Welcome!

Unlock your personalized experience.
Sign Up

Gas Leak: ତାମିଲନାଡୁ ଚିଙ୍ଗୁଡ଼ି କାରଖାନାରେ ଗ୍ୟାସ୍‌ ଲିକ୍‌; ୨ ଓଡ଼ିଆ ମହିଳାଙ୍କ ମୃତ୍ୟୁ

Jun 21, 2026 - 20:35
Gas Leak: ତାମିଲନାଡୁ ଚିଙ୍ଗୁଡ଼ି କାରଖାନାରେ ଗ୍ୟାସ୍‌ ଲିକ୍‌; ୨ ଓଡ଼ିଆ ମହିଳାଙ୍କ ମୃତ୍ୟୁ

ଚେନ୍ନାଇ: ତାମିଲନାଡୁର ତିରୁଭାଲୁର ଜିଲ୍ଲା ଜିଲ୍ଲାର ପେରିୟାପାଲାୟମ୍ ନିକଟରେ ଥିବା ଏକ ବେସରକାରୀ ସାମୁଦ୍ରିକ ଖାଦ୍ୟ (ସୀ-ଫୁଡ୍) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହେବା ଯୋଗୁଁ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଥିବା ସୂଚନା ମିଳିଚି। ମୃତକମାନେ ହେଲେ ଜୁମଣି ଜୁଆଙ୍ଗ ଏବଂ ମାଳତୀ। ୬୦ରୁ ଅଧିକ ଶ୍ରମିକମାନଙ୍କର ଚିକିତ୍ସା ଜାରି ରହିଛି। ତେବେ ଗୁରୁତର ଆହତମାନଙ୍କ ମଧ୍ୟରେ କେତେ ଜଣ ଓଡ଼ିଆ ଶ୍ରମିକ ଅଛନ୍ତି, ସେନେଇ ଜଣାପଡ଼ି ନାହିଁ। ସ୍ଥାନୀୟ ପ୍ରଶାସନ ଗଣମାଧ୍ୟମକୁ ଏହି ସୂଚନା ଦେଇଛି। ଏହି ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ଶତାଧିକ ଶ୍ରମିକ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ସେମାନଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ନିକଟସ୍ଥ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ କାରଖାନାରେ ୩୦୦ରୁ ଅଧିକ ଶ୍ରମିକ କାମ କରୁଥିବା ବେଳେ ଦୁର୍ଘଟଣା ସମୟରେ ୧୦୦ରୁ ଅଧିକ ଶ୍ରମିକ କାର୍ଯ୍ୟରତ ଥିଲେ। ଗ୍ୟାସ୍ ଲିକ୍ ହେବା ମାତ୍ରେ ସେଠାରେ ଶ୍ରମିକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ପ୍ରବଳ କଷ୍ଟ ଅନୁଭବ କରିଥିଲେ। ରିପୋର୍ଟ ଅନୁଯାୟୀ ୭୦ରୁ ଅଧିକ ଶ୍ରମିକ ଗୁରୁତର ଭାବେ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ କେତେକଙ୍କ ନାକ ଓ ପାଟିରୁ ରକ୍ତସ୍ରାବ ହୋଇ ସେମାନେ ଚେତାଶୂନ୍ୟ ହୋଇପଡ଼ିଥିଲେ।

Gas leak: ତାମିଲନାଡୁର ଚିଙ୍ଗୁଡ଼ି କାରଖାନାରେ ଗ୍ୟାସ୍ ଲିକ୍ କାରଣରୁ ୭ ଶ୍ରମିକଙ୍କ ମୃତ୍ୟୁ

ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଅସୁସ୍ଥ ଶ୍ରମିକମାନଙ୍କୁ ବେସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଚେନ୍ନାଇର ଷ୍ଟାନଲେ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ତିରୁଭାଲୁର ଜିଲ୍ଲାପାଳ କବିତା କାରଖାନା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ହସ୍ପିଟାଲରେ ଆହତମାନଙ୍କୁ ଭେଟି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି। ପ୍ରଶାସନ ପକ୍ଷରୁ ଏହି ଗ୍ୟାସ୍ ଲିକର ପ୍ରକୃତ କାରଣ ଜାଣିବା ପାଇଁ ଏକ ବିଧିବଦ୍ଧ ତଦନ୍ତ ଆରମ୍ଭ କରାଯାଇଛି।