31 OCTOBER 2026

Welcome!

Unlock your personalized experience.
Sign Up

Gandhi’s Perspective: ଗାନ୍ଧୀ ଦୃଷ୍ଟି: ଦେବୀ ଭକ୍ତି ଚାହାନ୍ତି, ରକ୍ତ ନୁହେଁ

Oct 31, 2026 - 04:34
Gandhi’s Perspective: ଗାନ୍ଧୀ ଦୃଷ୍ଟି: ଦେବୀ ଭକ୍ତି ଚାହାନ୍ତି, ରକ୍ତ ନୁହେଁ

ଗୌରାଙ୍ଗ ଚରଣ ପରିଡ଼ା

ଦେବୀଙ୍କ ପାଖରେ ହେଉଥିବା ପଶୁ ବଳିର ଦୃଶ୍ୟ ବର୍ଣ୍ଣନା କରି ସାବରମତି ଆଶ୍ରମରେ ରହୁଥିବା ପ୍ରେମାବେନ କଣ୍ଟକଙ୍କ ପାଖକୁ ଗାନ୍ଧୀଜୀ ଏକ ଚିଠି ଲେଖି କହିଲେ, ‘‘ପ୍ରେମା, ମୁଁ ଦୁର୍ଗାପୂଜାରେ ବଙ୍ଗଳାରେ ଦେବୀଙ୍କ ପାଖରେ ଶହ ଶହ ମେଣ୍ଢା ଓ ଛେଳିଙ୍କର ସ୍ପଷ୍ଟ ଦିବାଲୋକରେ ବଳି ପଡୁଥିବାର ଦେଖିଲି। ଏହା ଶାସ୍ତ୍ରସମ୍ମତ ଏବଂ ବଳି ପ୍ରଥା କଥା ବେଦରେ ଅଛି ବୋଲି ପଣ୍ଡିତମାନେ ଯୁକ୍ତି ଦେଇଥିଲେ। ସତରେ କ’ଣ ଆମ ଈଶ୍ୱର, ଆମ ଦେବୀମାନେ କିଛି ଚାହାନ୍ତି? ଯଦି ବା କିଛି ଚାହାନ୍ତି, ସେମାନେ ମୂକ, ନିରୀହ ପଶୁର ରକ୍ତ କାହିଁକି ଚାହିଁବେ? ବଳି ନଁାରେ ପଶୁ ହତ୍ୟା ଏକ କୁପ୍ରଥା। ଏହାକୁ ରୋକିବାକୁ ଦେବୀ ମା’ ମୋତେ ଯଦି ଆୟୁଧ କରିଦିଅନ୍ତେ, ମୁଁ ଖୁସି ହୁଅନ୍ତି। ଆମ କର୍ମୀମାନେ ଅହିଂସାରେ ଏ କୁପ୍ରଥାର ବିରୋଧ କରିବା ଦରକାର।’’
ଗାନ୍ଧୀଜୀଙ୍କ ଏ ବକ୍ତବ୍ୟ ପରେ ଏକ ବିତର୍କ ଆରମ୍ଭ ହୋଇଯାଇଥିଲା। ଭାରତର ବିଭିନ୍ନ ଜାଗାରେ ହେଉଥିବା ପଶୁ ବଳି ନେଇ ଗାନ୍ଧୀଜୀ ତାଙ୍କ ଯୁବ କର୍ମୀଙ୍କଠାରୁ ଅନେକ ରିପୋର୍ଟ ପାଇଥିଲେ। କର୍ଣ୍ଣାଟକ ଧରାୱାର୍ଡର ଯୁବ ବାହିନୀର ସମ୍ପାଦକ ଗଙ୍ଗାଧର ରାଓ ଦେଶପାଣ୍ଡେଙ୍କ ରିପୋର୍ଟ ଥିଲା ଖୁବ୍ ହୃଦୟସ୍ପର୍ଶୀ ଓ ଚିନ୍ତାଜନକ। ସେ ତାଙ୍କ ଅଞ୍ଚଳର ଗ୍ରାମଦେବୀଙ୍କ ପାଖେ ପଡ଼ିଥିବା ପଶୁ ବଳିର ଦୃଶ୍ୟ, ମହୋତ୍ସବ ଏବଂ ସାଧାରଣ ଲୋକଙ୍କ ଉତ୍ସାହ ବର୍ଣ୍ଣନା କରି ରିପୋର୍ଟଟିଏ ପ୍ରସ୍ତୁତ କରିଥିଲେ।
