07 JULY 2026

Welcome!

Unlock your personalized experience.
Sign Up

Great Green Wall : ଆଫ୍ରିକାରେ ଗଢ଼ାହେଉଛି ବିଶ୍ୱର ଦୀର୍ଘତମ ସବୁଜ ପ୍ରାଚୀର, ୧୧ ଦେଶକୁ ଯୋଡ଼ିବ ‘ଗ୍ରେଟ୍ ଗ୍ରୀନ୍ ୱାଲ୍’

Jul 07, 2026 - 09:29
Great Green Wall : ଆଫ୍ରିକାରେ ଗଢ଼ାହେଉଛି ବିଶ୍ୱର ଦୀର୍ଘତମ ସବୁଜ ପ୍ରାଚୀର, ୧୧ ଦେଶକୁ ଯୋଡ଼ିବ ‘ଗ୍ରେଟ୍ ଗ୍ରୀନ୍ ୱାଲ୍’

ନୂଆଦିଲ୍ଲୀ, ୭।୭: ଚୀନ୍‌ର ଗ୍ରେଟ୍ ୱାଲ୍ ପରେ ଏବେ ଆଫ୍ରିକା ପାଳି । ଏହା ଗ୍ରେଟ୍ ଗ୍ରୀନ୍ ୱାଲ୍ ବା ଦୀର୍ଘତମ ସବୁଜ ପ୍ରାଚୀର ନିର୍ମାଣ କରୁଛି । ଏହି ପ୍ରୟାସ ସାହାରା ମରୁଭୂମିକୁ ଲାଗିଥିବା ବିଶାଳ ଅର୍ଦ୍ଧ-ଶୁଷ୍କ କ୍ଷେତ୍ର ସାହେଲରେ ହାରାହାରି ୮ ହଜାର କିମି ଯାଏ ଲମ୍ବିଛି । କେବଳ ଚାରା ରୋପଣ ଜରିଆରେ ସବୁଜିମା ବୃଦ୍ଧି ଏହି ପ୍ରକଳ୍ପର ଲକ୍ଷ୍ୟ ନୁହେଁ, ବନ୍ଧ୍ୟା ଜମିକୁ ଉର୍ବର କରିବା ମଧ୍ୟ । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ଏବଂ ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବା ଲାଗି ପ୍ରସ୍ତୁତି ଏହାର ଲକ୍ଷ୍ୟ । ସାହେଲ କ୍ଷେତ୍ରରେ ଉପରୋକ୍ତ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଆଫ୍ରିକୀୟ ସଂଘ ୨୦୦୭ରେ ଗ୍ରେଟ୍ ଗ୍ରୀନ୍ ୱାଲ୍‌ର ଶୁଭାରମ୍ଭ କରିଥିଲା । ପ୍ରୋଜେକ୍ଟରେ ୮ ହଜାର କିମି ଲମ୍ବା ଓ ହାରାହାରି ୧୫ କିମି ଚଉଡ଼ା ଚାରା ପଟି ରୋପଣ ହେଲା । ତେବେ ପରେ ବିଶେଷଜ୍ଞମାନେ ଚିନ୍ତା କଲେ ଯେ ଏହାକୁ ସରଳରେଖାରେ ପ୍ରସ୍ତୁତ କରିବା ବଦଳରେ ଅଧିକ ଘଞ୍ଚ କରିବା ଆବଶ୍ୟକ ।

