Gas: ପ୍ରାକୃତିକ ଗ୍ୟାସ ଯୋଗାଣ ଉପରୁ କଟକଣା ହଟିଲା
ନୂଆଦିଲ୍ଲୀ: ଶକ୍ତି ସୁରକ୍ଷା ପାଇଁ କେନ୍ଦ୍ର ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରାକୃତିକ ଗ୍ୟାସ ଯୋଗାଣ ଉପରେ ଗତ ମାର୍ଚ୍ଚ ମାସରେ ଲଗାଯାଇଥିବା ଜରୁରୀକାଳୀନ କଟକଣାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ହଟାଇ ଦିଆଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ରାଜିନାମା କାର୍ଯ୍ୟକାରୀ ହେବା ପରେ ହର୍ମୁଜ ପ୍ରଣାଳୀରେ ଏଲ୍ଏନ୍ଜି ଯୋଗାଣରେ ଉନ୍ନତି ଆସିଛି। ଏହା ପରେ ଭାରତ ସରକାର ଯୋଗାଣ କଟକଣାକୁ ହଟାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ସେଠାକାର କେତେକ ଅନ୍ତର୍ଜାତୀୟ ଯୋଗାଣକାରୀ ଗ୍ୟାସ ଯୋଗାଣ ରୋକି ଦେଇଥିଲେ। ଏଥିପାଇଁ ଭାରତରେ ଗ୍ୟାସ ଉପଲବ୍ଧତା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ବଢ଼ିଯାଇଥିଲା। ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତବର୍ଷ ମାର୍ଚ୍ଚ ମାସରେ ପ୍ରାକୃତିକ ଗ୍ୟାସ ନିର୍ଦ୍ଦେଶନାମା ୨୦୨୬ ଲାଗୁ କରିଥିଲେ।
ଆହୁରି ପଢନ୍ତୁ: School Closed: ଜୁଲାଇ ୬ରେ କଟକ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଛୁଟି; ପ୍ରବଳ ବର୍ଷା ପାଇଁ ନିର୍ଦ୍ଦେଶ
ସରକାର ଜରୁରୀକାଳୀନ ଅଧିକାରକୁ ବ୍ୟବହାର କରି ଘରୋଇ ଏଲ୍ପିଜି ଯୋଗାଣକୁ ଶତ ପ୍ରତିଶତ ନିଶ୍ଚିତ କରିବା ସହିତ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକୁ ଅଧିକ ଏଲ୍ଏନ୍ଜି ଯୋଗାଇ ଦେବାଲାଗି ନିଷ୍ପତ୍ତି ନେଇଥିଲେ। ସେହି ବ୍ୟବସ୍ଥା ଅନୁଯାୟୀ, ପିଏନ୍ଜି, ସିଏନ୍ଜି ଓ ଏଲ୍ପିଜି ଉତ୍ପାଦନ ଏବଂ ଗ୍ୟାସ ପାଇପଲାଇନ ପରିଚାଳନା ପାଇଁ ଜରୁରୀ ଅନୁସାରେ ୧୦୦ ପ୍ରତିଶତ ଗ୍ୟାସ ଯୋଗାଇ ଦିଆଯାଇଥିଲା। କିନ୍ତୁ ସାର କମ୍ପାନିଗୁଡ଼ିକୁ ସେମାନଙ୍କ ଆବଶ୍ୟକତାର ୭୦ ପ୍ରତିଶତ, କାରଖାନା ଓ ସିଟି ଗ୍ୟାସ ନେଟୱର୍କ ଡିଷ୍ଟ୍ରିବ୍ୟୁସନ ନେଟୱାର୍କକୁ ପ୍ରାୟ ୮୦ ପ୍ରତିଶତ ଗ୍ୟାସ ଉପଲବ୍ଧ ବ୍ୟବସ୍ଥା ହୋଇଥିଲା। ଏଥିପାଇଁ ପେଟ୍ରୋରସାୟନ କମ୍ପାନି, ଗ୍ୟାସକୁ ଉପଯୋଗ କରି ବିଦ୍ୟୁତ୍ ଉତ୍ପାଦନ କରୁଥିବା କମ୍ପାନି ଏବଂ କିଛି ବିଶୋଧନାଗାରଗୁଡ଼ିକର ଗ୍ୟାସ ଯୋଗାଣ ହ୍ରାସ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସରକାର ସେସବୁ ପ୍ରତିବନ୍ଧକଗୁଡ଼ିକୁ ହଟାଇ ଦେଇଛନ୍ତି।