Gold Loan Defaults Nearly Double: ସୁନା ଋଣରେ ଦୁଇଗୁଣ ହେଲା ଖିଲାପ ହାର, ଚିନ୍ତାରେ ଆର୍ବିଆଇ
ସୁନା ଋଣରେ ବଢ଼ିଲା ଟେନ୍ସନ୍।
ଦୁଇଗୁଣ ହେଲା ଋଣ ଖିଲାପ ହାର, ଚିନ୍ତାରେ ଆର୍ବିଆଇ।
ଦେଶରେ ସୁନା ବନ୍ଧକ ରଖି ଋଣ ନେବାର ଚାହିଦା ବଢ଼ୁଥିବା ବେଳେ ଏବେ ସାମ୍ନାକୁ ଆସିଛି ନୂଆ ସମସ୍ୟା।
ଋଣ ନେଇଥିବା ଅନେକ ଗ୍ରାହକ ଠିକ୍ ସମୟରେ କିସ୍ତି ଓ ସୁଧ ପରିଶୋଧ କରିପାରୁନାହାନ୍ତି।
ଏହାକୁ ନେଇ ନନ୍-ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ ବା ଏନ୍ବିଏଫ୍ସିଗୁଡ଼ିକୁ ସତର୍କ କରିଛି ରିଜର୍ଭ ବ୍ୟାଙ୍କ।
Advertisment ଆର୍ବିଆଇ ତଥ୍ୟ ଅନୁସାରେ, ୨୦୨୬ ସେପ୍ଟେମ୍ବର ସୁଦ୍ଧା ସୁନା ଅଳଙ୍କାର ବନ୍ଧକ ରଖି ନିଆଯାଇଥିବା ମୋଟ ଋଣ ୩.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ଗତବର୍ଷ ଏହି ପରିମାଣ ୨.୨୫ ଲକ୍ଷ କୋଟି ଟଙ୍କା ଥିଲା।
ଅର୍ଥାତ୍ ବର୍ଷକ ମଧ୍ୟରେ ଋଣ ପରିମାଣ ୬୬ ପ୍ରତିଶତ ବଢ଼ିଛି।
ଅନ୍ୟପଟେ ଟ୍ରାନ୍ସୟୁନିଅନ୍ ସିବିଲ୍ ତଥ୍ୟ କହୁଛି, ସୁନା ଋଣରେ ଏନ୍ପିଏ ହାର ମାର୍ଚ୍ଚ ୩୧ରେ ୦.୧୬ ପ୍ରତିଶତ ଥିବା ବେଳେ ଅଗଷ୍ଟ ଶେଷ ସୁଦ୍ଧା ୦.୩୦ ପ୍ରତିଶତକୁ ବଢ଼ିଛି।
ଅର୍ଥାତ୍ ଏହା ପ୍ରାୟ ଦୁଇଗୁଣ ହୋଇଛି।
ଏହି ସମସ୍ୟାକୁ ଆହୁରି ବଢ଼ାଇଛି ସୁନା ଦରରେ ହ୍ରାସ।
ଜାନୁଆରୀରେ ୧୦ ଗ୍ରାମ୍ ସୁନା ଦର ପ୍ରାୟ ୧ ଲକ୍ଷ ୮୦ ହଜାର ଟଙ୍କା ଥିବା ବେଳେ ଏବେ ଏହା ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କାକୁ ଖସିଛି।
ସୁନା ଦର କମିଲେ ବନ୍ଧକ ସୁନାର ମୂଲ୍ୟ ମଧ୍ୟ କମେ।
ଫଳରେ ଋଣ ଫେରସ୍ତ ନହେଲେ ଋଣଦାତା କମ୍ପାନୀଙ୍କ କ୍ଷତି ଆଶଙ୍କା ବଢ଼ିପାରେ।
ଏପଟେ ଏକାଧିକ ସଂସ୍ଥାରୁ ସୁନା ଋଣ ନେଉଥିବା ଗ୍ରାହକଙ୍କ ଉପରେ ମଧ୍ୟ ଅଧିକ ଚାପ ରହିଛି।
Advertisment ତେବେ ସୁନା ଋଣ ବଜାରରେ ଏହି ଚାପ ଯୋଗୁଁ ଆଗାମୀ ଦିନରେ ଋଣ ବୃଦ୍ଧିର ଗତି କମିପାରେ ବୋଲି କ୍ରିସିଲ୍ ଆକଳନ କରିଛି।
୨୦୨୬-୨୭ ଆର୍ଥିକ ବର୍ଷରେ ସୁନା ଋଣର ଅଭିବୃଦ୍ଧି ୪୦ ପ୍ରତିଶତକୁ ଖସିପାରେ, ଯାହା ଗତ ଆର୍ଥିକ ବର୍ଷରେ ୭୮ ପ୍ରତିଶତ ଥିଲା।
ତଥାପି ସୁନା ବନ୍ଧକ ଋଣକୁ ଏବେ ବି ଆକର୍ଷଣୀୟ ବ୍ୟବସାୟ ଭାବେ ଦେଖୁଛି କ୍ରିସିଲ୍।
ତେବେ ସୁନା ଦରର ଉତ୍ଥାନ-ପତନ, ଏକାଧିକ ଋଣ ଓ ବଢ଼ୁଥିବା ଖିଲାପ ହାର ଆଗକୁ ଋଣ ବଜାର ପାଇଁ କେତେ ବଡ଼ ଚ୍ୟାଲେଞ୍ଜ ହେବ, ତାହା ଉପରେ ଏବେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