ଗଙ୍ଗାଧର ଲେଖିଥିଲେ, ‘‘ବାପୁ, ଆମ ଗାଁ ଦେବୀପୀଠର ପଶୁ ବଳି ପ୍ରଥା ବହୁତ ପ୍ରାଚୀନ। ପ୍ରତିବାଦ ସତ୍ତ୍ବେ ଚଳିତବର୍ଷ ବହୁ ସଂଖ୍ୟାରେ ପଶୁଙ୍କୁ ଦେବୀଙ୍କ ସାମନାରେ ହତ୍ୟା କରାଯାଇଥିଲା। ସେଥିରେ ଛେଳି, କୁକୁଡ଼ା, ବୋଦା ଥିଲେ। ଗୋଟିଏ ଜାଗାରେ ମଇଁଷି ବଳିର ଖବର ଆସିଛି। ସ୍କୁଲ ପଡ଼ିଆ ଓ ମାତୃମଙ୍ଗଳ କେନ୍ଦ୍ରରେ ଥିବା ଖାଲି ଜାଗାରେ ବି ଉତ୍ସବ କରି ବଳି ପଡ଼ିଛି।’’
ଗଙ୍ଗାଧରଙ୍କ ରିପୋର୍ଟରେ ପୁଣି ଏପରି ଉଲ୍ଲେଖ ଥିଲା, ଏଇ ବଳି ଉତ୍ସବରେ ସବୁ ଜାତିର ଲୋକେ ଭାଗ ନେଇଥିଲେ। ଆମିଷାଶୀ ଓ ଶାକାହାରୀର ଭେଦଭାବ ନ ଥିଲା। ଏପରିକି ଜୈନମାନେ ବି ଅଂଶଗ୍ରହଣ କରିଥିଲେ। ଉତ୍ସବର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ପଚାରିବାରେ ସେ ଉତ୍ତର ଦେଲେ, ‘‘ବଳି ବନ୍ଦ ହୋଇଗଲେ ଲୋକମାନେ ମାନସିକ ଭାବେ ଦୁର୍ବଳ ହୋଇଯିବେ। କୌଣସି ଯୁଦ୍ଧ କରିବାକୁ ଆଉ ସାହସ ରହିବ ନାହିଁ। ଦେବୀ ସନ୍ତୁଷ୍ଟ ହୋଇଗଲେ ଏଠି ଠିକ୍ ସମୟରେ ବର୍ଷା ହେବ; ମହାମାରୀ ଆସିବନି। ଅନେକ ଲୋକ ତାଙ୍କ ମାନସିକ ପୂରଣ ହୋଇଛି ବୋଲି ଦେବୀଙ୍କ ସନ୍ତୁଷ୍ଟି ପାଇଁ ଏ ପଶୁ ବଳି ଦେଇଛନ୍ତି।’’
ଗାନ୍ଧୀଜୀ ଏପରି ରିପୋର୍ଟ କଲିକତା, ମାଡ୍ରାସ ଓ ବମ୍ବେରୁ ମଧ୍ୟ ପାଇଥିଲେ ଏବଂ ବନ୍ଧୁମାନଙ୍କ ରିପୋର୍ଟକୁ ଆଧାର କରି ୧୯୨୯ ମସିହା ନଭେମ୍ବର ୨୧ ତାରିଖ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଏକ ପ୍ରବନ୍ଧ ଲେଖିଥିଲେ। ପ୍ରବନ୍ଧର ଶିରୋନାମା ଥିଲା, ‘ଧର୍ମ ନଁାରେ କୁପ୍ରଥା’ (‘ଇଭିଲ କଷ୍ଟମ ଇନ୍ ଦି ନେମ୍ ଅଫ୍ ରିଲିଜନ’)।