ସୂଚନାଯୋଗ୍ୟ, ଚୀନ୍‌ର ଗ୍ରେଟ୍ ୱାଲ୍‌ର ମୋଟ୍ ଲମ୍ବା ୨୧, ୧୯୬ କିମି । ଆଫ୍ରିକାର ସାହେଲ କ୍ଷେତ୍ର ସାହାରା ମରୁଭୂମିର ଦକ୍ଷିଣ ଭାଗରେ ଅବସ୍ଥିତ । ଏହାର ତାପମାତ୍ରା ବୈଶ୍ୱିକ ଓ ହାରାହାରି ତାପମାତ୍ରା ତୁଳନାରେ ୧.୫ ଗୁଣ ଦ୍ରୁତ ବଢ଼େ । ତାପମାତ୍ରା ବୃଦ୍ଧି ଯୋଗୁଁ ଏ କ୍ଷେତ୍ର ଅତ୍ୟନ୍ତ ଶୁଷ୍କ ହୋଇଗଲା ଏବଂ ମାଟିର ଉର୍ବରତା ନଷ୍ଟ ହୋଇଗଲା । ବନ୍ଧ୍ୟା ଜମି ଯୋଗୁ ଉତ୍ପାଦନ ଠପ୍ ହୋଇଗଲା । ଏହିସବୁ କାରଣର ମୁକାବିଲା ଲାଗି ଗ୍ରେଟ୍ ଗ୍ରୀନ୍ ୱାଲ୍ର ବିଚାର କାର୍ଯ୍ୟକାରୀ ହେଲା । ବୃକ୍ଷରୋପଣ ହୋଇଥିବା ଅଞ୍ଚଳ ସ୍ଥାନୀୟ ଜଳବାୟୁକୁ ଥଣ୍ଡା କରୁଛି । ଏହାର ପ୍ରଭାବ ମାଟିର ଉର୍ବରତା ଉପରେ ପଡୁଛି, ଯାହା ଫଳରେ ଚାଷୀ ପୁଣି କ୍ଷେତରେ ଫସଲ କରିବାକୁ ଅଣ୍ଟା ଭିଡୁଛନ୍ତି । ପ୍ରଥମେ ଏହି ପ୍ରାଚୀର ମାର୍ଗକୁ ସରଳରେଖାରେ ନିର୍ମାଣ ଯୋଜନା ଥିଲା, କିନ୍ତୁ ପରେ ଘୂର୍ଣ୍ଣାୟମାନ କରାଗଲା । ଗ୍ରେଟ୍ ଗ୍ରୀନ୍ ୱାଲ୍ ୧୧ ଦେଶ ମଧ୍ୟଦେଇ ଯିବ । ଏଥିରେ ବୁର୍କିନା ଫାସୋ, ଚାଡ୍, ଜିବୁତୀ, ଇରିଟ୍ରିୟା, ଇଥିଓପିଆ, ମାଲୀ, ମରିଟାନିଆ, ନାଇଜର, ନାଇଜେରିଆ, ସେନେଗଲ ଓ ସୁଡାନ ସାମିଲ । ପ୍ରତ୍ୟେକ ଦେଶ ନିଜ ନିଜ ସ୍ତରରେ ଏହି ଦିଗରେ କାମ କରୁଛନ୍ତି । ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି ।

ଏହା ବି ପଢ଼ନ୍ତୁ... କ୍ରୁଡ୍ ଅଏଲ୍ ଉପରେ ସାଉଦିର ‘ସର୍ଜିକାଲ୍ ଷ୍ଟ୍ରାଇକ୍’ ! ଭାଙ୍ଗିଲା ୨୬ ବର୍ଷର ରେକର୍ଡ; ଭାରତରେ ଶସ୍ତା ହେବ କି ପେଟ୍ରୋଲ-ଡିଜେଲ ?

ବାୟୁମଣ୍ଡଳରୁ ୨୫ କୋଟି ଟନ୍ ଅଙ୍ଗାରକାମ୍ଳକୁ ଅବଶୋଷିତ କରିବା ସମସ୍ତ ଭାଗିଦାର ଦେଶମାନଙ୍କର ଯୋଜନା । ପ୍ରାଚୀର ନିର୍ମାଣ ହୁଏ ଲୋକଙ୍କୁ ବିଭାଜନ କରିବାକୁ । କିନ୍ତୁ ଆଫ୍ରିକାର ଗ୍ରେଟ୍ ଗ୍ରୀନ୍ ୱାଲ୍ ନିର୍ମାଣ ହୋଇଛି ଭୂଖଣ୍ଡଗୁଡ଼ିକୁ ପରସ୍ପର ସହ ଯୋଡ଼ିବାକୁ, ପରିସଂସ୍ଥାନର ପୁନରୁଦ୍ଧାର ଏବଂ ସମୁଦାୟଗୁଡ଼ିକୁ ଶକ୍ତିଶାଳୀ କରିବାକୁ । ରୋପଣ ହୋଇଥିବା ବୃକ୍ଷ ସଂଖ୍ୟା ନୁହେଁ, ବରଂ ସୁସ୍ଥ ମୃତ୍ତିକା, ସମୃଦ୍ଧ ବନ୍ୟଜୀବନ, ଅପେକ୍ଷାକୃତ ସୁରକ୍ଷିତ ଜୀବିକା ଏବଂ ପରିବର୍ତ୍ତିତ ଜଳବାୟୁର ସ୍ଥାୟୀ ସମାଧାନ ଏହାର ସଫଳତାର ମାପକାଠି ହେବ । ସାହେଲ କ୍ଷେତ୍ର ଆଖପାଖର ଦେଶ ପରିବେଶ ପୁନରୁଦ୍ଧାର ପ୍ରୟାସକୁ ନିରନ୍ତର ବଜାୟ ରଖିଥିବାବେଳେ, କେବଳ ସହଯୋଗ, ଧୈର୍ଯ୍ୟ ଓ ପ୍ରକୃତି ପ୍ରତି ପ୍ରତିବଦ୍ଧତା ଦ୍ୱାରା ବିଶ୍ୱର ସବୁଠୁ ବଡ଼ ପରିବେଶ ଆହ୍ୱାନର ସମାଧାନ ସମ୍ଭବ । ଗ୍ରେଟ୍ ଗ୍ରୀନ୍ ୱାଲ୍ ଏହାର ଜ୍ୱଳନ୍ତ ପ୍ରମାଣ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।