Telangana Wife Murder Husband: ପରକୀୟା ପ୍ରୀତିର ଭୟଙ୍କର ଅନ୍ତ; ସ୍ୱାମୀକୁ ଛାତରୁ ଠେଲିଲା, ବଞ୍ଚିଯିବାରୁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ମାରିଲା ସ୍ତ୍ରୀ !
ତେଲେଙ୍ଗାନା, ୭।୭: ତେଲେଙ୍ଗାନାର ନିଜାମାବାଦ୍ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜର ଅସୁସ୍ଥ ସ୍ୱାମୀଙ୍କୁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ୩୫ ବର୍ଷୀୟ ପ୍ରଶାନ୍ତ ବୋଲି ଜଣାପଡ଼ିଛି, ଯିଏକି ପୂର୍ବରୁ ଗଲ୍ଫରେ କାମ କରୁଥିଲେ । ଗତ ଜୁଲାଇ ୧ ତାରିଖରେ ମୃତ ପ୍ରଶାନ୍ତଙ୍କ ମା' ପୁଲିସରେ ଏକ ଅଭିଯୋଗ ଦାୟର କରିଥିଲେ । ସେ ଜଣାଇଥିଲେ ଯେ, ଜୁନ୍ ୩୦ ରେ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ଖବର ସେ ପାଇଲେ, କିନ୍ତୁ ପୁଅ କେବେ ବିଦେଶରୁ ଘରକୁ ଫେରିଲା ଏବଂ ମୃତ୍ୟୁ ପୂର୍ବରୁ ତାଙ୍କ ସହ କ’ଣ ଘଟିଥିଲା, ସେ ବିଷୟରେ ତାଙ୍କୁ କିଛି ଜଣାନଥିଲା । ପୁଅର ମୃତ୍ୟୁକୁ ରହସ୍ୟମୟ ଦର୍ଶାଇ ସେ ନିଜ ବୋହୂ ଉପରେ ସନ୍ଦେହ କରିଥିଲେ । ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ।
ଏହା ବି ପଢ଼ନ୍ତୁ... PM Modi Indonesia Visit: ଭାରତ-ଇଣ୍ଡୋନେସିଆ ମଧ୍ୟରେ ବ୍ରହ୍ମୋସ ଚୁକ୍ତି ଚୂଡ଼ାନ୍ତ, MoU ସ୍ୱାକ୍ଷର କଲେ ପିଏମ୍ ମୋଦୀ
ପରକୀୟା ପ୍ରୀତି ପାଇଁ ରଚାଯାଇଥିଲା ହତ୍ୟାକାଣ୍ଡ:
ପୁଲିସ ତଦନ୍ତ ଏବଂ ପ୍ରମାଣ ଆଧାରରେ ଜଣାପଡ଼ିଛି ଯେ, ମୃତକଙ୍କ ସ୍ତ୍ରୀ ସନ୍ଧ୍ୟାର ଅନିଲ ନାମକ ଜଣେ ବ୍ୟକ୍ତିଙ୍କ ସହ ଅବୈଧ ସମ୍ପର୍କ ଥିଲା । ସ୍ୱାମୀ ପ୍ରଶାନ୍ତ ସେମାନଙ୍କ ପ୍ରେମ ସମ୍ପର୍କରେ ବାଧା ସାଜୁଥିବାରୁ ଉଭୟ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ଏହି ଭୟଙ୍କର ଷଡ଼ଯନ୍ତ୍ରରେ ସେମାନଙ୍କୁ ସହଯୋଗ କରିଥିଲା ଭେଙ୍କଟ ସାଇ ନାମକ ଆଉ ଜଣେ ଯୁବକ । ପୁଲିସର ସୂଚନା ଅନୁଯାୟୀ, ହତ୍ୟା ଯୋଜନା ମୁତାବକ ଜୁନ୍ ୨୯ ତାରିଖରେ ଅଭିଯୁକ୍ତକୁ ହତ୍ୟାକାଣ୍ଡରେ ସାହାଯ୍ୟ କରିଥିବା ସାଇ, ପ୍ରଶାନ୍ତଙ୍କ ଘରକୁ ଯାଇ ତାଙ୍କୁ ପ୍ରଚୁର ମଦ ପିଆଇଥିଲା । ଏହାପରେ ତାଙ୍କୁ ଛାତ ଉପରକୁ ନେଇ ସେଠାରୁ ତଳକୁ ଠେଲି ଦେଇଥିଲା । ଏହି ଦୁର୍ଘଟଣାରେ ପ୍ରଶାନ୍ତ ଗୁରୁତର ଆହତ ହୋଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚି ଯାଇଥିଲା । ତରବରିଆ ଭାବେ ସନ୍ଧ୍ୟା ଏବଂ ସାଇ ତାଙ୍କୁ ପ୍ରଥମେ ସରକାରୀ ଓ ପରେ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ, ମାତ୍ର କିଛି ସମୟ ପରେ ପୁଣି ଘରକୁ ଫେରାଇ ଆଣିଥିଲେ ।
ଘରକୁ ଆଣିବା ପରେ ପ୍ରେମିକ ଅନିଲର ନିର୍ଦ୍ଦେଶରେ ସନ୍ଧ୍ୟା, ଚିକିତ୍ସା ପାଇଁ ସ୍ୱାମୀଙ୍କ ହାତରେ ଲାଗିଥିବା କ୍ୟାନୁଲା ସାହାଯ୍ୟରେ ଟଏଲେଟ୍ କ୍ଲିନର୍ ଏବଂ କେତେକ ନିଶାଦ୍ରବ୍ୟ ଇଞ୍ଜେକ୍ସନ ଦେଇ ଦେଇଥିଲା । ଏତିକିରେ ମନ ବୁଝିନଥିଲା, ପରେ ତାଙ୍କୁ ଖଟରୁ ତଳକୁ ମଧ୍ୟ ଠେଲି ଦେଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ପୁଲିସ ପଚରାଉଚରା ସମୟରେ ତିନିଜଣ ଯାକ ଅଭିଯୁକ୍ତ ଅର୍ଥାତ୍ ସନ୍ଧ୍ୟା, ତାଙ୍କ ପ୍ରେମିକ ଅନିଲ ଏବଂ ସହଯୋଗୀ ସାଇ ନିଜର ଅପରାଧ ସ୍ୱୀକାର କରିଛନ୍ତି । ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପରେ, ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସମସ୍ତଙ୍କୁ ହାଜତ ପଠାଇ ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।