Flood In Odisha: ୭୨ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ଆକଳନ, ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ: ରାଜସ୍ୱ ମନ୍ତ୍ରୀ
"ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଥିବା ପ୍ରଳୟଙ୍କାରୀ ବନ୍ୟାର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଛି।
ଆଜି ଲୋକସେବା ଭବନଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପରିସ୍ଥିତିର ବିସ୍ତୃତ ସମୀକ୍ଷା କରିବା ସହ ସୁବ୍ୟବସ୍ଥିତ ବନ୍ୟା ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ବନ୍ୟାଜଳ ଶୁଖିବା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ସମାନ ଦାୟିତ୍ଵ ଏବଂ ସମର୍ପିତ ମନୋଭାବ ନେଇ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଛନ୍ତି lAdvertisment ସୂଚନାଯୋଗ୍ୟ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ବନ୍ୟା ଦ୍ଵାରା ବିଶେଷ ପ୍ରଭାବିତ ହୋଇଥିବା ବେଳେ କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲା ମଧ୍ଯ ଅନେକାଂଶରେ ପ୍ରଭାବିତ ହୋଇଛି l ପ୍ରାୟ ୧୦୦ଟି ବ୍ଲକର ୫୩୯ଟି ପଞ୍ଚାୟତରେ ୧୪୫୮ ଗାଁର ୭,୦୫,୨୩୨ ଜଣ ଲୋକ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛନ୍ତି l ଏସ୍ଆର୍ସିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଆରଏଏଫ, ଏନଡ଼ିଆରଏଫ ଏବଂ ଅଗ୍ନିଶମ ବାହିନୀ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ତଥା ଜିଲ୍ଲା ପ୍ରଶାସନର ସମ୍ମିଳିତ ପ୍ରୟାସ ମାଧ୍ୟମରେ ପ୍ରାୟ ୧,୮୯,୫୯୭ଜଣ ବ୍ୟକ୍ତିଙ୍କୁ ରିଲିଫ୍ କେନ୍ଦ୍ର ତଥା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି l ପ୍ରାୟ ୧୩୫୩ଟି ଘର ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୪,୮୯୬ ହେକ୍ଟର ଚାଷଜମି ମଧ୍ଯ କ୍ଷତିଗ୍ରସ୍ତ ହୋଇଛି l ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଗାମୀ ତିନିଦିନ ଅର୍ଥାତ୍ ୭୨ ଘଣ୍ଟା ମଧ୍ୟରେ ବନ୍ୟାଜଳ ନିଷ୍କାସିତ ହୋଇ ଶୁଖିବା ପରେ ପରେ ତୁରନ୍ତ ଜିଲ୍ଲାସ୍ତରରେ ବନ୍ଯାଜନିତ କ୍ଷୟକ୍ଷତି ଆକଳନ କରି ବିଭାଗକୁ ରିପୋର୍ଟ୍ ପ୍ରଦାନ କରାଯିବ ଏବଂ ଏସଆରସିଙ୍କ ତତ୍ତ୍ଵାବଧାନରେ ନିୟମାବଳୀ ଅନୁଯାୟୀ ଯଥାଶୀଘ୍ର ଜନସାଧାରଣଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ l ଚାଷଜମି କ୍ଷତିପୂରଣ ନେଇ କୃଷି ବିଭାଗ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରାଯିବ।
ଏବେ ୫୨୦ଟି ରିଲିଫ୍ କେନ୍ଦ୍ରରେ ପ୍ରାୟ ୧,୮୨,୦୦୦ରୁ ଅଧିକ ଲୋକଙ୍କୁ ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ମଧ୍ଯ ଯୋଗାଇ ଦିଆଯାଉଛିl ସମସ୍ତ ରିଲିଫ୍ କେନ୍ଦ୍ରରେ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଇଥିବା ବେଳେ ମହିଳା, ଶିଶୁ ଏବଂ ବୟସ୍କ ବ୍ୟକ୍ତିବିଶେଷଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛିl ଶିଶୁଖାଦ୍ୟର ବ୍ୟବସ୍ଥା ସହ ମହିଳା ପୁଲିସ୍ ମଧ୍ଯ ନିୟୋଜିତ ହୋଇଛନ୍ତି l ଗୋଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି କୁହାଯାଇଛି।
BRICS Recognizes: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ୍ ସମୁଦାୟର ସ୍ଵୀକୃତି: ସୁରେଶ ପୂଜାରୀ ମହାନଦୀରେ ନରାଜଠାରେ ପ୍ରାୟ ୯ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି l ହୀରାକୁଦ ଡ୍ୟାମର ଦୁଇଟି ଗେଟ୍ ଏପର୍ଯ୍ୟନ୍ତ ଖୋଲା ଯାଇଛି।
ଏହି ପରିପ୍ରେକ୍ଷୀରେ କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲା ଉପରେ ତୀକ୍ଷଣ ନଜର ରଖାଯିବା ସହ ଆବଶ୍ୟକ ପ୍ରସ୍ତୁତି କରାଯାଇଛି l ବନ୍ୟା ଅଞ୍ଚଳରେ ୨୪ଟି ଓଡ଼ିଆରଏଏଫ୍, ୬ଟି ଏନଡ଼ିଆରଏଫ ଏବଂ ୪୬ଟି ଅଗ୍ନିଶମ ସେବା ବାହିନୀ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରତିକୂଳ ପରିସ୍ଥିତିରେ ମଧ୍ଯ ଉଦ୍ଧାର କାର୍ଯ୍ୟ କରାଯାଇଛି l ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଆଦି ଜିଲ୍ଲାରେ ବୃଷ୍ଟିପାତ ହୋଇଥିବା ବେଳେ ଜିଲ୍ଲାପ୍ରଶାସନ ସଜାଗ ରହି ପରିସ୍ଥିତିର ପରିଚାଳନା କରିଛନ୍ତିl ଆଜି ସକାଳେ ମନ୍ତ୍ରୀ ଶ୍ରୀ ପୂଜାରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ବୈଠକ କରିବା ସହ ବନ୍ୟା ପରିସ୍ଥିତି ପରିଚାଳନା ନିମନ୍ତେ ଆବଶ୍ୟକ ପରାମର୍ଶ ଦେଇଛନ୍ତି l କ୍ଷେତ୍ରସ୍ତରରେ ନିଜେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିବା ନିମନ୍ତେ ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ବୈଠକ ପରେ ହେଲିକପ୍ଟର ଯୋଗେ ମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ବିଶଦ ସମୀକ୍ଷା ମଧ୍ଯ କରିଛନ୍ତି l ମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.
ଅରବିନ୍ଦ ପାଢ଼ୀ ଏବଂ ସ୍ପେଶାଲ୍ ରିଲିଫ୍ କମିଶନର୍ ରାଜେଶ ପ୍ରଭାକର ପାଟିଲ୍ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଦିନରେ ଏକାଧିକ ବୈଠକ ସହିତ ବନ୍ୟା ପରିସ୍ଥିତିର ମୁକାବିଲା କରିବା ସମୀକ୍ଷା କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।