Epstein Files: ସଂସଦୀୟ କମିଟି ସାମ୍ନାରେ ବିଲ୍ ଗେଟ୍ସଙ୍କ ବିସ୍ଫୋରକ ବୟାନ
ୱାସିଂଟନ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆମେରିକାର ଏକ ସଂସଦୀୟ କମିଟି ସାମ୍ନାରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବିସ୍ଫୋରକ ତଥ୍ୟ ପ୍ରଘଟ କରିଛନ୍ତି। ଶୁଣାଣି ସମୟରେ ଗେଟ୍ସ ସ୍ୱୀକାର କରିଛନ୍ତି ଯେ, ୩ ଜଣ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ମୃତ ଯୌନ ଅପରାଧୀ ଜେଫ୍ରି ଏପ୍ଷ୍ଟିନ ଏହି ସମ୍ପର୍କକୁ ନେଇ ତାଙ୍କୁ ବ୍ଲାକମେଲ୍ କରିବାକୁ ଯୋଜନା କରୁଥିଲା। ଆମେରିକା ଗୃହ କମିଟିର ତଦନ୍ତ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଏପ୍ଷ୍ଟିନ ଫାଇଲକୁ ନେଇ ରାଜନୀତି ସରଗରମ ହୋଇଛି।
ସ୍ୱେଚ୍ଛାକୃତ ଭାବେ କମିଟି ସାମ୍ନାରେ ହାଜର ହୋଇ ବିଲ୍ ଗେଟ୍ସ କହିଥିଲେ ଯେ, ତାଙ୍କ ସହ ଦୁଇଜଣ ରୁଷୀୟ ମହିଳା ବ୍ରିଜ୍ ଖେଳାଳି ମିଲା ଆଣ୍ଟୋନୋଭା ଏବଂ ପରମାଣୁ ବିଜ୍ଞାନୀ କରିମା ନିଗମାତୁଲିନାଙ୍କ ସହ ଥିବା ସମ୍ପର୍କ ବିଷୟରେ ଏପ୍ଷ୍ଟିନ୍ ଜାଣିଥିଲା। ଏହା ସହିତ ମେଡିକାଲ୍ ଉଦ୍ୟୋଗୀ ଆଲିସ୍ ଜାକୋବ୍ସ ନେସେଲରୋଡ୍ଙ୍କ ସହ ତାଙ୍କର ତୃତୀୟ ପ୍ରେମ ସମ୍ପର୍କ ଥିବା କଥା ମଧ୍ୟ ସେ ସ୍ୱୀକାର କରିଛନ୍ତି। ଗେଟ୍ସ କହିଛନ୍ତି, ଏହି ସମ୍ପର୍କ ସହ ଏପ୍ଷ୍ଟିନର କୌଣସି ନେଣଦେଣ ନଥିଲା, କିନ୍ତୁ ଏହା ମୋ ପରିବାର ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ଏପ୍ଷ୍ଟିନ ମୋର ଏହି ଦୁର୍ବଳତାର ସୁଯୋଗ ନେଇ ଏବଂ ଅନେକ ମିଛ କଥା ଯୋଡ଼ି ତା’ସହ ପୁଣି କାମ କରିବାକୁ ମୋ ଉପରେ ଚାପ ପକାଉଥିଲା। ତେବେ ଏପ୍ଷ୍ଟିନର ଅପରାଧ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ଏବଂ ଏପ୍ଷ୍ଟିନ ଭଳି ଜଣେ ଦୋଷୀ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିବା ତାଙ୍କର ଏକ ଭୁଲ୍ ଥିଲା ବୋଲି ମାନିଛନ୍ତି।
ଗେଟ୍ସଙ୍କ ଅନୁଯାୟୀ, କେବଳ ସହାୟତା ପାଣ୍ଠି ସଂଗ୍ରହ ବିଷୟରେ ଆଲୋଚନା ପାଇଁ ସେ ୪ ବର୍ଷ ମଧ୍ୟରେ ଏପଷ୍ଟିନ୍କୁ ୧୨ରୁ ୧୪ ଥର ସାକ୍ଷାତ କରିଥିଲେ ଏବଂ ଦୁଇଟି ଭିଡିଓ କଲ୍ କରିଥିଲେ। ୨୦୦୮ରେ ଏପଷ୍ଟିନ୍ ଯୌନ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ଏହି ସାକ୍ଷାତକାର ଜାରି ରହିଥିଲା। ଶୁଣାଣି ସମୟରେ ଏପ୍ଷ୍ଟିନର ୨୦୧୩ ର ଏକ ଇମେଲ୍ ଡ୍ରାଫ୍ଟ ଉପରେ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ଗେଟ୍ସ ଏବଂ ତାଙ୍କର ପୂର୍ବତନ କର୍ମଚାରୀ ବୋରିସ୍ ନିକୋଲିକ୍ଙ୍କ ନାମ ଥିଲା। ଏହା ସହିତ ଗେଟ୍ସଙ୍କୁ ଯୌନ ସଂକ୍ରମିତ ରୋଗ (ଏସ୍ଟିଡି) ଏବଂ ଗୁପ୍ତରେ ଔଷଧ ନେବା ଅଭିଯୋଗ ଉପରେ ପଚରାଯାଇଥିଲା। ଗେଟ୍ସ ଏହାକୁ ସମ୍ପୂର୍ଣ୍ଣ ଖାରଜ କରି କହିଛନ୍ତି, ମୋର କେବେ ବି ଏସଟିଡି ନଥିଲା ଏବଂ ମୁଁ କାହାକୁ ଲୁଚାଇ ଔଷଧ ନେଇନାହିଁ।