ଗାନ୍ଧୀଜୀ ଲେଖିଥିଲେ, ‘‘ଧର୍ମ ଦ୍ୱାହି ଦେଇ ବୀଭତ୍ସତାର ମହିମା ଗାନ କରିବା ଆମର ଯେପରି ଏବେ ଏକ ଫ୍ୟାସନ ହୋଇଗଲାଣି। ଶିକ୍ଷିତ ଅଶିକ୍ଷିତର କିଛି ମାନେ ନାହିଁ। ୟୁରୋପରେ ଖ୍ରୀଷ୍ଟିଆନ ଧର୍ମ ଆସିବା ପୂର୍ବରୁ ସେଠି ବହୁ ମାତ୍ରାରେ ପଶୁ ବଳି ପ୍ରଥା ଥିଲା। ଏବେ ଧର୍ମର ବାହାନା ଖୋଜି ସେଠାରେ ଆଉ ପଶୁ ବଳି ପଡୁନି। କିନ୍ତୁ ଯୁଦ୍ଧ ପ୍ରତି ସ୍ପୃହା କମିଯାଇନି। ପୃଥ୍ୱିବୀରେ ବେଶୀ ଯୁଦ୍ଧ ଏବେ ୟୁରୋପରେ ହେଉଛି। ଯଦିଓ ଖାଦ୍ୟ ପାଇଁ ସେଠି ହଜାର ହଜାର ପଶୁଙ୍କ ହତ୍ୟା ହେଉଛି, କିନ୍ତୁ ଧର୍ମ ଓ ଶାସ୍ତ୍ରର ଆଳ ଖୋଜାଯାଇ ଏହା ଯଥାର୍ଥ ବୋଲି ସଫେଇ ଦିଆଯାଏନି।’’
ଗାନ୍ଧୀ ପୁଣି ଲେଖିଥିଲେ, ‘‘କୌଣସି ପ୍ରାଚୀନ ଶାସ୍ତ୍ରରେ ଆମ ଚଳଣିକୁ ନେଇ ସେବେ ଯାହା ଲେଖାଥିଲା ଏବେ ଯେ ତାହା ପ୍ରଯୁଜ୍ୟ ହେବ, ତାହା ଠିକ୍ ନୁହଁ। ଧର୍ମ ଏକ ନୀତିବାଦୀ ଆଦର୍ଶ। ଏହାର ରୀତିନୀତି କିନ୍ତୁ ସ୍ଥାନ ଓ କାଳକୁ ନେଇ ବଦଳେ। କୁ-ପ୍ରଥା, ଅନ୍ଧବିଶ୍ୱାସକୁ ପ୍ରାଚୀନ ପରମ୍ପରା କହି ଧରିରଖିବା ବିଜ୍ଞତା ନୁହେଁ। ପୂର୍ବ କାଳରେ ଯଜ୍ଞରେ ମଣିଷ, ଘୋଡ଼ା ବଳି ଦିଆଯାଉଥିଲା। ଏପରି ଚିନ୍ତା ଏବେ ଗ୍ରହଣୀୟ ନୁହେଁ। ଯଜ୍ଞ କରି ବଳି ଦେଇଦେଲେ ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ହୋଇଯିବନି, ସ୍ୱଚ୍ଛ ପରିବେଶ ପାଇଁ ପ୍ରକୃତିର ଉପାସନା ଦରକାର; ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ଦରକାର।’’
ଗାନ୍ଧୀଜୀଙ୍କ ପରାମର୍ଶ ଥିଲା, ଯେଉଁ ମନ୍ଦିର ଅଗଣାରେ ପଶୁ ବଳି ପଡୁଛି ତାହା ଏକ ଅପବିତ୍ର ସ୍ଥାନ। ସେ ସ୍ଥାନକୁ ଯିବା ଅନୁଚିତ। ମନ୍ଦିରର ଦେବୀ କିନ୍ତୁ ଅପବିତ୍ର ନୁହନ୍ତି। ସେ ପ୍ରେମ ଓ କରୁଣାମୟୀ। ଦେବୀଙ୍କ ନଁାରେ ବଳି ଦେବୀଙ୍କ ପ୍ରତି ଅସମ୍ମାନ। ବଳି ପ୍ରଥାର ସମାପ୍ତି ତେଣୁ ସମସ୍ତଙ୍କର ଦାୟିତ୍ୱ- କର୍ମୀ, ସାଧାରଣ ଜନତା ଓ ସରକାରଙ୍କର।
