Hasina's Party Calls Bangladesh Bandh: ଶେଖ୍ ହସିନାଙ୍କ ଘରବାହୁଡ଼ା ପୂର୍ବରୁ ରଣକ୍ଷେତ୍ର ବାଂଲାଦେଶ! ଦେଶବ୍ୟାପୀ ଲକଡାଉନ୍ ଡାକରା
ବାଂଲାଦେଶରେ ପୁଣି ରାଜନୈତିକ ଅସ୍ଥିରତା ଦେଖାଦେଇଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଚର୍ଚ୍ଚା ମଧ୍ୟରେ ତାଙ୍କ ଦଳ ଆୱାମୀ ଲିଗ୍ ନଭେମ୍ବର ୧୯ ଗୁରୁବାର ଦିନ ଦେଶବ୍ୟାପୀ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲକଡାଉନ୍ ଡାକରା ଦେଇଛି।
ଏହା ସହିତ ଦେଶର ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଭଙ୍ଗାରୁଜା, ପୋଲିସ ସହ ସଂଘର୍ଷ ଏବଂ ଶ୍ରମିକ ଆନ୍ଦୋଳନ ଯୋଗୁଁ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି।
Advertisment ୨୦୨୪ରେ ଛାତ୍ର ଆନ୍ଦୋଳନ ପରେ ଶେଖ୍ ହସିନା କ୍ଷମତା ଛାଡ଼ି ଭାରତ ଚାଲିଆସିଥିଲେ।
ଏହା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଥିଲା।
ସରକାର ଆୱାମୀ ଲିଗ୍ର ରାଜନୈତିକ କାର୍ଯ୍ୟକଳାପ ଉପରେ କଟକଣା ଲଗାଇବା ସହ ଏହାର କିଛି ସହଯୋଗୀ ସଂଗଠନକୁ ମଧ୍ୟ ନିଷିଦ୍ଧ କରିଥିଲେ।
ଏବେ ଦଳ ପୁଣି ସକ୍ରିୟ ହେବା ସହ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ କରୁଛି।
ଶେଖ୍ ହସିନା ଚଳିତ ବର୍ଷ ଅଗଷ୍ଟରେ ଘୋଷଣା କରିଥିଲେ ଯେ, ଯେକୌଣସି ପରିସ୍ଥିତିରେ ଡିସେମ୍ବର ସୁଦ୍ଧା ସେ ବାଂଲାଦେଶ ଫେରିବେ।
ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିବା ସତ୍ତ୍ୱେ ସେ ନିଜ ପ୍ରତ୍ୟାବର୍ତ୍ତନ ନେଇ ବିଭିନ୍ନ ସାକ୍ଷାତକାରରେ ଦୋହରାଇଛନ୍ତି।
ଏପରିକି ତାଙ୍କ ଓକିଲମାନେ ନୂଆ ପାସପୋର୍ଟ ପାଇଁ ଢାକାରେ ଆବେଦନ କରିଥିବା ଖବର ମଧ୍ୟ ଆସିଛି।
Advertisment ଏହାରି ମଧ୍ୟରେ ଆୱାମୀ ଲିଗ୍ର କର୍ମୀମାନେ ଗୋପାଳଗଞ୍ଜ ସମେତ ବିଭିନ୍ନ ଅଞ୍ଚଳରେ ରାଲି, ଶୋଭାଯାତ୍ରା ଓ ପ୍ରତିବାଦ କରୁଛନ୍ତି।
'ଜୟ ବାଂଲା' ସ୍ଲୋଗାନ ଦେଇ କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି।
କେତେକ ସ୍ଥାନରେ ଦଳୀୟ କର୍ମୀଙ୍କୁ ଦାଆ, କୁରାଢ଼ି ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ର ସହ ଦେଖିବାକୁ ମିଳିଛି।
ଆୱାମୀ ଲିଗ୍ ପକ୍ଷରୁ ନଭେମ୍ବର ୧୪ରୁ ୧୯ ପର୍ଯ୍ୟନ୍ତ ପାଞ୍ଚଦିନିଆ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।
ଦଳର ଆଠ ଦଫା ଦାବି ପୂରଣ ଏବଂ ଶେଖ୍ ହସିନାଙ୍କୁ ଦେଶକୁ ଫେରାଇ ଆଣିବା ଏହି ଆନ୍ଦୋଳନର ପ୍ରମୁଖ ଉଦ୍ଦେଶ୍ୟ।
