍ୟଭିତ୍ତିକ ଓ ସମୟୋପଯୋଗୀ ନିଷ୍ପତ୍ତି ନେବାରେ ସହାୟକ ହୋଇଛି।
ପରମ୍ପରାକୁ ସୁରକ୍ଷିତ ଭାବେ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାରେ ପ୍ରଯୁକ୍ତି ଏକ ଶକ୍ତିଶାଳୀ ସାଧନ।ପ୍ରତ୍ୟେକ ବର୍ଷ ରଥଯାତ୍ରାର ଶେଷ ପର୍ଯ୍ୟାୟରେ ବାହୁଡ଼ା ଯାତ୍ରା ଦିନ ଶ୍ରୀବିଗ୍ରହମାନଙ୍କ ତିନି ସୁସଜ୍ଜିତ ରଥ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି।
ନୀଳାଦ୍ରି ବିଜେ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନ ସିଂହାସନରେ ବିଜେ କରିବା ପରେ ନବଦିନାତ୍ମକ ରଥଯାତ୍ରାର ଔପଚାରିକ ସମାପ୍ତି ଘଟେ।
ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ ନିଜ ନିଜ ଠିକଣାକୁ ଫେରିଯାଆନ୍ତି ଏବଂ ପ୍ରାୟ ମାସେ କାଳ ଲୋକାରଣ୍ୟ ହୋଇଥିବା ବଡ଼ଦାଣ୍ଡ ଧୀରେ ଧୀରେ ତାହାର ସ୍ବାଭାବିକ ସ୍ଥିତିକୁ ଫେରିଆସେ।
କିନ୍ତୁ, ଠିକ୍ ପର ମୁହୂର୍ତ୍ତରେ ପ୍ରଶାସନ ପାଇଁ ଆରମ୍ଭ ହୁଏ ଆଉ ଏକ ଯାତ୍ରା- ଐତିହ୍ୟ ସଂରକ୍ଷଣର, ଭିତ୍ତିଭୂମି ଉନ୍ନତୀକରଣର ଏବଂ ଆଗାମୀ ରଥଯାତ୍ରା ପାଇଁ ଆହୁରି ଭଲ ପ୍ରସ୍ତୁତିର।ଭକ୍ତି, ପରମ୍ପରା, ପ୍ରଯୁକ୍ତି, ପ୍ରଶାସନ ଓ ମାନବିକତା ଏକାଠି ହେଲେ, ତୀର୍ଥଯାତ୍ରା କେବଳ ଏକ ଉତ୍ସବ ହୋଇ ରହେ ନାହିଁ, ତାହା ରୂପ ନିଏ ଏକ ଜୀବନ୍ତ ସଭ୍ୟତାର ଏବଂ ପ୍ରଶାସନ ପାଇଁ ତିଆରି କରେ ଏକ ଅନନ୍ୟ ପାଠଶାଳା। (ମତାମତ ଲେଖକଙ୍କ ନିଜସ୍ବ)ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
