07 JULY 2026

Welcome!

Unlock your personalized experience.
Sign Up

ଗଲବ୍ଲାଡର୍‌ରୁ ବାହାରିଲା ୨ ହଜାର ପଥର, ୬ ବର୍ଷର ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଲେ ୮୩ ବର୍ଷୀୟ ବୃଦ୍ଧ

Jul 07, 2026 - 10:12
ଗଲବ୍ଲାଡର୍‌ରୁ ବାହାରିଲା ୨ ହଜାର ପଥର, ୬ ବର୍ଷର ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଲେ ୮୩ ବର୍ଷୀୟ ବୃଦ୍ଧ

ଉତ୍ତର ପ୍ରଦେଶ, ୭।୭: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପୁଣି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ୮୩ ବର୍ଷୀୟ ବୃଦ୍ଧଙ୍କ ପିତ୍ତକୋଷ ବା ଗଲବ୍ଲାଡର୍‌ରୁ ସର୍ଜରି ଜରିଆରେ ପ୍ରାୟ ୨,୦୦୦ ଛୋଟ ଛୋଟ ପଥର ବାହାର କରାଯାଇଛି । ଦୀର୍ଘ ୬ ବର୍ଷ ଧରି ଅସହ୍ୟ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବା ଏହି ବୃଦ୍ଧ ଜଣକ ଶେଷରେ ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର ପରେ ଏହି ବଡ଼ କଷ୍ଟରୁ ମୁକ୍ତି ପାଇଛନ୍ତି । ଯଶୋଦା ମେଡିସିଟି ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଦଳ ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି । ଗଲବ୍ଲାଡର୍‌ ଭିତରୁ ଏତେ ବଡ଼ ସଂଖ୍ୟାରେ ପଥର ବାହାରିବା ଏକ ବିରଳ ଏବଂ ଅସାଧାରଣ ମାମଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ରୋଗୀ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ବୁଲନ୍ଦସହର ଅଞ୍ଚଳର ଜଣେ ପ୍ରତିଷ୍ଠିତ ଓକିଲ । ଦୀର୍ଘ ବର୍ଷ ହେଲା ସେ ପେଟର ଉପର ଭାଗରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହା ସହିତ ପିଠିରେ ପ୍ରବଳ କଷ୍ଟ ଏବଂ ଛାତିରେ କଷ୍ଟ ଅନୁଭବ ହେଉଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଏହି ସବୁ ଲକ୍ଷଣକୁ ସାଧାରଣ ଗ୍ୟାସ୍‌ ବା ପାଚନ ଜନିତ ସମସ୍ୟା ଭାବି ଅଣଦେଖା କରି ଚାଲିଥିଲେ । ମାତ୍ର ସମୟ ସହିତ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତରଖାନାରେ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍କାନିଂ କରାଯିବା ପରେ ରିପୋର୍ଟ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୃଦ୍ଧଙ୍କ ଗଲବ୍ଲାଡର୍‌ଟି ଛୋଟ ଛୋଟ ପଥରରେ ଭର୍ତ୍ତି ହୋଇଯାଇଥିଲା, ଯେଉଁଥିପାଇଁ ଶରୀରରେ ଭୀଷଣ ସଂକ୍ରମଣ ଏବଂ କଷ୍ଟ ହେଉଥିଲା । ଗଲବ୍ଲାଡର୍‌ରୁ ବାହାରିଥିବା ଏହି ପଥରଗୁଡ଼ିକର ଆକାର ଛୋଟ ସୋରିଷ ଦାନାଠାରୁ ଆରମ୍ଭ କରି ବୁଟ ଆକୃତି ପର୍ଯ୍ୟନ୍ତ ଥିଲା । ଏହି ସମସ୍ତ ପଥରର ମୋଟ୍ ଓଜନ ପ୍ରାୟ ୧୫୦ ରୁ ୨୦୦ ଗ୍ରାମ ଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ... JEE Exam: ଜେଇଇରେ ୩୬୦ରୁ ମାତ୍ର ୫୩ ! ତଥାପି ବିଶ୍ୱର ୩ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ଆସିଲା ଅଫର୍ ଲେଟର

ରୋଗୀଙ୍କ ବୟସ ୮୩ ବର୍ଷ ହୋଇଥିବାରୁ ଏହି ସର୍ଜରି ଡାକ୍ତରଙ୍କ ପାଇଁ ଏକ ବଡ଼ ଆହ୍ୱାନ ଥିଲା । କିନ୍ତୁ, ଯଶୋଦା ମେଡିସିଟିର ଅଭିଜ୍ଞ ଡାକ୍ତରୀ ଦଳ ଆଧୁନିକ ଚିକିତ୍ସା ପଦ୍ଧତି ଆପଣାଇଥିଲେ । ଦୀର୍ଘ ଦେଢ଼ ଘଣ୍ଟା ଧରି ଚାଲିଥିବା ଏକ ଜଟିଳ ଲାପାରୋସ୍କୋପିକ୍‌ ପ୍ରକ୍ରିୟା ଜରିଆରେ ଗଲବ୍ଲାଡର୍‌କୁ କାଟି ସମସ୍ତ ୨ ହଜାର ପଥରକୁ ସଫଳତାର ସହ ବାହାର କରାଯାଇଛି । ବର୍ତ୍ତମାନ ବୃଦ୍ଧ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ବହୁ ବର୍ଷର ପୁରୁଣା କଷ୍ଟଦାୟକ ଯନ୍ତ୍ରଣାରୁ ମୁକ୍ତି ପାଇଥିବାରୁ ଡାକ୍ତରୀ ଦଳକୁ କୃତଜ୍ଞତା ଜଣାଇଛନ୍ତି । ସେପଟେ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ, ପେଟ ଯନ୍ତ୍ରଣା କିମ୍ବା ପିଠି ଯନ୍ତ୍ରଣାକୁ ଦୀର୍ଘ ସମୟ ଧରି ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ, ନଚେତ୍‌ ଏହା ଭବିଷ୍ୟତରେ ପ୍ରାଣଘାତୀ ରୂପ ନେଇପାରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।