ଦଳର ଆଠ ଦଫା ଦାବି ମଧ୍ୟରେ ଆୱାମୀ ଲିଗ୍ ଉପରୁ କଟକଣା ହଟାଇବା, ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲକୁ ରଦ୍ଦ କରିବା, ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରିବା, ମିଥ୍ୟା ମାମଲା ଓ ରାୟ ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ ଏବଂ ବନ୍ଦ ଶିଳ୍ପାନୁଷ୍ଠାନ ଖୋଲିବା ଆଦି ଦାବି ରହିଛି।
ନଭେମ୍ବର ୧୯ର ଲକଡାଉନ୍ରେ ଯାତାୟାତ, ଦୋକାନବଜାର, ଶିଳ୍ପାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, କୋର୍ଟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଦଳ ଆହ୍ୱାନ ଦେଇଛି।
ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ଔଷଧ ଦୋକାନ, ଅଗ୍ନିଶମ ସେବା ଓ ଗଣମାଧ୍ୟମକୁ ଏଥିରୁ ବାଦ୍ ଦିଆଯାଇଛି।
ଶେଖ୍ ହସିନାଙ୍କ ଜନ୍ମସ୍ଥାନ ଟୁଙ୍ଗିପାରା ଥିବା ଗୋପାଳଗଞ୍ଜ ଜିଲ୍ଲାରେ ଆୱାମୀ ଲିଗ୍ର ଶକ୍ତି ପ୍ରଦର୍ଶନ ଅଧିକ ଦେଖିବାକୁ ମିଳିଛି।
ରବିବାର ଶତାଧିକ ଦଳୀୟ କର୍ମୀ ରାସ୍ତାକୁ ଓହ୍ଲାଇ ପୋଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ।
ପୋଲିସର ଏକ ସୁରକ୍ଷା ଗାଡ଼ି ଓ ପୋଲିସ ବୁଥ୍ରେ ଭଙ୍ଗାରୁଜା କରିଥିଲେ।
ଏହା ସହିତ ବିଏନ୍ପି ନେତା ଓ କର୍ମୀଙ୍କ ଘର ଉପରେ ଆକ୍ରମଣ ହୋଇଛି।
ଟୁଙ୍ଗିପାରା ମ୍ୟୁନିସିପାଲିଟି ବିଏନ୍ପି ଅଧ୍ୟକ୍ଷ ଇମଦାଦୁଲ ହକ୍ ମୋଲ୍ଲାଙ୍କ ଘରେ ଲୁଟ୍ପାଟ୍ ପରେ ନିଆଁ ଲଗାଇ ଦିଆଯାଇଥିବା ଖବର ଆସିଛି।
ଏହି ଆକ୍ରମଣରେ ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।
କେବଳ ଗୋପାଳଗଞ୍ଜ ନୁହେଁ, ବାଂଲାଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ହିଂସା ବ୍ୟାପିବାରେ ଲାଗିଛି।
ବିଭିନ୍ନ ସ୍ଥାନରେ କ୍ରୁଡ୍ ବୋମା ବିସ୍ଫୋରଣ, ପେଟ୍ରୋଲ ବୋମା ଆକ୍ରମଣ ଏବଂ ବସ୍ ଓ ଅନ୍ୟ ଯାନବାହନରେ ନିଆଁ ଲଗାଇବା ଭଳି ଘଟଣା ଘଟିଛି।
ନଭେମ୍ବର ୭ରୁ ୯ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଅତିକମ୍ରେ ୧୯ଟି ବସ୍ ପୋଡ଼ାଯାଇଥିବା ସହ ୨୯ଟି ସ୍ଥାନରେ କ୍ରୁଡ୍ ବୋମା ବିସ୍ଫୋରଣ ହୋଇଥିଲା।
ବାଂଲାଦେଶରେ ବଢ଼ୁଥିବା ଅଶାନ୍ତିକୁ ନେଇ ପ୍ରଧାନମନ୍ତ୍ରୀ ତଥା ବିଏନ୍ପି ମୁଖ୍ୟ ତାରିକ୍ ରହମାନ ନିଜ ଦଳର ସାଂସଦମାନଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