ଗାନ୍ଧୀଜୀ ନିଜର ଏକ ଅନୁଭୂତିର ବର୍ଣ୍ଣନା ଦେଇ ଲେଖିଥିଲେ, ‘‘ଚମ୍ପାରଣ ସତ୍ୟାଗ୍ରହବେଳେ ମୁଁ ଗୋଟିଏ ଗାଁରେ ଦିନେ ଟେଣ୍ଟରେ ବସି କାମ କରୁଥାଏ। ଗାଁର ଅନେକ ଲୋକ ଏକ ବଡ଼ ଶୋଭାଯାତ୍ରାରେ ବାଜା ବଜେଇ ଗୋଟିଏ ଛେଳି ବେକରେ ଫୁଲମାଳ ପକାଇ ଦେବୀ ମନ୍ଦିରକୁ ନେଉଥିଲେ। ସେଦିନ ତାଙ୍କର ଏକ ଉତ୍ସବ ଥିଲା। ମୁଁ ଭିଡ଼ ମଝିରେ ତାଙ୍କ ସହ ଚାଲିଥିଲି। ଛେଳିକୁ ଯେ ବଳି ଦିଆଯିବ ମୁଁ ଅନୁମାନ କରିନେଇଥିଲି। ମନ୍ଦିର ଆଗରେ ମୁଁ ଭିଡ଼ର ସମ୍ମୁଖକୁ ଚାଲି ଆସିଥିଲି। କିଛି କୃଷକ ମୋତେ ଚାହିଁଥିଲେ। ମୁଁ ପଚାରିଲି, କଥା କହି ପାରୁ ନ ଥିବା ଏ ନିରୀହ ପଶୁଟିକୁ କାହିଁକି ବଳି ଦେବ? ଲୋକମାନେ ଉତ୍ତର ଦେଲେ, ଗ୍ରାମ୍ୟ ଦେବୀ ସନ୍ତୁଷ୍ଟ କରିବାକୁ ପ୍ରତି ବର୍ଷ ଆମେ ଏପରି ବଳି ଦେଉ। ଏ ଆମର ଏକ ପୁରୁଣା ପରମ୍ପରା। ଛେଳି ପରି ଏକ ତୃଣଭୋଜି ପ୍ରାଣୀର ରକ୍ତରେ ଦେବୀ ପ୍ରସନ୍ନ ହେବେ।
“ମୁଁ ପ୍ରସ୍ତାବ ଦେଲି, ମୁଁ ଜଣେ ନିରାମିଷାଶୀ। ମଦ କିମ୍ବା କୌଣସି ମାଦକ ଦ୍ରବ୍ୟ ଖାଏନି। ମୋର ବିଶ୍ୱାସ ମୋ ଦେହର ରକ୍ତ ନିଶ୍ଚୟ ଛେଳିର ରକ୍ତଠାରୁ ଭଲ। ଠାକୁରାଣୀଙ୍କ ଦୟା ଓ ଆଶୀର୍ବାଦ ପାଇଁ ମୋତେ ବଳି ପକାଇ ଦିଅ। ମୁଁ ରାଜି ଅଛି।
“ଲୋକମାନେ ନିରବ ରହିଲେ। ମୋର ଶେଷ କଥା ଥିଲା, ମା’ କେବେ ନିଜ ପିଲାର ରକ୍ତ ଚାହେଁନି। ସେ ନିଜ ପିଲାଙ୍କଠାରୁ ସବୁବେଳେ ଭକ୍ତି ଓ ଶ୍ରଦ୍ଧା ଚାହେଁ। ସେଦିନ ଚମ୍ପାରଣ ଦିଅଁଙ୍କ ପାଖରେ ଆଉ ବଳି ପଡ଼ି ନ ଥିଲା। କେବଳ ପୂଜା ହୋଇ ଉତ୍ସବ ପାଳିତ ହୋଇଥିଲା।’’
(ମତାମତ ଲେଖକଙ୍କ ନିଜସ୍ବ) 
ମୋ: ୯୮୬୧୪୬୯୩୨୮

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)